କଳିଙ୍ଗ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ଉ

୨ ଅଲଟ୍ରାସାଉଣ୍ଡ ମେସିନ୍‌ ଓ କାଗଜପତ୍ର ଜବତ ନିୟମ ଉଲ୍ଲଂଘନ କରି ଚାଲିଥିଲା ପରୀକ୍ଷା

ଭୁବନେଶ୍ବର: ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉର ଦୁଇଦିନ ନ ପୂରୁଣୁ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢ଼ଉ କରାଯାଇଛି। ପିସି ଏଣ୍ଡ ପିଏନ୍‌ଡିଟି ଆଇନ ଅନୁସାରେ ଆଜି ସ୍ବାସ୍ଥ୍ୟ ବିଭାଗ ହସ୍ପିଟାଲରେ ଥିବା ଅଲଟ୍ରାସାଉଣ୍ଡ ମେସିନ୍‌ର ଯାଞ୍ଚ କରିଥିଲା। ନିୟମ ଉଲ୍ଲଂଘନ କରି ହସ୍ପିଟାଲ କର୍ତୃପକ୍ଷ ଅଲଟ୍ରାସାଉଣ୍ଡ‌ ମେସିନ୍‌ ଚଳାଉଥିବା ନଜରକୁ ଆସିଛି। ତେଣୁ ଉକ୍ତ ମେସିନକୁ ଜବତ କରାଯାଇଛି। ଯାଞ୍ଚ ସଂପର୍କିତ ସବିଶେଷ ରିପୋର୍ଟ ପ୍ରଦାନ କରାଯିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଖୋର୍ଧା ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ପିସିପିଏନ୍‌ଡିଟି ସେଲ୍‌ ପକ୍ଷରୁ ମିଳିତ ଭାବେ ଆଜି କଳିଙ୍ଗ ହସ୍ପିଟାଲରେ ଚଢ଼ଉ ହୋଇଛି। ୩ ଜଣିଆ ଟିମ୍ କଳିଙ୍ଗ ହସ୍ପିଟାଲରେ ଦିନ ୧୧ଟାରେ ପହଞ୍ଚିଥିଲେ। ଚଢ଼ଉ ସମୟରେ ଡାକ୍ତରଖାନାରେ ପିସିପିଏନ୍‌ଡିଟି ଆଇନ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ବହୁ ସ୍ଥାନରେ ଆଇନ ବହିର୍ଭୂତ କାର୍ଯ୍ୟ ହୋଇଛି। ଅଲଟ୍ରାସାଉଣ୍ଡ କରୁଥିବା ଗର୍ଭବତୀ ମହିଳାମାନଙ୍କର ରେକର୍ଡପତ୍ର ମିଳି ନ ଥିଲା। ଗର୍ଭବତୀମାନଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ‘ଏଫ୍‌’ରେ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତାମୂଳକ ଥିବା ବେଳେ ଅନେକ ଫର୍ମରେ ଦସ୍ତଖତ ନଥିବା ଯାଞ୍ଚ ବେଳେ ଅଧିକାରୀ ମାନେ ପାଇ ନ ଥିଲେ। ଯାହାଫଳରେ ଗର୍ଭସ୍ଥ ଶିଶିରୁ ଲିଙ୍ଗ ନିରୂପଣ କରାଯାଉଥିବା ଯାଞ୍ଚ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ତେଣୁ ହସ୍ପିଟାଲର ୨ଟି ଅଲଟ୍ରାସାଉଣ୍ଡ ୟୁନିଟ୍‌ ସମେତ କାଗଜପତ୍ରକୁ ଜବତ କରାଯାଇଛି। ପୂର୍ବରୁ ଖୋର୍ଧା ଜିଲ୍ଲା ପ୍ରଶାସନ ମଧ୍ୟ ଗୋଟିଏ ଅଲଟ୍ରାସାଉଣ୍ଡ ମେସିନ୍ ଜବତ କରିଥିଲା। ଏହି ଘଟଣାରେ ଡାକ୍ତରଖାନା କର୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଯାଞ୍ଚ ସଂପର୍କିତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ପରେ ଆଇନ ଅନୁସାରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି।

ଯାଞ୍ଚ ଟିମ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହକାରୀ ପ୍ରତିନିଧି ପୁରନ୍ଦର ନନ୍ଦ, ପରିବାର କଲ୍ୟାଣର ଯୁଗ୍ମ ନିର୍ଦେଶକ ଡା. ବିନୋଦ ବିହାରୀ ରଥ, ପିସିପିଏନ୍‌ଡିଟି ଆଇନ ପରାମର୍ଶଦାତା ଏମ୍‌. ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ନେତୃତ୍ବ ନେଇଥିଲେ। ଉଲ୍ଲେଖ ଯେ, ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢ଼ଉ କରାଯିବା ସହିତ ରୋଗୀଙ୍କୁ ଦିଆଯାଉଥିବା ୬ପ୍ରକାରର ଔଷଧ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ହସ୍ପିଟାଲ କର୍ତୃପକ୍ଷ ଏହାକୁ ରୋଗୀଙ୍କୁ ପ୍ରଦାନ କରିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି। ଏହା ପୂର୍ବରୁ ହସ୍ପିଟାଲରେ ବିଧାୟକ ମୋହନ ମାଝିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟ ଚିକିତ୍ସା ପାଣ୍ଠି ବା ଓଏସ୍‌ଟିଏଫ୍‌କୁ ସାମୟିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି।

ସମ୍ବନ୍ଧିତ ଖବର