ହରଡ଼ଘଣାରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ: ତଥ୍ୟ ଦେଲେନି, ଏବେ କ୍ଷତିପୂରଣ ଦେବେ

ଭୁବନେଶ୍ବର: ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଛି। କେତେକ ଖସି ଯାଉଥିବା ବେଳେ କେତେକ ଦୃଢ଼ କାର୍ଯ୍ୟାନୁଷ୍ଠାନର ଶିକାର ମଧ୍ୟ ହୋଇଛନ୍ତି। ଏବେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ବିରୋଧରେ ଏମିତି ଘଟଣା ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ଅଧିକାରୀ ତଥ୍ୟ ନ ଦେଇ ଏବେ ମୋଟା ଅଙ୍କର କ୍ଷତିପୂରଣ ଗଣିବାକୁ ଯାଉଛନ୍ତି। ତଥ୍ୟ ନ ମିଳିବାରୁ ମାମଲା ସୂଚନା କମିସନରଙ୍କ ପାଖକୁ ଯିବା ପରେ ଏହି ଆଦେଶ ହୋଇଛି। ଅଭିଯୁକ୍ତ ଅଧିକାରୀ ହେଉଛନ୍ତି, ଦଶପଲ୍ଲା ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର ତତ୍‌କାଳୀନ ଜନସୂଚନା ଅଧିକାରୀ ନୀଳମାଧବ ଶତପଥୀ। ୩୦ ଦିନ ମଧ୍ୟରେ କ୍ଷତିପୂରଣ ଦାଖଲ ନ କଲେ ନୟାଗଡ଼ ସିଡିଏମ୍‌ଓ ତାଙ୍କ ନାମରେ ଏତଲା ଦେବାକୁ ଆଦେଶ ଦେଇଛନ୍ତି କମିସନର।

ସୂଚନା‌ ମୁତାବକ, ନୟାଗଡ଼ ଦଶପଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋର୍ଧା ଗୁରୁଜଙ୍ଗର ବନବିହାରୀ ସାହୁ ବରିଷ୍ଠ କିରାଣୀ ଭାବରେ ଚାକିରି କରୁଥିଲେ। ସେଠାରୁ ଦଶପଲ୍ଲା ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରକୁ ଡେପୁଟେସନ୍‌ରେ ଯାଇଥିଲେ। ସେଠାରୁ ୨୦୦୨ ସେପ୍ଟେମ୍ବର୍‌ ୬ ତାରିଖରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହା ପରେ ସେ ପେନ୍‌ସନ୍‌ ଓ ଗ୍ରାଚ୍ୟୁଇଟି ପାଇଁ ଆବେଦନ କରିଥିଲେ। କିନ୍ତୁ ଇତି ମଧ୍ୟରେ ୨୦୦୩ ମସିହା ଜୁନ୍‌ ୧୯ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଯେତେବେଳେ ପେନ୍‌ସନ୍, ଗ୍ରାଚ୍ୟୁଇଟି ତଥା ଅନ୍ୟାନ୍ୟ ଅବସରକାଳୀନ ସୁବିଧା ଆସିଲା, ସେତେବେଳେ ବନବିହାରୀଙ୍କ କନ୍ୟା ନଳିନୀପ୍ରଭା ସାହୁଙ୍କ ନାମ ନଥିଲା। ନିୟମ ମୁତାବକ ଏହି ସୁବିଧା ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ଓ ଅବିବାହିତ କିମ୍ବା ଛାଡ଼ପତ୍ରପ୍ରାପ୍ତ କନ୍ୟା(ଘରେ ରହୁଥିଲେ) ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ନଳିନୀପ୍ରଭାଙ୍କର ବିବାହ ପରେ ବିବାହ ବିଚ୍ଛେଦ ହୋଇଥିଲା। ସେ ଆସି ବାପ(ବନବିହାରୀଙ୍କ)ଘରେ ରହୁଥିଲେ। ଏଣୁ ସେ ମଧ୍ୟ ଏହି ସୁବିଧା ପାଇବା କଥା। ତାଙ୍କର ନାମ ନ ଥିବାରୁ ଏହାର କାରଣ ଜାଣିବା ପାଇଁ ସେ ନୟାଗଡ଼ ସିଡିଏମ୍‌ଓଙ୍କୁ ବନବିହାରୀଙ୍କର ପେନ୍‌ସନ୍‌ ଓ ଗ୍ରାଚ୍ୟୁଇଟି ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ସୂଚନା ଅଧିକାର ଆଇନ ବଳରେ ମାଗିଥିଲେ।

୨୦୧୬ ମସିହାରୁ ସେ ଏହି କାଗଜପତ୍ର ମାଗିଥିଲେ ମଧ୍ୟ ୨୦୨୧ ମସିହା ପର୍ଯ୍ୟନ୍ତ ଅଧିକାରୀମାନେ ତାଙ୍କୁ କାଗଜପତ୍ର ନ ଦେଇ ଦଉଡ଼ାଇଥିଲେ। ଶେଷରେ ହତାଶ ହୋଇ ସେ ସୂଚନା କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। କମିସନ ମାମଲାର ବିଚାର କରି ଦଶପଲ୍ଲା ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର ତତ୍‌କାଳୀନ ଜନସୂଚନା ଅଧିକାରୀ ନୀଳମାଧବ ଶତପଥୀଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇଛନ୍ତି। ଗତ ଜାନୁଆରି ୧୨ତାରିଖରେ ଏହି ଆଦେଶ ହୋଇଛି। ୩୦ ଦିନ ମଧ୍ୟରେ ଅର୍ଥାତ୍‌ ଆସନ୍ତାକାଲି ସୁଦ୍ଧା ଏହା କାର୍ଯ୍ୟକାରୀ ନ ହେଲେ ବା ଅଭିଯୁକ୍ତ ଅଧିକାରୀ ଏହି କ୍ଷତିପୂରଣ ଦାଖଲ ନ କଲେ ତାଙ୍କ ନାମରେ ଏତଲା ଦେବାକୁ ନୟାଗଡ଼ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତା’ ସହ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହାକୁ ନିଶ୍ଚିତ କରିବେ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ। ଏ ବାବଦରେ ସୂଚନା କମିସନରଙ୍କୁ ଏକ ଆକ୍ସନ ଟେକେନ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶକଙ୍କୁ ଆଦେଶ ହୋଇଛି।

ସମ୍ବନ୍ଧିତ ଖବର