ମେଣ୍ଢାଶାଳ ସିଏଚ୍‌ସିର କ୍ଲିନିକାଲ୍‌ ସେବାରୁ ଓହରିବ ସ୍ବାସ୍ଥ୍ୟ ବିଭାଗ

କ୍ଷେତ୍ରସ୍ତରୀୟ କାର୍ଯ୍ୟକୁ ବାଦ୍ ଦେଇ ହସ୍ପିଟାଲ ଚଳାଇବ ଏମ୍‌ସ

ଭୁବନେଶ୍ବର : ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସିର ସମସ୍ତ କ୍ଲିନିକାଲ ସେବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓହରିଯିବ। କେବଳ କ୍ଷେତ୍ରସ୍ତରୀୟ କାର୍ଯ୍ୟକୁ ବାଦ୍ ଦେଲେ ବାକି ସବୁ କିଛି ଏମ୍‌ସ ଭୁବନେଶ୍ବର ପରିଚାଳନା କରିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ସିଏଚ୍‌ସି ମେଣ୍ଢାଶାଳ ପୂର୍ବରୁ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ପିଏଚ୍‌ସି ଭାବେ କାର୍ଯ୍ୟ କରୁଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ ସିଏଚ୍‌ସିର ମାନ୍ୟତା ଦେଇଥିଲେ। ଏଠାରେ ୪ଟି ବିଶେଷଜ୍ଞ ଡାକ୍ତର ପଦବି ରହିଛି। ଭୁବନେଶ୍ବର ଏମ୍‌ସ ଅଧୀନରେ ମେଣ୍ଢାଶାଳ ସିଏଚ୍‌ସିକୁ ଗ୍ରାମୀଣ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର ବା ଆରଏଚ୍‌ଟିସି ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଏମ୍‌ସର ୨୦୧୯ ସେପ୍ଟେମ୍ବର ୨୩ରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ୧୦ବର୍ଷ ପାଇଁ ଏହି ଚୁକ୍ତି ରହିଛି। ତେବେ ୩ବର୍ଷ ଭିତରେ ସେଠାରେ ଏକ ତାଲିମ କେନ୍ଦ୍ର ସହିତ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଥିଲା ଏମ୍‌ସ। ଏମ୍‌ସ ମେଡିକାଲରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ୩ ମାସିଆ ତାଲିମ ସହ ରୋଗୀ ସେବା ପାଇଁ ମଧ୍ୟ ସୁଯୋଗ ରହିଥା’ନ୍ତା। ଏଥିପାଇଁ ଏମ୍‌ସ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ଏକର ଜାଗା ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାର ମେଣ୍ଢାଶାଳ ସିଏଚ୍‌ସି ନିକଟରେ ସରକାରଙ୍କ ପକ୍ଷରୁ ଏକ ଜାଗା ଚିହ୍ନଟ କରିଥିଲେ। କିନ୍ତୁ ବିଭିନ୍ନ କାରଣ ପାଇଁ ତାହା ଏମ୍‌ସକୁ ହସ୍ତାନ୍ତର ହୋଇପାରିଲା ନାହିଁ। ଫଳରେ ଅତ୍ୟାଧୁନିକ ବିଲ୍ଡିଂ ନିର୍ମାଣ ପୂର୍ବଭଳି ଅଟକି ରହିଛି।

ପରବର୍ତ୍ତୀ ସମୟରେ ଏହି ସ୍ବାସ୍ଥ୍ୟାନୁଷ୍ଠାନକୁ ଏମ୍‌ସର ଆରଏଚ୍‌ଟିସି ପାଇଁ ସଂପୂର୍ଣ୍ଣ ଭାବେ ହସ୍ତାନ୍ତର କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ଆଜି ସ୍ବାସ୍ଥ୍ୟ ବିଭାଗ ଓ ଏମ୍‌ସର ଅଧିକାରୀମାନଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇଥିଲା। ହେଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହି ପ୍ରସ୍ତାବରେ ରାଜି ହୋଇନାହିଁ। ଯେହେତୁ ଏହି ସ୍ବାସ୍ଥ୍ୟାନୁଷ୍ଠାନ ଅଧୀନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଚାଲୁଛି ଓ କର୍ମଚାରୀ ରହିଛନ୍ତି, ତେଣୁ ସଂପୂର୍ଣ୍ଣ ହସ୍ତାନ୍ତର ହେ‌ଲେ ସମସ୍ୟା ସୃଷ୍ଟି ହୋଇପାରେ। ଏହାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ କେବଳ କ୍ଲିନିକାଲ ସେବାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ହେଲେ କେବେ ସୁଦ୍ଧା ତାହା କାର୍ଯ୍ୟକାରୀ ହେବ, ସେ ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମେଣ୍ଢାଶାଳ ସିଏଚ୍‌ସିରେ ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତିରୋଗ, ସର୍ଜରିକୁ ମିଶାଇ ବିଶେଷଜ୍ଞ ଚିକିତ୍ସା ସୁବିଧା ରହିଛି। ଡାକ୍ତର ମଧ୍ୟ ଅଛନ୍ତି। ଯେହେତୁ ସଂପୃକ୍ତ ସ୍ବାସ୍ଥ୍ୟାନୁଷ୍ଠାନ ଏମ୍‌ସର ଆରଏଚ୍‌ଟିସି ଭାବେ କାର୍ଯ୍ୟ କରିବ, ଏଥିପାଇଁ ତାହାକୁ ସଂପୂର୍ଣ୍ଣ ହସ୍ତାନ୍ତର ପାଇଁ ପ୍ରସ୍ତାବ ଆସିଥିଲା। ହେଲେ ଏହା ସମ୍ଭବ ନ ହେବାରୁ କେବଳ ବିଶେଷଜ୍ଞ ଓ ଅନ୍ୟାନ୍ୟ ଚିକିତ୍ସାରୁ ସ୍ବାସ୍ଥ୍ୟ ବିଭାଗ ଓହରିଯିବାକୁ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ସମୟରେ ତାହାକୁ ଏମ୍‌ସ ପରିଚାଳନା କରିବ। ଆଜି ହୋଇଥିବା ନିଷ୍ପତ୍ତି ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି।

ଏମ୍‌ସ ଅଧିକାରୀଙ୍କ ସୂଚନା ଅନୁସାରେ, ନୂତନ ବିଲ୍ଡିଂ ପାଇଁ ଜାଗା ମିଳିବା ପରେ ଉଭୟ ତାଲିମ ଓ ଚିକିତ୍ସା ପାଇଁ ଏକ ବିଲ୍ଡିଂ ପ୍ରତିଷ୍ଠା କରାଯିବ। ଯେହେତୁ ଜାଗା ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବିତ ହେଉଛି, ତେଣୁ ନୂତନ ବିଲ୍ଡିଂ କାର୍ଯ୍ୟ ଆଗେଇ ପାରୁନାହିଁ। ଏହାସହ ଆଜି ବୈଠକରେ ହୋଇଥିବା ନିଷ୍ପତ୍ତିର ତର୍ଜମା କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର