ସୋମନାଥ ପରିଡ଼ା
ଭୁବନେଶ୍ବର: ଛାତ୍ର ରାଜନୀତିରୁ ଆରମ୍ଭ ହୋଇ ୫୦ ବର୍ଷରୁ ଊର୍ଦ୍ଧ୍ବ ରାଜନୈତିକ ଯାତ୍ରା। ୬ ଥର ବିଧାୟକ, ଏକାଧିକ ବାର ମନ୍ତ୍ରିପଦ। ୮୧ ବର୍ଷ ବୟସରେ ମଧ୍ୟ ସେ ସବୁବେଳେ ଏତେ ଚଳଚଞ୍ଚଳ ଯେ ଯୁବକମାନେ ବି ଫିକା ପଡ଼ିଯାଆନ୍ତି ତାଙ୍କ ଆଗରେ। କଥା କହିବାର ଶୈଳୀ ହେଉ ଅବା ଜୀବନଶୈଳୀ, ସବୁଥିରେ ନିଆରାପଣ, ସବୁଥିରେ ଚର୍ଚ୍ଚା। କଥା କଥାକେ 'ଲଗାତାଳି', 'ରେଡି ତ' ଓ 'ମାଡ଼ିଚାଲ' କହି ଜୀବନ ଚଲାପଥରେ ମାଡ଼ିଚାଲିଛନ୍ତି ବିଧାୟକ ସୁରେଶ ରାଉତରାୟ। ୮୧ ବର୍ଷ ବୟସରେ ତାଙ୍କର ଏ ଫିଟ୍‌ନେସ୍‌ର ରହସ୍ୟ କ’ଣ- ପଚାରୁ ପଚାରୁ ଚିରାଚରିତ ଢଙ୍ଗରେ କହିବା ଆରମ୍ଭ କରି ଦେଇଥିଲେ ସଭିଙ୍କ ପ୍ରିୟ ସୁରଭାଇ।

Advertisment

‘‘...ସକାଳ ୫.୩୦ରେ ବିଛଣା ଛାଡ଼େ। ବଡ଼ ଗ୍ଲାସ୍‌ରେ ଗ୍ଲାସେ ପାଣି ପିଇ ସବୁ ନିତ୍ୟକର୍ମ ସାରିଦିଏ। ସକାଳୁ ନିର୍ବାଚନ ମଣ୍ଡଳୀ ଲୋକ ଆସିଯାଆନ୍ତି। ତାଙ୍କ କଥା ବୁଝିବା ପରେ ପ୍ରତିଦିନ ସକାଳ ୭ଟା ବେଳକୁ ହସ୍ପିଟାଲ ଚାଲିଯାଏ। ହସ୍ପିଟାଲ୍‌ରେ ରୋଗୀସେବା କରିବା ପରେ ଘରକୁ ଗାଧୋଇବାକୁ ଆସେ। ସମୟ ମିଳିଲେ ଗୁଆଝରରେ ବୁଡ଼ ପକାଏ। ଗୁଆଝରରେ ଦୁଇ ବୁଡ଼ା ମାରିଦେଲେ, ଓଃ କି ଶାନ୍ତି! ଗାଧୋଇବା ପରେ ଲିଙ୍ଗରାଜଙ୍କୁ ମୁଣ୍ଡିଆଟେ ମାରେ। ୮ରୁ ୯ ଭିତରେ ସକାଳ ଖାଇବା ମାନି (ପତ୍ନୀ) ରେଡି କରିଦିଏ। ଅଧିକାଂଶ ଦିନ ମାଣ୍ଡିଆ, ଶାଗ ଓ ଚୂନାମାଛ ଖାଏ। ଏହାଛଡ଼ା ପଖାଳ - ଶାଗ- କଖାରୁଫୁଲ ଭଜା, ପରଟା- ରୁଟି- ସନ୍ତୁଳା, ଚୁଡ଼ା-କଦଳୀ ଯାହା ମିଳିଲା ପେଟେ ଖାଇଦିଏ।’’

ଆଉ ବ୍ୟାୟାମ...?
‘‘ ହେଃ, ସେ ବ୍ୟାୟାମ ଫ୍ୟାୟାମ ମୁଁ କରେନି। ଲୋକଙ୍କ କାମ ପାଇଁ ପ୍ରତିଦିନ ଯେତିକି ଦୌଡ଼ା ଚଲା ହେଉଛି, ସେଥିରେ ମୁଁ ପୂରା ଫିଟ୍‌। ବ୍ୟାୟାମ କରିବାକୁ ସମୟ କାହିଁ? ...ସକାଳ ଖିଆପିଆ ସରିବା ପରେ ଘରେ ପୁଣି ଲୋକ ଜମା ହୋଇଯାଆନ୍ତି। ଯାହାଙ୍କର ଯେଉଁ ଦପ୍ତରରେ କାମ ଥାଏ, ତାଙ୍କୁ ନେଇ ସେଠିକୁ ଯାଏ। ଆଗ ତାଙ୍କ କାମ କରେ। ଯଦି ସଭା ସମିତି ଥାଏ, ଯାଏ। ଖରାବେଳେ ଅଧିକାଂଶ ଦିନ ଘରେ ଖାଇ ହୁଏନି। ଯେଉଁଠି ଯାହା ମିଳିଲା ଖାଇଦିଏ। ଏଇଟା ଖାଇବିନି, ସେଇଟା ଖାଇବିନି ସେମିତି କିଛି ବାଛ ବିଚାର ନାହିଁ। କେଉଁଠି ନହେଲେ ଢାବାରେ ଖିଆ ହୁଏ। ଅଧିକାଂଶ ଦିନ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ପଡ଼େ। ସେଠି ଯାହା ମିଳେ- ବରା, ଆଳୁଚପ୍‌, ସିଙ୍ଗଡ଼ା, ଛେନା, କାଜୁ, କିଛି ଛାଡ଼େନି। ରାତିରେ ବୁଲିବାଲି ସାରି ଘରେ ଆସି ଖାଏ। ରୁଟି, ସନ୍ତୁଳା, ଡାଲମା, ଛେନା ଯେଉଁଦିନ ଯାହା ମିଳିଲା।’’

‘‘ଲୋକ ନିଦ ନ‌ହେବାରୁ ଔଷଧ ଖାଉଛନ୍ତି, ଭଗବାନଙ୍କୁ ଧନ୍ୟବାଦ ଦେବି, ମୋ’ ଉପରେ ଦୟା କରିଛନ୍ତି। ଖଟରେ ପଡ଼ି ୧ରୁ ୩ ଗଣିବା ଭିତରେ ମୋ’ର ଗାଢ଼ନିଦ ହେଇଯାଏ। ନିଦ ଭଲ ହେଉଛି ବୋଲି ଆଜି ଯାଏ ଗାଡ଼ି ଚାଲିଛି। ମୋ ବୟସର ଲୋକ ଘରେ ରହିଗଲେଣି। ଈଶ୍ବରଙ୍କ ଆଶୀର୍ବାଦ ପାଇଁ ମୋର ସ୍ବାସ୍ଥ୍ୟ ପୂରା ରେଡି ଅଛି। ଲୋକଙ୍କ ପାଇଁ ମନଖୁସିରେ ନିଷ୍ଠାର ସହ କାମ କରେ। ବିକାଶମୂଳକ କାମ ସମ୍ପୂର୍ଣ୍ଣ ନକଲା ଯାଏ ଛାଡ଼େନି। ଦିନସାରା ବାହାରେ ଖେଳିବା, ବୁଲିବା, ଲୋକଙ୍କୁ ସାକ୍ଷାତ କରିବା ମୋର କାମ। ସେଥିରେ ଆନନ୍ଦ ମିଳେ।’’ ‘‘ରାଜନୀତିକୁ ଆସୁଥିବା ନୂଆ ପିଢ଼ି ଧୈର୍ଯ୍ୟ ରଖନ୍ତୁ। ବାଉଳା ଚାଉଳା ହେଲେ ଫେଲ୍‌ ମାରିବେ। ଲୋକଙ୍କ କାମ ଯଦି ଠିକ୍‌ ଭାବେ କରିବ, ସ୍ବାସ୍ଥ୍ୟ ଭଲ ରହିବ। ମନଟା ଖୁସି ରହିଲେ ସ୍ବାସ୍ଥ୍ୟ ଭଲ ରହିବ। କାମ କରିବାକୁ ଆଗ୍ରହ ହେବ।’’