ସ୍ୱାସ୍ଥ୍ୟ ବିଭାଗର ଅବହେଳା ଜଳଜଳ

ଡାକ୍ତରୀଦଳ ଅନୁଧ୍ୟାନ କଲେ, ମଶା ମାରିବାକୁ ଧୂଆଁ ଗାଡ଼ି ବୁଲିଲା

ଚନ୍ଦ୍ରଶେଖରପୁର: ଡେଙ୍ଗୁରେ କମ୍ପୁଛି ସାଲିଆସାହି। ଜଣେ କି ଦୁଇ ଜଣେ ନୁହେଁ, ଶହେରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇସାରିଲେଣି। ଗତ ୧୫ଦିନ ମଧ୍ୟରେ ୩ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଏହାକୁ ଡେଙ୍ଗୁ ଜନିତ ମୃତ୍ୟୁ ବୋଲି ମାନିବାକୁ ନାରାଜ। ଡେଙ୍ଗୁ ନୁହେଁ ବରଂ ଅନ୍ୟ ଜ୍ୱରରେ ସାଲିଆସାହିରେ ଲୋକଙ୍କ ମୃତ୍ୟୁ ହେଉଛି ବୋଲି କହି ଭୁତାଇବାକୁ ବସିଛନ୍ତି। ଡେଙ୍ଗୁ ସନ୍ଦେହ ପରେ କ୍ୟାପିଟାଲ ହସ୍ପିଟାଲକୁ ପରୀକ୍ଷା ପାଇଁ ଯାଉଥିବା ବ୍ୟକ୍ତିଙ୍କୁ ଟାଇଫଏଡ୍‌ ହୋଇଥିବା କୁହାଯାଉଥିବା ବେଳେ ଘରୋଇ ହସ୍ପିଟାଲରେ କିନ୍ତୁ ଡେଙ୍ଗୁ ବୋଲି ରିପୋର୍ଟ ବାହାରୁଛି। ଯାହାକୁ ନେଇ ଲୋକମାନେ ମଧ୍ୟ ତାଜୁବ୍‌ ହୋଇ ଯାଇଛନ୍ତି। ଅନ୍ୟପକ୍ଷରେ ଏତେ ସଂଖ୍ୟକ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଯାହା ପୂର୍ବରୁ ଚାଲୁଥିଲା ତାହାକୁ କେବଳ ଜାରି ରଖାଯାଇଥିଲା।

ତେବେ ସାଲିଆସାହିରେ ଘରେ ଘରେ ଡେଙ୍ଗୁ ବ୍ୟାପିଥିବା ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି ବିଏମ୍‌ଓି ଓ ସ୍ୱାସ୍ଥ୍ୟ ବିଭାଗ ଚେଇଁ ଉଠିଛି। ସ୍ୱାସ୍ଥ୍ୟ ବିଭାଗର ଏକ ତିନିଜଣିଆ ମେଡିକାଲ୍‌ ଟିମ୍‌ ଡେଙ୍ଗୁ ପ୍ରଭାବିତ ସାଲିଆସାହି ଗସ୍ତରେ ଯାଇଥବାବେଳେ ବିଏମ୍‌ସି ପକ୍ଷରୁ ଆଜି ସନ୍ଧ୍ୟାରୁ ମଶାଧୂଆଁ ପ୍ରୟୋଗ ଆରମ୍ଭ ହୋଇଛି।

ସାଲିଆସାହିର ଡେଙ୍ଗୁ ବ୍ୟାପିବା ପାଇଁ ସମସ୍ତ ପରିସ୍ଥିତି ମହଜୁଦ ରହିଛି। ଚାରିଆଡ଼େ ପୁତିଗନ୍ଧମୟ ପରିବେଶ, କୁଢ଼ କୁଢ଼ ମଇଳା ଓ ବିଭିନ୍ନ ସ୍ଥାନରେ ଜମି ରହୁଥିବା ଆବର୍ଜନା ପାଣି ଡେଙ୍ଗୁକୁ ଆମନ୍ତ୍ରଣ କରୁଛି। ଏହାସହିତ ନୀଳଚକ୍ରନଗର, ନୟାଗଡ଼ସାହି ଓ ସତ୍ୟନାରାୟଣ ବସ୍ତିର ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଜମା ହେଉଛି ବିଭିନ୍ନ ଡ୍ରେନ୍‌ରୁ ଆସୁଥିବା ଆବର୍ଜନା। ତେଣୁ ସାଲିଆସାହିରେ ସ୍ୱଚ୍ଛତା ରକ୍ଷା ପ୍ରତି ବିଏମ୍‌ସିର ଚରମ ଅବହେଳା ଏବଂ ଡେଙ୍ଗୁ ରୋକିବା କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗର ସ୍ଥାଣୁତା ଜଳଜଳ ହୋଇ ଦିଶୁଛି। ମେଫେୟାର୍‌ ବସ୍ତି, ନୀଳଚକ୍ରନଗର, ନୟାଗଡ଼ସାହି, ଶରଣକୁଳ ବସ୍ତି ଆଦି ଅଞ୍ଚଳରେ ଘରେ ଘରେ ଡେଙ୍ଗୁ ରୋଗୀ ରହିଥିବା ଜଣା ପଡ଼ିଛି। ଜଣେ ୧୭ବର୍ଷୀୟ ନାବାଳିକାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଖବରକୁ ତାଙ୍କ ପରିବାର ଲୋକ ସ୍ୱୀକାର କରିଛନ୍ତି। କନ୍ଧମାଳ ଜିଲା ଟିକାବାଲି ତହସିଲ ଅଧୀନରେ ଥିବା ବାଡ଼୍‍ରୁଗୁଡ଼ା ଗ୍ରାମର ଏହି ନାବାଳିକା ଜଣଙ୍କ ନିଜ ପରିବାର ସହିତ ସାଲିଆସାହିର ମେଫେୟାର ବସ୍ତିରେ ରହୁଥିଲେ। ପ୍ରଥମେ ଜ୍ୱରରେ ଆକ୍ରାନ୍ତ ପରେ ସେ ଚିକିତ୍ସା ପାଇଁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁର କାରଣ ଡେଙ୍ଗୁ ବୋଲି ଡାକ୍ତରୀ ରିପୋର୍ଟରେ ପ୍ରକାଶ ପାଇଥିଲା। ସେହିପରି ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ମଧ୍ୟ ଡେଙ୍ଗୁ ଯୋଗୁଁ ହୋଇଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

କିଛି ସ୍ଥାନୀୟ ବାସିନ୍ଦା ଆଜି ‘ସମ୍ବାଦ’କୁ ଅନେକ ରୋଚକ ତଥ୍ୟ ପ୍ରଦାନ କରିଛନ୍ତି। ଡେଙ୍ଗୁରେ ପୀଡ଼ିତ ହୋଇଥିବା ବ୍ୟକ୍ତି କ୍ୟାପିଟାଲ୍‌ ହସ୍ପିଟାଲ୍‌ ଚିକିତ୍ସା ପାଇଁ ଯାଉଥିବାବେଳେ ସେଠାରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ଏହାସହିତ ସେଠାରେ ରକ୍ତ ପରୀକ୍ଷାରୁ ଟାଇଫଏଡ୍‌ ରିପୋର୍ଟ ବାହାରୁଥିବାବେଳେ ଘରୋଇ ହସ୍ପିଟାଲ୍‌ରେ ସେହି ରୋଗୀର ଡେଙ୍ଗୁ ହୋଇଥିବା ରିପୋର୍ଟ ଆସୁଛି। ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବା ଲୋକେ କହିଛନ୍ତି।

ବିଏମ୍‌ସିର ଚେତା ପଶିଲା
ସାଲିଆସାହିରେ ବ୍ୟାପିଥିବା ଡେଙ୍ଗୁର ମୁକାବିଲା ପାଇଁ ବିଏମ୍‌ସି ଆଜି ତତ୍ପରତା ଦେଖାଇଛି। ଛୁଟିଦିନ ହୋଇଥିବା ସତ୍ତ୍ୱେ ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‌ସି କମିସନର କ୍ରିଷନ କୁମାର ଆଜି ଏକ ଜରୁରୀ ବୈଠକ ଡାକି ନଗର ସ୍ୱାସ୍ଥ୍ୟ ଅଧିକାରୀ, ବିଭାଗୀୟ ଡେପୁଟି କମିସନର ଏବଂ ନଗର ସ୍ୱାସ୍ଥ୍ୟ ସମିତିର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶସ, ଜନ ସ୍ୱାସ୍ଥ୍ୟ ବିଭାଗ ଏବଂ ବିଏମ୍‌ସିର ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଭିନ୍ନ ଭିନ୍ନ ଦଳ ସଂପୃକ୍ତ ଅଂଚଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ବିଏମ୍‌ସି ପକ୍ଷରୁ ସାଲିଆସାହିର ବିଭିନ୍ନ ଅଂଚଳରେ ଆଜି ସନ୍ଧ୍ୟାରେ ଫଗିଂ ମେସିିନ୍‌ (ଧୂଆଁ ଗାଡ଼ି) ବୁଲିଛି। ମଶା ବଂଶ ବଢ଼ୁଥିବା ସନ୍ଦିଗ୍ଧ ସ୍ଥାନଗୁଡ଼ିକୁ ସଫା କରାଯାଇଛି। ପରିମଳ ଅଧିକାରୀମାନେ ଅଧିକ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ଏହି ଅଂଚଳରେ ନିୟୋଜିତ କରି ସ୍ୱତନ୍ତ୍ର ସଫେଇ ଅଭିଯାନ କରିଛନ୍ତି। ଆସନ୍ତାକାଲି ଠାରୁ କେତେକ ବରିଷ୍ଠ ଅଧିକାରୀ ଏହି ସବୁ ଅଂଚଳର ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ୱାର୍ଡ ଗସ୍ତ କରିବେ। ୱାର୍ଡ ପରିମଳର ସମସ୍ତ ବିବରଣୀ ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ କମିସନରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀ କଲ୍ୟାଣ ସମିତି ଏବଂ କମ୍ୟୁନିଟି ଅର୍ଗାନାଇଜେସନ୍‌ର ସହଯୋଗରେ ଏହି ସବୁ ଅଂଚଳରେ ବ୍ୟାପକ ସଚେତନ କାର୍ଯ୍ୟ ହାତକୁ ନିଆଯିବ ବୋଲି ଆଜି ନିଷ୍ପତ୍ତି ହୋଇଛି। ରବିବାରଠାରୁ ଏଠାରେ ଡେଙ୍ଗୁ ସଚେତନତା ପାଇଁ ଲିଫ୍‌ଲେଟ୍‌ ବି ବଣ୍ଟାଯିବ। ସେହିଭଳି ସାଲିଆସାହିର ବିଭିନ୍ନ ଅଂଚଳରେ ଏକାଧିକ ଗୋଷ୍ଠୀ ସ୍ତରୀୟ ସଚେତନତା ବୈଠକ ଆୟୋଜନ କରାଯାଇ ଲୋକଙ୍କୁ ସିଧାସଳଖ ଡେଙ୍ଗୁ ନିରାକରଣ ସଂକ୍ରାନ୍ତରେ ବୁଝାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର