କରୋନା କାଳରେ ସ୍ୱାସ୍ଥ୍ୟସେବା ବାଟବଣା, ରାତିରେ ଜରୁରିକାଳୀନ କରୋନା ପରୀକ୍ଷ‌ା ହେଉନି

ପୁଣି ଜଣେ ବୃଦ୍ଧଙ୍କ ମୃତ୍ୟୁ, ନବବଧୂଙ୍କ ମୃତ୍ୟୁ ପରେ ବି ଚେତିଲେନି

ବାଲିପାଟଣା: ୨୪ ଘଣ୍ଟିଆ ସେବା ଉପଲବ୍‌ଧ ଥିବା ସତ୍ତ୍ବେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରାତିରେ କରୋନା ପରୀକ୍ଷା କରାଯାଉନାହିଁ। ଫଳରେ ହଠାତ୍ ଅସୁସ୍ଥ ହୋଇ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ସମ୍ଭବ ହେଉନାହିଁ। ଗତ ୨୯ ତାରିଖ ରାତିରେ ଜଣେ ବୃଦ୍ଧ ଏଭଳି ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପରେ ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲରେ କରୋନା ପରୀକ୍ଷା କରାଇ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଗଲା ସିନା କିନ୍ତୁ ପରଦିନ ଅର୍ଥାତ୍‌ ୩୦ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତକ ହେଲେ ତୁରିନ୍ତିରା ଗ୍ରାମର ସଚ୍ଚିଦାନନ୍ଦ ସ୍ୱାଇଁ (୮୨)। ଗତ ମାସ ୨୯ ତାରିଖ ରାତି ପ୍ରାୟ ସାଢ଼େ ୯ଟାରେ ପରିବାରଲୋକ ତାଙ୍କୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତାଙ୍କୁ ନିଶ୍ବାସ ନେବାରେ କଷ୍ଟ ହେଉଥିଲା।

ଅବଶ୍ୟ ପୂର୍ବରୁ ସେ ଆଜ୍‌ମା ପୀଡ଼ିତ ଥିଲେ। ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ରେଫର୍‌ କରିଦେଇଥିଲେ। ପରିବାରଲୋକେ ତାଙ୍କ କରୋନା ପରୀକ୍ଷା କରାଇବା ପାଇଁ ବହୁ ଅନୁରୋଧ କରିଥିଲେ ବି ଡାକ୍ତର ଉକ୍ତ ପରୀକ୍ଷା କରିନଥିଲେ। ପରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ କୋଭିଡ୍‌ ଯାଞ୍ଚ କରାଯାଇଥିଲା ଓ ସେଠାରୁ ତାଙ୍କୁ ନୀଳାଚଳ କୋଭିଡ୍‌ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଇଥିଲା। କିନ୍ତୁ ୩୦ ତାରିଖ ସନ୍ଧ୍ୟାରେ ସେ ଆଖି ବୁଜି ଦେଇଥିଲେ। ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ପରୀକ୍ଷା କରାଇଥିଲେ, ହୁଏତ ବିଳମ୍ବ ହୋଇନଥାନ୍ତା ଓ ସଚ୍ଚିଦାନନ୍ଦଙ୍କ କ୍ଷେତ୍ରରେ ଅନ୍ୟ କିଛି ଘଟିଥାନ୍ତା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ସ୍ଥାନୀୟ ଇନ୍ଦୋଳ କୁଶିଆରି ଗ୍ରାମର ନବବଧୂଙ୍କ ମୃତ୍ୟୁ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏମିତି କୋଭିଡ୍‌ ପରୀକ୍ଷାରେ ବିଳମ୍ବ ହେତୁ ତାଙ୍କୁ ରାଜଧାନୀର କୌଣସି ହସ୍ପିଟାଲରେ ଭର୍ତ୍ତି ହେବା ସୁଯୋଗ ମିଳି ନଥିଲା ଓ ସେ ଆମ୍ବୁଲାନ୍‌ସରେ ଥାଇ ପ୍ରାଣ ହରାଇଥିଲେ। ସଚ୍ଚିଦାନନ୍ଦଙ୍କ କ୍ଷେତ୍ରରେ ମଧ୍ୟ ସେୟା ହୋଇଛି ବୋଲି କୁହାଯାଉଛି। ନବବଧୂ ମୃତ୍ୟୁ ମାମଲାରୁ ବିଭାଗୀୟ ଅଧିକାରୀମାନେ ଚେତିଲେ ନାହିଁ ବୋଲି କୁହାଯାଉଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ସୂଚନା ଅନୁସାରେ, ରାତିରେ ଡ୍ୟୁଟି କରୁଥିବା କିଛି ନୂଆ ଡାକ୍ତର ଅନୁଭବ ଅଭାବରୁ ସାଂଘାତିକ ଅବସ୍ଥାରେ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଭୟ କରୁଛନ୍ତି। ସଚ୍ଚିଦାନନ୍ଦଙ୍କ ଶ୍ୱାସରୋଗ ଥିବାରୁ ଡାକ୍ତର କ୍ୟାପିଟାଲ୍‌ ହସ୍ପିଟାଲ ପଠାଇ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଧୀନସ୍ଥ ୩ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ସ୍ୱାସ୍ଥ୍ୟସେବା ବାଟବଣା ହୋଇଛି। ୧୪ଜଣ ଡାକ୍ତରଙ୍କ ମଧ୍ୟରୁ ୯ଡାକ୍ତର ଦାୟିତ୍ୱ ତୁଲାଉଛନ୍ତି ଓ ୫ଜଣ ଡାକ୍ତରଙ୍କୁ ଅନ୍ୟତ୍ର ନିଆଯାଇଛି। ଫଳରେ ରାତିରେ ଅନିଭଜ୍ଞ ନୂଆ ଡାକ୍ତରଙ୍କୁ ଡ୍ୟୁଟି ଦିଆଯାଉଛି ଓ ଶହଶହ ଲୋକ ଏମିତି ହନ୍ତସନ୍ତ ହେଉଛନ୍ତି।

ସମ୍ବନ୍ଧିତ ଖବର