ଓୟୁଏଟିରେ ‌ହେଲ୍‌ଥ ମେଡିକନ୍-୨୦୧୯

ଖଣ୍ଡଗିରି : ସୋମବାର ଓୟୁଏଟି ପ୍ରାଣୀ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଇଣ୍ଡିଆନ୍ ପ୍ରୋକ୍ଟୋଲୋଜି ସୋସାଇଟି(ଆଇପିଏସ୍‌) ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ହେଲ୍‌ଥ ମେଡିକନ୍‌-୨୦୧୯ ଅନୁଷ୍ଠିତ ହୋଇଯାଇଛି। ଆୟୁ‌ର୍ବେଦ ଚିକିତ୍ସା ବିଜ୍ଞାନ ଓ ଭାରତୀୟ ପ୍ରାଚୀନ ଚିକିତ୍ସା ପଦ୍ଧତିକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରାଚୀନ ଭାରତୀୟ ଚରକ ଓ ସୁଶ୍ରୁତ ଚିକିତ୍ସା ପଦ୍ଧତି ଓ ମୁନି ଋଷିମାନଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଆୟୁର୍ବେଦ ଶାସ୍ତ୍ର ଓ ଚିକିତ୍ସା ବିଧି ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ‌ଏବେ ବି ସେ ସବୁ ପୁରୁଣା ଚିକିତ୍ସା ବିଜ୍ଞାନର ଉପାଦେୟତା ରହିଛି ଓ ସରକାରୀ ସ୍ତରରେ ସେସବୁକୁ ପୁଣି ନୂତନ ରୂପରେ ପୁନରୁଦ୍ଧାର କରାଗଲେ, ଲୋକଙ୍କ ପାଇଁ ବହୁ ଉପାଦେୟ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭା‌ବେ ଉପସ୍ଥିତ ଥିଲେ। ବିହାର ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ବବିଦ୍ୟାଳୟର ‌କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଓ କଟକ ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର ଚିତ୍ତରଂଜନ ପଣ୍ଡା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଆୟୋଜକ ସଂସ୍ଥା ଆଇପିଏସ୍‌ର କାର୍ଯ୍ୟକାରୀ ସଭାପତି ପ୍ରଫେସର ଚତୁର୍ଭୁଜ ଭୂୟାଁ ସ୍ବାଗତ ଭାଷଣ ଦେଇଥିବାବେଳେ ଓୟୁଏଟି ଡିନ୍‌ ପ୍ରଫେସର ପିକେ ରାଉଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଯୋଗ ବିଶେଷଜ୍ଞ ଡାକ୍ତର ଦୀନେଶ ପ୍ରସାଦ ସ୍ବାଇଁ ଓ ତାଙ୍କ ପତ୍ନୀ ଡା. ପ୍ରତିଭା ଶ୍ରୀଙ୍କୁ ଯୋଗରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର