ୱାର୍ଡ ନଂ୫: ଜଟିଳ ସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ର, ସତ୍ୟବିହାର ସମସ୍ୟା

ୱାର୍ଡ ପରିସୀମା
ଚକେଇସିଆଣି, ସମେଇଗାଡ଼ିଆ, ମଞ୍ଚେଶ୍ବର ଗାଁ, ପିଏଚ୍‌ଡି କଲୋନି, ସତ୍ୟବିହାର, ଶ୍ରୀରାମନଗର ବସ୍ତି

ଭୋଟର୍: ୧୫୮୯୬
ପୁରୁଷ: ୮୮୨୬
ମହିଳା: ୭୦୬୬
ତୃତୀୟ ଲିଙ୍ଗ: ୪

ଭୁବନେଶ୍ବର : ପ୍ରାୟ ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ୱାର୍ଡରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଟିଏ ନାହିଁ। ପାର୍କଟିଏ ନାହିଁ। କଲ୍ୟାଣ ମଣ୍ଡପ ନଥିବାରୁ ଲୋକେ ବିଭିନ୍ନ ସାମାଜିକ ଅନୁଷ୍ଠାନ କରିବାକୁ ବଡ଼ ହଇରାଣ ହେଉଛନ୍ତି। ରାଜଧାନୀରେ ଏହା ଏକ ଅନ୍ୟତମ ଖାଲୁଆ ଅଞ୍ଚଳ ହୋଇଥିବାରୁ ବର୍ଷା ଦିନେ ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇଯାଉଛି। କୃତ୍ରିମ ବନ୍ୟାରେ ରାସ୍ତା ବୁଡ଼ିଯାଉଛି ଓ ବେଳେବେଳେ ଭାଙ୍ଗିଯାଉଛି। ତେଣୁ ସେମାନେ ରାଜଧାନୀ ଭଳି ସହରର ବାସିନ୍ଦା ବୋଲି ଭାବି ପାରୁନାହାନ୍ତି। ଏହା ହେଉଛି ବିଏମ୍‌ସି ୱାର୍ଡ ନମ୍ବର ୫ର ଅଧିବାସୀଙ୍କ କ୍ଷୋଭ। ଆଗକୁ ପୌର ନିର୍ବାଚନ ଆସୁଥିବାରୁ ଏହି ଅଞ୍ଚଳର ବାସିନ୍ଦାମାନେ ପ୍ରାର୍ଥୀମାନଙ୍କୁ ଏସବୁ ପ୍ରସଙ୍ଗ ନେଇ ଘେରିବେ ବୋଲି ସୂଚନା ଦେଇଛନ୍ତି।

ଏହି ୱାର୍ଡରେ ପ୍ରମୁଖ ସମସ୍ୟା ହେଉଛି ସ୍ବାସ୍ଥ୍ୟସେବା। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନଥିବାରୁ ପ୍ରାୟ ୪୦ ହଜାର ଲୋକ ବଡ଼ ହଇରାଣ ହେଉଛନ୍ତି। ପଡ଼ୋଶୀ ୱାର୍ଡର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟାରୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ତେଣୁ ତା’ ଉପରେ ନିର୍ଭର କରିବା ମଧ୍ୟ ଫଳପ୍ରଦ ହେଉନାହିଁ। ଫଳରେ ଛୋଟମୋଟ ଚିକିତ୍ସା ପାଇଁ ଏହି ୱାର୍ଡର ଲୋକେ ଦୂର ବାଟ ହେଲେ ବି ବାଧ୍ୟ ହୋଇ କ୍ୟାପିଟାଲ ହସ୍ପିଟାଲ୍‌ ଯାଉଛନ୍ତି। ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗ ଅନୁସାରେ ଗତ ୧୫ ବର୍ଷ ହେଲା ଏଥିପାଇଁ ଦାବି କରାଯାଉଛି। ମାତ୍ର ମିଳୁଛି କେବଳ ପ୍ରତିଶ୍ରୁତି। ସେହିଭଳି ବିଏମ୍‌ସିର ଅଧିକାଂଶ ୱାର୍ଡରେ ପାର୍କ ନିର୍ମାଣ ହୋଇସାରିଛି। ମାତ୍ର ଏହି ୱାର୍ଡରେ ପାର୍କ ନାହିଁ। ବରିଷ୍ଠ ନାଗରିକଙ୍କ ସମେତ ଶିଶୁ ଓ ମହିଳାମାନେ ଅବସର ସମୟ ଓ ମନୋରଞ୍ଜନ ପାଇଁ ୩ରୁ ୪ କିଲୋମିଟର ଦୂରରେ ଥିବା ପାର୍କକୁ ଯାଉଛନ୍ତି। ଏଠାରେ ଏକ ପାର୍କ ନିର୍ମାଣ ପାଇଁ ଘୋଷଣା ହୋଇଥିଲା। ହେଲେ ଏଠାରେ ସରକାରୀ ଜମି ଜବରଦଖଲ ହୋଇଥିବାରୁ ପାର୍କ ନିର୍ମାଣ ହୋଇପାରୁନାହିଁ। ସମାନ କାରଣରୁ କଲ୍ୟାଣ ମଣ୍ଡପ ବି ହୋଇପାରିନାହିଁ। କିନ୍ତୁ ଏସବୁ କେବଳ ବାହାନା ବୋଲି ଅଭିଯୋଗ ହେଉଛି। ଜବରଦଖଲରେ ଥିବା ସରକାରୀ ଜମି ବିଏମ୍‌ସି ପ୍ରଶାସନ ମୁକୁଳାଇପାରୁନି ଅର୍ଥ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେହିଭଳି ସ୍ଥାନୀୟ ଲୋକଙ୍କ ଘରକୁ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଇ ଦିଆଯାଉନାହିଁ ବୋଲି ଲୋକେ କହିଛନ୍ତି। ଏହି ୱାର୍ଡସ୍ଥିତ ସତ୍ୟବିହାର ବର୍ଷା ଦିନରେ ବୁଡ଼ିଯାଏ। ଅସରାଏ ବର୍ଷା ‌‌ହେଲେ ଲୋକ ଘରୁ ବାହାରି ପାରନ୍ତି ନାହିଁ। ବର୍ଷା ଦିନେ ଲୋକମାନେ ଜଳବନ୍ଦୀ ‌ଅବସ୍ଥାରେ ରହୁଛନ୍ତି। ଜଳ ନିଷ୍କାସନ ପାଇଁ ବାଟ ନଥିବାରୁ ଜମି ରହୁଥିବା ପାଣି ଉଛୁଳି ରାସ୍ତା ଭାଙ୍ଗୁଛି।

ପୂର୍ବତନ କର୍ପୋରେଟର୍‌ ନିର୍ମଳ ରାଉତଙ୍କ କହିବା କଥା ତାଙ୍କ କାର୍ଯ୍ୟକାଳ ଭିତରେ ଏହି ଅଞ୍ଚଳର ବହୁ ସମସ୍ୟାର ସମାଧାନ ହୋଇଛି। ସ୍ଥାନୀୟ ଅଞ୍ଚଳକୁ ସିଟିବସ୍‌ ସେବା ଆରମ୍ଭ କରାଯାଇଛି। ପ୍ରାୟ ସବୁ ରାସ୍ତାଘାଟ ମରାମତି ହୋଇଛି ଓ କେତେକ ନୂଆ ରୋଡ୍‌ ତିଆରି ହୋଇଛି। ରାସ୍ତା ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ପାଖାପାଖି ୯୦ ପ୍ରତିଶତ ଅଞ୍ଚଳରେ ଡ୍ରେନ୍‌ କାମ ସରିଛି। ଦୟାୱେଷ୍ଟ କେନାଲରେ ଦୁଇଟି ବ୍ରିଜ୍ ତିଆରି ହେବା ପରେ ଯାତାୟାତ ସମସ୍ୟା ବହୁ ମାତ୍ରାରେ ସୁଧୁରିଯାଇଛି। ଡେ’କେୟାର‌ ସେଣ୍ଟର, କମ୍ୟୁନିଟି ହଲ୍, କ୍ଲବ୍‌, ଶ୍ମଶାନ ନିର୍ମାଣ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ର, ପାର୍କ ଓ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଉଦ୍ୟମ ଜାରି ରହିଛି ବୋଲି ଶ୍ରୀ ରାଉତ କହିଛନ୍ତି।

ଏଥର ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ପୂର୍ବତନ କର୍ପୋରେଟର ନିର୍ମଳ ରାଉତ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ରାଉତଙ୍କୁ ବିଜେଡିରୁ ପ୍ରାର୍ଥୀ କରାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏଠାରେ ବିଜେଡିରେ ଏକାଧିକ ମହିଳା ଆଶାୟୀ ଥିବା ଅଭାସ ମିଳୁଛି। ସେହିଭଳି ବିଜେପିରୁ ଲିପା ଦାସ ଓ ଆରତୀ ମଙ୍ଗରାଜଙ୍କ ନାମ ଚର୍ଚ୍ଚାରେ ରହିଛି। କଂଗ୍ରେସ୍ ପକ୍ଷରୁ ସସ୍ମିତା ପତିଙ୍କ ନାମ ମଧ୍ୟ ଆଲୋଚନାରେ ସ୍ଥାନ ପାଉଛି।

ସମ୍ବନ୍ଧିତ ଖବର