ସୋମନାଥ ପରିଡ଼ା
ଭୁବନେଶ୍ବର: ସମୟ ସକାଳ ୮ଟା ହେବ। ସୁନ୍ଦରପଦା ହଜ ଚାରି ପାଖରେ ପ୍ରାତଃଭ୍ରମଣ କରୁଥିବା ବେଳେ ଆମେ ଭେଟିଥିଲୁ ଏକାମ୍ର ବିଧାୟକ ବାବୁ ସିଂଙ୍କୁ। ତାଙ୍କ ସହ ଚାଲୁ ଚାଲୁ ସେ କହିଲେ, ଶରୀରର ଆଉ କ’ଣ ଯତ୍ନ ନେବି? ଲୋକଙ୍କ ପାଇଁ କାମ କରୁ କରୁ ସବୁ ସମୟ ଚାଲି ଯାଉଛି। ତଥାପି ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ମୁଁ ଯତ୍ନବାନ ଅଛି। ଆଗରୁ ରାତି ସାଢ଼େ ୧୧ଟା ଭିତରେ ଶୋଇ ଯାଉଥିଲି। ଏବେ ଶୋଇବା ବେଳକୁ ସାଢ଼େ ଗୋଟାଏ। ହେଲେ ବି ସକାଳ ସାଢ଼େ ୬ଟା ଭିତରେ ଉଠେ। ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରି ସେ ଦେଇଥିବା କାମକୁ ଭଲରେ ଅନୁପାଳନ କରିବାକୁ ପ୍ରାର୍ଥନା କରେ। ତା’ପରେ କଞ୍ଚା ହଳଦୀ, ଅଦା, ଭୃଶୁଙ୍ଗ ଓ ତୁଳସୀ ପତ୍ରକୁ ଚୋବାଇ ଖାଏ। ମାସକରୁ ୧୫ ଦିନ ସକାଳ ୭ଟାରୁ ୯ଟା ମର୍ଣ୍ଣିଂୱାକ୍ରେ ଯାଏ। ଅନ୍ୟ ଦିନ ଦଳୀୟ କିମ୍ବା ସାମାଜିକ କାର୍ଯ୍ୟକ୍ରମ ରହିଥାଏ। ମର୍ଣ୍ଣିଂୱାକ୍ରୁ ଫେରି ବୁଧବାର, ଶୁକ୍ରବାର ଓ ରବିବାର ଅଭିଯୋଗ ଶୁଣାଣିରେ ଲୋକଙ୍କ ସମସ୍ୟା ବୁଝେ। ସକାଳେ ଗୋଟେ କପ୍ ବ୍ଲାକ୍ କଫି ନିଶ୍ଚିତ ପିଏ। ମୁଁ ଶାକାହାରୀ। ପୂର୍ବରୁ କେବଳ ମାଛ ଖାଉଥିଲି। ହେଲେ ୨୦୨୪ ଜାନୁଆରିରୁ ସମ୍ପୂର୍ଣ୍ଣ ଆମିଷ ଛାଡ଼ି ଦେଇଛି। ବାହାରେ ଖାଇବାକୁ ପସନ୍ଦ କରେନାହିଁ। ସକାଳ ୯ଟାରୁ ୧୧ଟା ଭିତରେ ଗୋଟେ ଫଳ ସହ ପରଟା, ଚକୁଳି, ଭଜା, ଉପମା ଯେଉଁଦିନ ଯାହା ମିଳିଲା ଖାଏ।
ସାଢ଼େ ୧ଟାରୁ ୩ଟା ଭିତରେ ଖରାବେଳ ଖାଇବା। ପ୍ରତି ଓଡ଼ିଆଙ୍କ ଭଳି ଆମ ଘରେ ମଧ୍ୟ ଭାତ, ଡାଲି, ଭଜା, ତରକାରୀ ହୁଏ। ମୋର ଅଧିକ ପସନ୍ଦ ଶାଗ ଓ ଡାଲମା। ଧର୍ମପତ୍ନୀ ଚାକିରି କରିଛନ୍ତି। ତେଣୁ କେବଳ ରବିବାର ଦିନ ସେ ସାଲାଡ ବନେଇ ଦିଅନ୍ତି। ପନିର, ଛତୁ ବହୁତ କମ୍ ଖାଏ। ରାତିରେ ବିଳମ୍ବ ହେଉଥିବାରୁ ଏବେ ଖରାବେଳେ ବିଶ୍ରାମ ଦରକାର ହେଉଛି। ଖାଇବା ପରେ ଅଧଘଣ୍ଟା ବିଶ୍ରାମ ନେଲେ ଶରୀର ସୁସ୍ଥ ଲାଗେ। ସନ୍ଧ୍ୟାରେ ବ୍ଲାକ୍ କଫି ସହ ଚୁଡ଼ା ଭଜା କିମ୍ବା ବିସ୍କୁଟ ଖାଏ। ତେଲ ଛଣା ପୂରା ବନ୍ଦ। ତେଲଛଣା ଜାଗା ନେଇଛି ଡ୍ରାଏ ଫ୍ରୁଟସ୍। ମୁଁ ଚେଷ୍ଟା କରେ ୭ଟା ଭିତରେ ରାତି ଖାଇବା ସାରିବାକୁ। ଏବେ ଗହମ ରୁଟି ପରିବର୍ତ୍ତେ ବେସନ ଚକୁଳି, ବାଜରା, ମାଣ୍ଡିଆ ଚକୁଳି ଖାଉଛି। ଭୋଜିକୁ ଗଲେ କେବଳ ସୁପ୍ ଓ ମକା ଖାଏ। ମାନସିକ ଶାନ୍ତି ପାଇଁ ପ୍ରତିଦିନ ହନୁମାନ ଚାଳିଶା ପଢ଼େ। ମଝିରେ ମଝିରେ ପ୍ରାଣାୟାମ କରେ। ଆଧ୍ୟାତ୍ମିକ ପରିବେଶରେ ରହିଲେ ହିଁ ମନ ଭିତରେ ସ୍ବଚ୍ଛତା ଆସିବ। ଶରୀର ପାଇଁ ସନ୍ତୁଳିତ ଖାଦ୍ୟ, ୪୫ ମିନିଟ୍ ଶାରୀରିକ ପରିଶ୍ରମ ଓ ୬ ଘଣ୍ଟା ବିଶ୍ରାମ ନିହାତି ଦରକାର।