ଭୁବନେଶ୍ବର: ରାଜଧାନୀରେ ମଶା ସ୍ଥିତି ଅଣାୟତ୍ତ ହେବା ପରେ ବିଏମ୍ସି ପକ୍ଷରୁ ମଶା ମରା ଅଭିଯାନ ଆରମ୍ଭ ହୋଇଥିଲା। ଏହା ଭିତରେ ପ୍ରାୟ ୧ମାସ ବିତି ଗଲାଣି। ମଶାଙ୍କ ସ୍ଥିତିରେ କିଛି ପରିବର୍ତ୍ତନ ହୋଇଛି ନା ପୂର୍ବଭଳି ରହିଛି ତାହା ସଂପର୍କରେ ସୂଚନା ଦେବା ଲାଗି ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ ମାଗିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।
ଜାତୀୟ ବାତଜ୍ବର ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍ଏଫ୍ସିପି) ଅନୁସାରେ ୧୦ ମ୍ୟାନ୍ ଆୱାର ଡେନ୍ସିଟି ବା ସାନ୍ଦ୍ରତାରେ ମଶା ୫୦ରୁ କମ୍ ରହିବା କଥା। ୫୦ରୁ ଅଧିକ ୬୫ରୁ କମ୍ ସାନ୍ଦ୍ରତା ରହିଥିଲେ ତାହାକୁ ମଡରେଟ୍ ବା ମଧ୍ୟମ ଧରଣର ବୋଲି ବିଚାର କରାଯାଇଥାଏ। ୮୦ କିମ୍ବା ତା’ଠାରୁ ଅଧିକ ହେଲେ ଏହାକୁ ହାଇ ବା ଉଚ୍ଚ ସାନ୍ଦ୍ରତା ବୋଲି ବିଚାର କରାଯାଇଥାଏ। ହେଲେ ଗତବର୍ଷ ରାଜଧାନୀରେ ମଶାଙ୍କ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ରାଜଧାନୀରେ ମଶାଙ୍କ ସାନ୍ଦ୍ରତା ୮୦ ଛୁଇଁଥିଲା। ଏପରିକି କିଛି ୱାର୍ଡରେ ସାନ୍ଦ୍ରତା ୧୬୦ ରହିଥିବା ନଜରକୁ ଆସିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଘରେ କିମ୍ବା ବାହାରେ ଲୋକଙ୍କୁ ମଶା କାମୁଡ଼ାରୁ ନିସ୍ତାର ମିଳି ନ ଥିଲା। ମାତ୍ର ପରବର୍ତୀ ସମୟରେ ବିଏମ୍ସି ପକ୍ଷରୁ ଡ୍ରୋନ୍ ସହାୟତାରେ ମଶା ମରା ଅଭିଯାନ ଆରମ୍ଭ ହୋଇଥିଲା।
ଯେଉଁ ସ୍ଥାନରେ ମଶା ତେଲ ପହଞ୍ଚି ପାରୁନାହିଁ ସେଠାରେ ଡ୍ରୋନ୍ ସାହାଯ୍ୟରେ ଔଷଧ ପକାଯାଇଥିଲା। ଏହାକୁ ନେଇ ମଧ୍ୟ ବହୁ ବିବାଦ ସୃଷ୍ଟି ହୋଇଥିଲା। ମଶା ତେଲର ଗୁଣବତ୍ତା, ଫଗିଂ ଓ ମଶା ମରା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ମଶାଙ୍କ ନମୁନା ପରୀକ୍ଷା ପରେ ସ୍ଥିତିରେ ସୁଧାର ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି। ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଷୋୟୀ କହିଛନ୍ତି, ରାଜଧାନୀରେ ମଶାଙ୍କ ସାନ୍ଦ୍ରତା କେତେ ରହିଛି ତାହା ଜାଣିବା ଲାଗି ନମୁନା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଆଜି ବରଗଡ଼ ଅଞ୍ଚଳର ପାଣ୍ଡବନଗରରେ ସକାଳେ ନମୁନା ସଂଗ୍ରହ କରାଯାଇଛି। ଆସନ୍ତାକାଲି ମଧ୍ୟ ଏହି କାର୍ଯ୍ୟ ଜାରି ରହିବ। ଉଭୟ ସକାଳେ ଓ ସଂଧ୍ୟାରେ ମଶା ନମୁନା ସଂଗ୍ରହ କରାଯାଇ ସାନ୍ଦ୍ରତା ମପାଯିବ। ଆସନ୍ତା ବୁଧବାର ଏହାର ରିପୋର୍ଟ ଆସିବ ବୋଲି ଡା.ବିଷୋୟୀ କହିଛନ୍ତି।