ଦେବଦଳନ ରଥ
ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛନ୍ତି ବରି‌ଷ୍ଠ ନାଗରିକ। ବର୍ତ୍ତମାନର ପରିବର୍ତ୍ତନଶୀଳ ସାମାଜିକ ବ୍ୟବସ୍ଥାରେ ବରିଷ୍ଠ ନାଗରିକମାନେ ସବୁଠାରୁ ଅଧିକ ବଳି ପଡ଼ୁଛନ୍ତି। ନିସଙ୍ଗ ଜୀବନଯାପନ ଯୋଗୁ ଦୁଶ୍ଚିନ୍ତା ଓ ରୋଗଗ୍ରସ୍ତ ଜୀବନ ବଞ୍ଚୁଛନ୍ତି। ତେଣୁ ବରିଷ୍ଠ ନାଗରିକମାନଙ୍କୁ ନେଇ ଅଧିକରୁ ଅଧିକ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ, ହାସ୍ୟ କ୍ଲବ୍‌, ଯୋଗ ଓ ପ୍ରାଣାୟାମ ସଂଗଠନ ଆଦି ଏବେ ସମୟର ଆବଶ୍ୟକତା ପାଲଟିଛି। ଏହି ପରିପ୍ରେକ୍ଷୀରେ ମଧୁସୂଦନ ପାର୍କରେ ଗଢ଼ିଉଠିଥିବା ଅନୁଷ୍ଠାନ ‘ଶ୍ରୀଜଗନ୍ନାଥ ଯୋଗାଳୟ ଟ୍ରଷ୍ଟ’ ବରିଷ୍ଠ ନାଗରିକମାନଙ୍କୁ ଜୀବନର ଦ୍ବିତୀୟ ପାଳିକୁ ହସଖୁସିରେ କଟାଇବା ପାଇଁ ଉତ୍ସାହ ଭରି ଦେଇଛି। ପ୍ରତ୍ୟହ ପାର୍କ ପରିସରରେ ଥିବ‌ା ଯୋଗମଣ୍ଡପରେ ଯୋଗାଭ୍ୟାସ କରିବାକୁ ଅନୁ‌ଷ୍ଠାନର ସଦସ୍ୟମାନେ ଏକାଠି ହେଉଛନ୍ତି।

Advertisment

୨୦୧୨ ମସିହାରୁ ପୋଖରୀପୁଟ ଓ ଏହାର ଆଖପାଖ ଅଞ୍ଚଳର ବରିଷ୍ଠ ନାଗରିକଙ୍କୁ ଏକାଠି କରି ଏହି ଟ୍ରଷ୍ଟ ଆରମ୍ଭ ହୋଇଥିଲା। ୨୦୧୪ରୁ ବିଧିବଦ୍ଧ ଭାବେ ପଞ୍ଜୀକୃତ ହୋଇ ଏହି ଟ୍ରଷ୍ଟ ଚାଲିଆସୁଛି। ଅଞ୍ଚଳର ବିଭିନ୍ନ ସମସ୍ୟା ବାବଦରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦୃ‌‌ଷ୍ଟି ଆକର୍ଷଣ କରିବା ସହ ପାର୍କର ବିଭିନ୍ନ ଉତ୍ସବ ଆୟୋଜନରେ ଏହି ଟ୍ରଷ୍ଟ ଆଗଭର। ଟ୍ରଷ୍ଟର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପାଢ଼ୀ କୁହନ୍ତି, ସମାଜରେ ବରି‌ଷ୍ଠ ନାଗରିକ ଯେଭଳି ଉପେକ୍ଷିତ ନ ହୁଅନ୍ତି ସେଥିଲାଗି ଟ୍ରଷ୍ଟ ସବୁବେଳେ ତତ୍ପର ଥାଏ। ଚଳିତ ବର୍ଷ ଟ୍ରଷ୍ଟ ୧୧ବର୍ଷରେ ପାଦ ଥାପିଛି। ଅନୁ‌‌ଷ୍ଠାନର ସଦସ୍ୟମାନଙ୍କ ବୟସ ୬୦ ବର୍ଷରୁ ୮୬ ବର୍ଷ ପର୍ଯ୍ୟନ୍ତ ରହିଛି। ବିଶେଷ କରି ବରିଷ୍ଠ ନାଗରିକମାନଙ୍କ ସ୍ବାସ୍ଥ୍ୟରକ୍ଷାକୁ ଗୁରୁତ୍ବ ଦେଇ ଏହି ଯୋଗାଳୟ ଆରମ୍ଭ କରାଯାଇଛି। ପ୍ରତ୍ୟହ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଅନୁଷ୍ଠାନର ସଦସ୍ୟମାନେ ଯୋଗାଭ୍ୟାସ କରିଥାନ୍ତି। ଏହା ପରେ ଅଧଘଣ୍ଟାର ବିରତିରେ ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳି ଉପରେ ଆଲୋଚନା କରନ୍ତି। କେବଳ ସେତିକି ନୁହେଁ, ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥାନ୍ତି। ଯୋଗ, ପ୍ରାଣାୟାମ ଆଦି ଅଭ୍ୟାସ ଦ୍ବାରା କିଛି ସଦସ୍ୟ ରକ୍ତଚାପ ଓ ମଧୁମେହକୁ ନିୟନ୍ତ୍ରଣ କରିଥିବା ଶ୍ରୀ ପାଢ଼ୀ ମତ ଦେଇଛନ୍ତି।

ଟ୍ରଷ୍ଟର ସମ୍ପାଦକ ପଠାଣି ବେହେରା କହିଛନ୍ତି, ବର୍ତ୍ତମାନ ଏହି ଟ୍ରଷ୍ଟରେ ୪୦ରୁ ଅଧିକ ସଦସ୍ୟ ରହିଛନ୍ତି। ଆବଶ୍ୟକତାକୁ ଦୃ‌ଷ୍ଟିରେ ରଖି ବିଡିଏ ପକ୍ଷରୁ ପାର୍କ ମଧ୍ୟରେ ଏକ ଯୋଗମଣ୍ଡପ ନିର୍ମାଣ କରାଯାଇଛି। ଅନୁଷ୍ଠାନ ସହିତ ଅଧିକରୁ ଅଧିକ ସଦସ୍ୟ ଯୋଡ଼ିବା ସହିତ ଯୋଗମଣ୍ଡପକୁ ବ୍ୟାପକ କରିବା ଲାଗି ପ୍ରଶାସନକୁ ନିବେଦନ କରାଯାଇଛି। ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷାକୁ ଅନୁ‌ଷ୍ଠାନ ସବୁବେଳେ ଗୁରୁତ୍ବ ଦେଇ ଆସିଛି।

ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ନିର୍ମଳ ଚନ୍ଦ୍ର ସାମଲ କହିଛନ୍ତି, ଏହି ଟ୍ରଷ୍ଟର ସଦସ୍ୟମାନଙ୍କ ମଧ୍ୟରେ ବହୁ ଅଧ୍ୟାପକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଛନ୍ତି। ତେବେ ସମସ୍ତ ସଦସ୍ୟ ଏକାଠି ହେବା ସମୟରେ ନିଜର ମନ କଥା ଖୋଲି କହିବାରେ ଆଦୌ ସଂକୋଚ କରନ୍ତି ନାହିଁ। ପରସ୍ପରକୁ ସହଯୋଗ ମନୋବୃତ୍ତି ନେଇ ମନଖୋଲା ହସ ଓ ଆଲୋଚନାରେ ଭାଗ ନେବା ଏହି ଅନୁଷ୍ଠାନର ବିଶେଷତ୍ବ। ଅନୁଷ୍ଠାନ ପକ୍ଷରୁ ବର୍ଷ ତମାମ ବିଭିନ୍ନ ସ୍ବତନ୍ତ୍ର ଦିବସ ପାଳନ କରାଯାଏ ବୋଲି ଶ୍ରୀ ସାମଲ କହିଛନ୍ତି।