ବାଲିପାଟଣା: ବହୁ ସମୟରେ ଖୋଦ୍‌ ସରକାରୀ ହସ୍ପିଟାଲରେ ଗରିବ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ସାତ ସପନ ହୋଇପଡ଼ୁଛି। କେତେବେଳେ ଆମ୍ବୁଲାନ୍‌ସ ନ ମିଳିବାରୁ ସ୍ବାମୀ ଅସୁସ୍ଥ ସ୍ତ୍ରୀକୁ ଟ୍ରଲି ରିକ୍ସାରେ ଡାକ୍ତରଖାନାକୁ ଟାଣି ଟାଣି ନେଉଛି ତ କେତେବେଳେ ରାଜରାସ୍ତାରେ ମହିଳା ପ୍ରସବ କରୁଛନ୍ତି। ରାସ୍ତା ନଥିବାରୁ ରୋଗୀ ଖଟିଆରେ ବୁହା ହେବା ଭଳି ଉଦାହରଣ ପ୍ରାୟ ସବୁବେଳେ ଗଣମାଧ୍ୟମର ଶିରୋନାମା ପାଲଟିଛି। ତେବେ ଏହା ଭିତରେ ମଧ୍ୟ ବହୁ ଡାକ୍ତର ଗରିବଙ୍କ ସ୍ବାସ୍ଥ୍ୟସେବା ପ୍ରତି ଯତ୍ନବାନ ଥିବା ଉଦାହରଣ କିଛି କମ୍ ନୁହେଁ। ଅପହଞ୍ଚ ଇଲାକାରେ ଭଲ କାମ କରୁଥିବା ଡାକ୍ତରଙ୍କ ବଦଳି ହେଲେ, ଲୋକେ କାନ୍ଦି କାନ୍ଦି ବିଦାୟ ଦେବାର ନଜିର ମଧ୍ୟ ରହିଛି। ସେମିତି ଏକ ଘଟଣାକୁ ନେଇ ବାଲିପାଟଣା ଅଞ୍ଚଳରେ ବେଶ୍ ଚର୍ଚ୍ଚା ଚାଲିଛି। ଜଣେ ଗରିବ ପ୍ରସୂତିଙ୍କ ଘରେ ପହଞ୍ଚି ତାଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ଖାଇବା ପିଇବା କଥା ବୁଝି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରଶଂସାର ପାତ୍ର ହୋଇଛନ୍ତି।

Advertisment

ଘଟଣାଟି ଏମିତି; ଏହି ବ୍ଲକ ପମ୍ପାଲୋ ପଞ୍ଚାୟତ ଗଡ଼ବନ୍ତପୁର ଗ୍ରାମର ଗୀତା ଭୋଇ ନିକଟରେ ଝିଅଟିଏ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଗୀତା ଅସୁସ୍ଥ ହୋଇପଡ଼ିଛନ୍ତି। ଦୁର୍ବଳତା କାରଣରୁ ସେ ଏବେ ଶଯ୍ୟାଶାୟୀ ହୋଇ ରହିଛନ୍ତି। ପାଖରେ ସମ୍ବଳ ନଥିବାରୁ ଭଲ ଡାକ୍ତରଖାନା ଯିବା ତାଙ୍କପକ୍ଷେ ସମ୍ଭବ ହୋଇନାହିଁ। ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଥିବା ବେଳେ ଠିକଣା ସମୟରେ ଚିକିତ୍ସା ନ ହେଲେ ଉଭୟ ମା’ ଓ ଶିଶୁର ଜୀବନ ପ୍ରତି ବିପଦ ଥିବା ଆଶଙ୍କା ରହିଛି। ତେବେ ଏମିତି ଅବସ୍ଥାରେ ଆଜି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଏବଂ କର୍ମଚାରୀମାନେ ତାଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ଗାଁ ମୁଣ୍ଡରେ ରାସ୍ତାକଡ଼ରେ ଚାଳିଆ ଖଣ୍ଡେ କରି ରହୁଥିବା ଗୀତାଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ମନୋରଞ୍ଜନ ହାତୀଙ୍କ ସୂଚନାନୁସା‌ରେ, ମା’ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଆବଶ୍ୟକ ଔଷଧ ଏବଂ କିଛି ରାସନ ସାମଗ୍ରୀ ମଧ୍ୟ ଦିଆଯାଇଛି। ପ୍ରତିଦିନ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀମାନେ ତାଙ୍କ ଉପରେ ନଜର ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ତହସିଲ ପ୍ରଶାସନ ସହିତ ଆଲୋଚନା କରାଯାଇଛି ବୋଲି ମଧ୍ୟ ଡାକ୍ତର ଶ୍ରୀ ହାତୀ ସୂଚନା ଦେଇଛନ୍ତି।