ଶେଷରେ ମାନିଲା ସ୍ୱାସ୍ଥ୍ୟ ବିଭାଗ : ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ସାଲିଆସାହିର କଳାବତୀ

ରାଜଧାନୀରେ ଆଉ ୬ ଡେଙ୍ଗୁରୋଗୀ ଚିହ୍ନଟ

ଭୁବନେଶ୍ୱର : ଗତ ୩ଦିନ ଧରି ମନା କରିବା ପରେ ଶେଷରେ ମାନିଲା ସ୍ୱାସ୍ଥ୍ୟ ବିଭାଗ। ସାଲିଆସାହିର କଳାବତୀ ବେହେରାଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଫଳରେ ସରକାରୀ ଭାବେ ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

ଗତ ୭ତାରିଖରେ ସାଲିଆସାହି କଳାବତୀ ବେହେରାଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ନେଇ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଏହାକୁ ଡେଙ୍ଗୁ ଜନିତ ମୃତ୍ୟୁ ବୋଲି ସ୍ୱୀକାର କରି ନ ଥିଲା। ନିଜ ଅପାରଗତା ଲୁଚାଇବାକୁ ବିଭାଗୀୟ ଅଧିକାରୀମାନେ ଏହାକୁ ଅସ୍ୱୀକାର କରି ଆସୁଥିଲେ । ତେବେ ଆଜି କ୍ୟାପିଟାଲ ହସ୍ପିଟାଲର ମେଡିକାଲ ମାଇକ୍ରୋବାଇଓଲୋଜି ବିଭାଗର ରିପୋର୍ଟ ‘ସମ୍ବାଦ’ର ହସ୍ତଗତ ହୋଇଛି। ଏଲିସା ପରୀକ୍ଷାରେ ଡେଙ୍ଗୁ ପଜିଟିଭ୍‌ ରହିଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ସେହିପରି ୮ତାରିଖରେ ସାଲିଆସାହିର ଦୀନବନ୍ଧୁ ଖିଲାର ନାମ ଜଣେ ବ୍ୟକ୍ତିଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିଲା। ପରିବାର ଲୋକ ଏହାକୁ ଡେଙ୍ଗୁଜନିତ ମୃତ୍ୟୁ ବୋଲି ଦାବି କରୁଛନ୍ତି। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଏ ପର୍ଯ୍ୟନ୍ତ ଏହା ଡେଙ୍ଗୁ ଜନିତ ମୃତ୍ୟୁ କି ନୁହେଁ ତାହା ସ୍ପଷ୍ଟ କରାଯାଇନାହିଁ।

ସାଲିଆସାହିର ଘରେ ଘରେ ଡେଙ୍ଗୁ ହୋଇଥିବା ରିପୋର୍ଟ ଗତ ୩ତାରିଖରେ ପ୍ରକାଶ ପାଇଥିଲା। ଏହାପରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସାଲିଆସାହିକୁ ଘନ ଘନ ଗସ୍ତ କରିବା ସହିତ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ସତ୍ତ୍ୱେ ସାଲିଆସାହିରେ ଏ ପର୍ଯ୍ୟନ୍ତ ଡେଙ୍ଗୁ ନିୟନ୍ତ୍ରଣକୁ ଆସିପାରି ନାହିଁ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତବାକ, ଆଜି ରାଜଧାନୀରେ ୬ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ତହିଁରେ ୨ଜଣ ସାଲିଆସାହିର ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଏବେ ୧୧ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଏଥିରେ କେବଳ ୪ଜଣ ସାଲିଆସାହିର ବୋଲି ଜଣାପଡ଼ିଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ସାଲିଆସାହିର କଳାବତୀ ବେହେରାଙ୍କ ଏସ୍‌ସିବି ମେଡିକାଲ କଲେଜରେ ମୃତ୍ୟୁ ହୋଇଥିଲା। ଏଥିପାଇଁ ଏସ୍‌ସିବି କର୍ତୃପକ୍ଷଙ୍କୁ ରିପୋର୍ଟ ମଗା ଯାଇଛି। ମାତ୍ର ସେଠାରୁ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସିନାହିଁ। ଯେହେତୁ କଳାବତୀ ଡେଙ୍ଗୁରେ ଚିକିତ୍ସିତ ହେଉଥିଲେ ତେଣୁ ଏହି ଆଧାରରେ ସନ୍ଦେହଜନକ ଡେଙ୍ଗୁ ମୃତ୍ୟୁ ବୋଲି ଘୋଷଣା କରାଯାଇଛି। ଚଳିତବର୍ଷ ଏହା ରାଜଧାନୀର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ। ସାଲିଆସାହିରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୂର୍ବରୁ ସେଠାରେ ୧୫ଜଣ ସ୍ୱାସ୍ଥ୍ୟ କର୍ମୀ କାର୍ଯ୍ୟ କରୁଥିବା ବେଳେ ଆଜି ଆହୁରି ୧୫ଜଣ ଡେଙ୍ଗୁ ସ୍ୱେଚ୍ଛାସେବୀଙ୍କୁ କାର୍ଯ୍ୟରେ ଲଗାଯାଇଛି। ଏହି ଡେଙ୍ଗୁ ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରିବା ସହିତ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ ସେଥିପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି। ସାଲିଆସାହି ଡେଙ୍ଗୁ ସହିତ ମ୍ୟାଲେରିଆ ପ୍ରବଣ ଅଞ୍ଚଳ। ସାଲିଆସାହିରୁ ଯେଉଁ ବ୍ୟକ୍ତିଙ୍କୁ ଜ୍ୱର ହେଉଥିବା ଜଣାପଡ଼ୁଛି ସେମାନଙ୍କର ବାଧ୍ୟତାମୂଳକ ଭାବେ ମ୍ୟାଲେରିଆ ପରୀକ୍ଷା କରାଯାଉଛି। ଏବେର ସମୟ ଡେଙ୍ଗୁ ବ୍ୟାପିବାର ପ୍ରକୃଷ୍ଟ ସମୟ ହୋଇଥିବାରୁ ଆସନ୍ତା ଜାନୁଆରି ମାସ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ବିଏମ୍‌ସି ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଫଗିଂ ଜାରି ରହିଥିବା ବେଳେ ଡ୍ରେନ୍‌ରେ ମଶା ତେଲା ପକାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର