ଖଣ୍ଡଗିରି: ଆସନ୍ତା ମାର୍ଚ୍ଚ ମାସରୁ ଭଡ଼ାଘରେ ଚାଲୁଥିବା ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ୟୁଏଚ୍‌ଡବ୍ଲ୍ୟୁସି)କୁ ଘରଭଡ଼ା ଟଙ୍କା ସ୍ବାସ୍ଥ୍ୟ ବିଭାଗ ଆଉ ଦେବ ନାହିଁ। ସ୍ବାସ୍ଥ୍ୟବିଭାଗର ଏଭଳି ନିଷ୍ପତ୍ତି ପରେ ଏବେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସ) ପକ୍ଷରୁ ସ୍ବାସ୍ଥ୍ୟସେବା କିଭଳି ପ୍ରଭାବିତ ନହେବ ସେ ନେଇ ମାନସ ମନ୍ଥନ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ବିକଳ୍ପ ପାଉ ନଥିବା ୪ଟି ୟୁଏଚ୍‌ଡବ୍ଲ୍ୟୁସିର ଘରଭଡ଼ା ବାବଦ ଟଙ୍କା  ବିଏମ୍‌ସି ଦେବାକୁ ଯୋଜନା କରୁଛି। ଅନ୍ୟ ଭଡ଼ାଘରେ ଚାଲିଥିବା କେନ୍ଦ୍ରଗୁଡ଼ିକୁ ମାର୍ଚ୍ଚ ମାସ ପୂର୍ବରୁ କୌଣସି ବରିଷ୍ଠ ନାଗରିକ ସଂଘ, କମ୍ୟୁନିଟି ହଲ୍ ଭଳି ସର୍ବସାଧାରଣ ବ୍ୟବହାର ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଅନ୍ୟପକ୍ଷେ ଏହି ଘରଗୁଡ଼ିକ ସ୍ଥାନାନ୍ତରିତ ପରେ ଲୋକଙ୍କୁ ଉଚିତ ସେବା ନ ମିଳିବା ନେଇ ଆଶଙ୍କା କରି ବିଏମ୍‌ସି ଅନ୍ୟ ସମସ୍ତ ଘର ପାଇଁ ମଧ୍ୟ ଭଡ଼ା ଯୋଗାଉ ବୋଲି ଦାବି ହେଲାଣି। ଭୁବନେଶ୍ବରରେ ୧୮ଟି ୟୁଏଚ୍‌ଡବ୍‌ଲୁସି ରହିଛି।

Advertisment

Good News: ତୁମୁଣିରେ ଘର ତୋଳିବାକୁ ନେଇ ଗାଁ ଏକତା

ବରମୁଣ୍ଡା ରେଣ୍ଟାଲ କଲୋନି, ଭିଏସ୍‌ଏସ୍‌ନଗର, ସାମନ୍ତରାପୁର ଓ ଆଚାର୍ଯ୍ୟବିହାର କେନ୍ଦ୍ରର ନିଜସ୍ୱ ଘର ରହିଛି। ଅନ୍ୟ ୧୪ଟି କେନ୍ଦ୍ର ଯଥା, ଲକ୍ଷ୍ମୀସାଗର, ଆଇଗିଣିଆ, ବଡ଼ଗଡ଼ ଶବରସାହି, ଚକେଇସିଆଣି, ପଳାସପଲ୍ଲୀ, ସୁନ୍ଦରପଦା, କଳିଙ୍ଗବିହାର, ସେକ୍ଟର -୫ ନୀଳାଦ୍ରିବିହାର, ପାତ୍ରପଡ଼ା, ଶ୍ରୀବିହାର, ହଂସପାଳ, ପଳାଶୁଣୀ, କଳାରାହାଙ୍ଗ, ଫକିରମୋହନନଗର‌ରେ ଭଡ଼ାଘରେ ଚାଲିଛି। ଏବେ ସେକ୍ଟର -୫ ନୀଳାଦ୍ରିବିହାର, ପଳାସପଲ୍ଲୀ, ଲକ୍ଷ୍ମୀସାଗର, ହଂସପାଳରେ ଥିବା କେନ୍ଦ୍ରକୁ ସ୍ଥାନାନ୍ତରିତ ନକରି ବିଏମ୍‌ସି ତା’ର ଭଡ଼ା ବାବଦକୁ ଟଙ୍କା ଦେବାକୁ ‌ଯୋଜନା କରୁଛି। ଏ ନେଇ ଖୁବ୍‌ଶିଘ୍ର କମିସନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହେବା ପରେ ନିଷ୍ପତ୍ତି ନିଆଯିବ। ଅବଶିଷ୍ଟ କେନ୍ଦ୍ରଗୁଡ଼ିକର ସ୍ଥାନାନ୍ତରଣ ନେଇ ମଧ୍ୟ ବିବାଦ ଦେଖାଦେଇଛି। 

ସମସ୍ତ କେନ୍ଦ୍ରକୁ ଟଙ୍କା ଦେବାକୁ ‌ଦାବିଏପଟେ ସ୍ଥାନାନ୍ତରଣ ଦାୟିତ୍ବ ସମ୍ପୃକ୍ତ ଅଞ୍ଚଳର କର୍ପୋରେଟରମାନଙ୍କୁ ଦେବାପରେ କର୍ପୋରେଟ୍‌ଙ୍କ ଅକଲ ଗୁଡ଼ୁମ ହେଉଛି। ପ୍ରତି ଅଞ୍ଚଳରେ କମ୍ୟୁନିଟି ହଲ୍‌ ଭଳି ସୁବିଧା ନାହିଁ। ଯେଉଁଠି ବି ଅଛି ସେଥିରେ ୟୁଏଚ୍‌ଡବ୍ଲ୍ୟୁସି ପାଇଁ ଭିତ୍ତିଭୂମି ନାହିଁ। କେବଳ ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ଜରୁରି ହୋଇଥିବାରୁ କାମଚଳା ଭଳି ସ୍ଥାନ ଚିହ୍ନଟ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟପରୀକ୍ଷା ସହ ଔଷଧ, ଗର୍ଭବତୀ, ଶିଶୁମାନଙ୍କ ଟିକା, ପୋଷଣ ବ୍ୟବସ୍ଥା ଉପଲବ୍ଧ କରାଇବା ଏକ କଷ୍ଟକର ବ୍ୟାପାର ହେବ। ତେଣୁ କର୍ପୋରେଟରମାନେ କେନ୍ଦ୍ର ପାଇଁ ଜମି ଯୋଗାଇ ଦେବାକୁ ବିଏମ୍‌ସି ଓ ସାଧାରଣ ପ୍ରଶାସନ ବିଭାଗ (ଜିଏ)କୁ ଅନୁ‌ରୋଧ କରିଛନ୍ତି। ଗତ କର୍ପୋରେସର ବୈଠକରେ ମଧ୍ୟ ଏକାଧକ କର୍ପୋରେଟର ଏ ନେଇ ଅସନ୍ତୋଷ ଝାଡ଼ିଛନ୍ତି।

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ପିଛା ଘରଭଡ଼ା ବାବଦକୁ ମାସିକ ସର୍ବନିମ୍ନ ୨୪ ହଜାର ହିସାବରେ ୧୪ଟି କେନ୍ଦ୍ର ପାଇଁ ୩ଲକ୍ଷ ୩୬ହଜାର ଟଙ୍କା ଖର୍ଚ୍ଚ ହେଉଛି। ମାର୍ଚ୍ଚ ମାସରୁ ଘରଭଡ଼ା ବନ୍ଦ ହେବା ପରେ, ସ୍ବାସ୍ଥ୍ୟସେବା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରପାଇଁ ବିଏମ୍‌ସି ‌କେବଳ ୪ଟି ନୁହେଁ ୧୪ଟି ‌କେନ୍ଦ୍ର ପାଇଁ ଟଙ୍କା ପ୍ରଦାନ କରିବାକୁ ଦାବି ହେଉଛି। ଏ ନେଇ ୨୪ ନମ୍ବର ୱାର୍ଡ କର୍ପୋରେଟର ଦୀପକ ମିଶ୍ର କହିଛନ୍ତି, କମ୍ୟୁନିଟି ସେଣ୍ଟର୍‌ ସ୍ବାସ୍ଥ୍ୟସେବା ଯୋଗାଇବା ଆଦୌ ଉପଯୁକ୍ତ ସ୍ଥାନ ନୁହେଁ। ଲୋକଙ୍କ ଆବଶ୍ୟକତାକୁ ନଜରରରେ ରଖି କେନ୍ଦ୍ର ପାଇଁ ନିଜସ୍ୱ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ନ ହେବା ପର୍ଯ୍ୟନ୍ତ ବିଏମ୍‌ସ ଭଡ଼ା ବ୍ୟବସ୍ଥା କରୁ। ଏ ନେଇ ମେୟର ସୁଲୋଚନା ଦାସ କହିଛନ୍ତି ଯେ, ୟୁଏଚ୍‌ଡବ୍ଲ୍ୟୁରୁ ସାଧାରଣ ଲୋକେ ଉପକୃତ ହେଉଛନ୍ତି। ‌‌ଭଡ଼ାଘରେ ଚାଲିଥିବା ୧୦ଟି କେନ୍ଦ୍ର ସ୍ଥାନାନ୍ତରିତ କରାଯିବ। ସ୍ଥାନାନ୍ତରିତ ହେବାକୁ ଥିବା କୋଠାକୁ ମରାମତି କରି ସେବା ଯୋଗାଇ ଦିଆଯିବ। ବାକି ୪କେନ୍ଦ୍ରର ଭଡ଼ା ବର୍ତ୍ତମାନ ପରିପ୍ରେକ୍ଷୀରେ ବିଏମ୍‌ସି ପ୍ରଦାନ କରିବ। କେନ୍ଦ୍ରସରକାର ଓ ସ୍ବାସ୍ଥ୍ୟବିଭାଗକୁ ଏ ସମସ୍ତ କେନ୍ଦ୍ରର ଭଡ଼ା ଯୋଗାଇ ଦେବାକୁ ଚିଠି ଲେଖାଯାଇଛି।