ବଢ଼ୁଛି ଉପକଣ୍ଠର କଳେବର, ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବାଧକ ବିପର୍ଯ୍ୟସ୍ତ ରାସ୍ତା

ବାଲିଅନ୍ତା: କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ତାଳ ଦେଇ ରାଜଧାନୀ ଭୁବନେଶ୍ବରର କଳେବର ଏବେ ଉପକଣ୍ଠମୁହାଁ ହୋଇଥିବା ବେଳେ ଏଠାରେ ଯାତାୟାତ ବ୍ୟବସ୍ଥା ଅସଜଡ଼ା ହୋଇପଡ଼ିଛି। ଗମନାଗମନ ଭଳି ମୌଳିକ ଭିତ୍ତିଭୂମି ଜନିତ ସମସ୍ୟା ଯୋଗୁଁ ଶିକ୍ଷା, ସ୍ବାସ୍ଥ୍ୟର ସଫଳତା ଲୋକଙ୍କ ପାଖରେ ଅପହଞ୍ଚ ହୋଇରହିଛି। ଫଳରେ ଲୋକମାନେ ଉପଯୁକ୍ତ ଚିକିତ୍ସା ଓ ଶିକ୍ଷାଗତ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ସେହିପରି ଆନୁଷଙ୍ଗିକ ବିକାଶ କାର୍ଯ୍ୟ ଯଥା ଆଲୋକୀକରଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ମଧ୍ୟ ସ୍ଥାଣୁତା ଦେଖାଦେଇଛି। ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ରାଜଧାନୀଠାରୁ ମାତ୍ର ୩ କିମି ଦୂରରେ ଥିବା ବାଲିଅନ୍ତା ଅଞ୍ଚଳର ବାସ୍ତବ ଦୃଶ୍ୟ। ବିପର୍ଯ୍ୟସ୍ତ ଯାତାୟାତ ସମସ୍ୟା ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶରେ ବାଧକ ସାଜିଛି। ଏହି ସମସ୍ୟାର ସମାଧାନ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଅନେକବାର ତଳଠୁ ଉପରମହଲ ପର୍ଯ୍ୟନ୍ତ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ହେଲେ ହଜାର ହଜାର ଲୋକଙ୍କ ଦ୍ବାରା ଦସ୍ତଖତ ସମ୍ବଳିତ ଅଭିଯୋଗ ଫର୍ଦ୍ଦ ପ୍ରଶାସନର ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ଏନେଇ ଜନସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଏହା ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନର ରୂପ ନେବ ବୋଲି ସମଗ୍ର ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ହାଇଲେଭଲ ଷ୍ଟାଣ୍ଡିଂ କମିଟିରେ ବଇଁଚୁଆ କାଜ ରାସ୍ତା ଓ ବ୍ରିଜ କାମ
ବଇଁଚୁଆ ପଞ୍ଚାୟତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ବାଲିପାଟଣା କେନାଲ ସବ୍‌-ଡିଭିଜନ ଅଧୀନରେ ଥିବା ଉକ୍ତ ପ୍ରମୁଖ ରାସ୍ତା ତଥା ବ୍ରିଜ ନିର୍ମାଣ କାର୍ଯ୍ୟର ଦାୟିତ୍ବଭାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। କୁଶଭଦ୍ରା ନଦୀର ବଇଁଚୁଆ କାଜ ସଂଲଗ୍ନ ଧନୁଆ ଧାର ସଂଯୋଗ ସ୍ଥଳରେ ଏହି ବ୍ରିଜ ଓ ଏଥି ସଂଲଗ୍ନ ସଂଯୋଗୀକରଣ ରାସ୍ତା ନିର୍ମାଣ ହେବ ବୋଲି ଗ୍ରାମ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସହଦେବ ସାହୁ ସୂଚନା ଦେଇଛନ୍ତି। ବିଭାଗ ପ୍ରସ୍ତାବିତ ଚିଠା ନିକଟରେ ଅନୁମୋଦନ ପାଇଁ ହାଇଲେଭଲ ଷ୍ଟାଣ୍ଡିଂ କମିଟିକୁ ପଠାଇ ଦେଇସାରିଥିବା ସେ କହିଛନ୍ତି। ଷ୍ଟାଣ୍ଡିଂ କମିଟିରେ ପ୍ରକଳ୍ପକୁ ଅନୁମୋଦନ ଦେବା ପରେ ଆଗାମୀ ଆର୍ଥିକ ବର୍ଷରେ ଅର୍ଥ ମଂଜୁର ହେବା ସହ ଟେଣ୍ଡର୍‌ ପ୍ରକ୍ରିୟାକୁ ଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ଆମ୍ବୁଲାନ୍ସ, ଦମକଳ ଅପହଞ୍ଚ
ବାଲିଅନ୍ତା ପଞ୍ଚାୟତ ସମିତି ଅଧୀନ ସରକଣା ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ସଂଯୋଗୀକରଣ କଚ୍ଚା ରାସ୍ତା ଅବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଛୋଟବଡ଼ ଖାଲଖମା ହୋଇଥିବା ଯୋଗୁଁ ବିଭିନ୍ନ ସମୟରେ ଲୋକମାନେ ଦୁର୍ଘଟଣାର ଶିକାର ହୋଇ ମୃତାହତ ହେବାର ନଜିର ମଧ୍ୟ ରହିଛି। ବର୍ଷା ହେଲେ ପାଣି ଜମି ରହିବା ଦ୍ବାରା ରାସ୍ତା ଦୀର୍ଘ ଦିନ ଧରି କାଦୁଅ ହୋଇପଡ଼ୁଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବିଭିନ୍ନ ଗ୍ରାମର ରୋଗୀମାନେ ସରକଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ସମ୍ଭବ ହେଉନଥିବାରୁ ୪କିମି ଅଧିକ ବାଟ ବୁଲି ପହଞ୍ଚିଥାନ୍ତି। ମାସିକ ଭତ୍ତା ପାଇଁ ଯାଉଥିବା ବୃଦ୍ଧବୃଦ୍ଧାମାନେ ହୀନସ୍ତା ଭୋଗିଥାନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆଖପାଖରେ ଥିବା ଗ୍ରାମରେ ନିଆଁ ଲାଗିଲେ, ଉକ୍ତ ରାସ୍ତାରେ ଦମକଳ ଆସିପାରେ ନାହିଁ କି ଜରୁରୀକାଳୀନ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଗାଡ଼ି ପଶିବାରେ ବିଳମ୍ବ ଯୋଗୁଁ ରୋଗୀର ମୃତ୍ୟୁ ଘଟିବାର ମଧ୍ୟ ନଜିର ରହିଥିବା ଗ୍ରାମବାସୀ କହିଛନ୍ତି। ସେହିପରି ରାସ୍ତା ଅବସ୍ଥା ଭଲ ନଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯିବାରେ ମଧ୍ୟ ସମସ୍ୟା ଭୋଗିଥାନ୍ତି।

ଭୁବନପୁର-ଧବଳାହାର କେନାଲ ବନ୍ଧ ମରଣଯନ୍ତା
ବାଲିଅନ୍ତା ପଞ୍ଚାୟତ ଅଧୀନ ଭୁବନପୁର ଗ୍ରାମ ନିକଟରୁ ଧବଳାହାର ପର୍ଯ୍ୟନ୍ତ ଦୁଇ କିମି ବିଶିଷ୍ଟ ନିମାପଡ଼ା ବ୍ରାଞ୍ଚ କେନାଲ ବନ୍ଧ ରାସ୍ତାକୁ ସ୍ଥାନୀୟ ଲୋକମାନେ ମରଣଯନ୍ତା ବୋଲି କହିଥାନ୍ତି। ମହାତ୍ମା ସେତୁଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଉକ୍ତ କେନାଲ ବନ୍ଧ ରାସ୍ତା ସଂପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସାଇକେଲ ତ ଦୂରର କଥା ଚାଲିକି ଯିବା ରାସ୍ତାରେ ସମ୍ଭବ ହୋଇନଥାଏ। ବଇଁଚୁଆ କାଜ ବ୍ରିଜ୍‌ ଓ ରାସ୍ତା ନିର୍ମାଣ ହୋଇ ନପାରିବା ଏହାର ଏକମାତ୍ର କାରଣ ବୋଲି ସ୍ଥାନୀୟ ସରପଞ୍ଚ ବିଜୟ କୁମାର ସାହୁ କହିଛନ୍ତି। ସେ ଆହୁରି କହିଛନ୍ତି, ଉକ୍ତ ପ୍ରମୁଖ ରାସ୍ତାର ବିକାଶ କାର୍ଯ୍ୟ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଉପରୋକ୍ତ ରାସ୍ତା ଭଳି ବାଲିଅନ୍ତା ବ୍ଲକ ଅଞ୍ଚଳରେ ଆହୁରି ଅନେକ କଚ୍ଚା ରାସ୍ତା ଅଛି। ଯାହାକି ଶିକ୍ଷା ଓ ଚିକିତ୍ସା ସେବା ପାଇବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି। କର୍ତୃପକ୍ଷ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର