କ୍ୟାପିଟାଲ ହସ୍ପିଟାଲ ଡାକ୍ତର ମନଇଚ୍ଛା ଛୁଟିରେ ଯିବା ଘଟଣା : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ଜନୈକ ମହିଳା ଡାକ୍ତର ବିନା ଅନୁମତିରେ ଛୁଟିରେ ପଳାଇବା ଘଟଣା ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଡାକ୍ତର ମନଇଚ୍ଛା ଛୁଟିରେ ପଳାଇଲେ, ତାହା ଜଣାଇବାକୁ କ୍ୟାପିଟାଲ ହସ୍ପିଟାଲର କର୍ତୃପକ୍ଷଙ୍କୁ କୁହାଯାଇଛି।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲର କାଜୁଆଲଟି ମେଡିକାଲ ଅଫିସର ଦାୟିତ୍ବରେ ଥିବା ଜଣେ ମହିଳା ଡାକ୍ତର ଗତ ୩ ଦିନ ହେବ ବିନା ଅନୁମତିରେ ଛୁଟିରେ ପଳାଇଛନ୍ତି। ପୂର୍ବରୁ ସେ ବିଦେଶ ଯିବା ଲାଗି ହସ୍ପିଟାଲ କର୍ତୃପକ୍ଷଙ୍କୁ ଆବେଦନ କରିଥିଲେ ଓ ଏହି ଆବେଦନକୁ ରାଜ୍ୟ ସରକାରଙ୍କ ପାଖକୁ ଏନ୍‌ଓସି ପାଇଁ ପଠାଯାଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ପାଖରୁ ଏନ୍‌ଓସି ଆସିବା ପୂର୍ବରୁ ଡାକ୍ତର ଜଣକ ଡ୍ୟୁଟି ଯୋଗ ଦେଉ ନଥିବା ଜଣାପଡ଼ିଥିଲା। କାଜୁଆଲଟିରେ ଡ୍ୟୁଟିକୁ ନେଇ ହସ୍ପିଟାଲ କର୍ତୃପକ୍ଷ ଚିନ୍ତାରେ ପଡ଼ିଥିବା ବେଳେ ଡାକ୍ତରଜଣକ ଆମେରିକା ପଳାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ମଧ୍ୟ ସେ ନିୟମିତ ଭାବେ ଏଭଳି ବିନା ଅନୁମତିରେ ଛୁଟିରେ ରହୁଥିବା ଓ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ହସ୍ପିଟାଲ କର୍ତୃପକ୍ଷ ଏ ସଂପର୍କରେ ରାଜ୍ୟ ସରକାରଙ୍କ ନଜରକୁ ଆଣିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଯାହାଫଳରେ ଦିନକୁ ଦିନ ମହିଳା ଡାକ୍ତରଙ୍କ ଏଭଳି ମନଇଚ୍ଛା ଛୁଟି‌ରେ ରହୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର