ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରିଦର୍ଶନ: କ୍ୟାପିଟାଲ ହସ୍ପିଟାଲର ଶଯ୍ୟା ସଂଖ୍ୟା ୩ଗୁଣ ହେବ

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ହସ୍ପିଟାଲର ବିଭିନ୍ନ ୱାର୍ଡ଼ ବୁଲିବା ସହିତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ। ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ପରକ୍ଷିଥିଲେ। ଏହାସହ ରୋଗୀ ଓ ସମ୍ପର୍କୀୟଙ୍କ ଠାରୁ ହସ୍ପିଟାଲରେ ଦିଆଯାଉଥିବା ସେବା ବାବଦରେ ମତ ନେଇଥିଲେ। ଏହାପରେ କ୍ୟାପିଟାଲ ହସ୍ପିଟାଲ ଓ ପିଜିଆଇର ଅଧିକାରୀମାନଙ୍କ ସହ ବୈଠକ କରି ହସ୍ପିଟାଲରେ କିଭଳି ଉନ୍ନତ ସେବା ପ୍ରଦାନ କରାଯାଇ ପାରିବ, ସେ ବାବଦରେ ‌ଆଲୋଚନା କରିଥିଲେ।

ଅପରାହ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ହସ୍ପିଟାଲରେ ପହଞ୍ଚି ପ୍ରଥମେ ରୋଗୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ପାଇଁ ଥିବା ରୋଷେଇଶାଳାରେ ପହଞ୍ଚିଥିଲେ। ସେଠାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ପରଖିଥିଲେ। ପରେ ମଡ୍ୟୁଲାର ଓଟି ଯାଇ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଶିଶୁ ବିଭାଗ ଯାଇ ସେବା ଯାଞ୍ଚ କରିଥିଲେ। ପରିଶେଷରେ ‌ପ୍ରଶାସନିକ ବିଭାଗକୁ ଯାଇ ଟେଲିମେଡିସିନ କକ୍ଷରେ ହସ୍ପିଟାଲରେ ମିଳୁଥିବ‌ା ବିଭିନ୍ନ ସେବାର ସମୀକ୍ଷା କରିଥିଲେ। ଏହି ବୈଠକରେ ଶ୍ରୀ ମହାଲିଙ୍ଗ କହିଥିଲେ, କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ଏକ ପ୍ରମୁଖ ହସ୍ପିଟାଲ। ଏହି ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଦେବା ଆମର କର୍ତ୍ତବ୍ୟ। ତେଣୁ ରୋଗୀସେବାକୁ ପ୍ରାଥମିକତା ଦେବାକୁ ଡାକ୍ତର ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ରୋଗୀଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ସେବାର ସମୀକ୍ଷା କରି କହିଥିଲେ ଯେ ଏହି ହସ୍ପିଟାଲରେ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି, ଶଯ୍ୟା ସଂଖ୍ୟା ୩ଗୁଣକୁ ବୃଦ୍ଧି କରାଯିବ।

ଡାକ୍ତର ସଂଖ୍ୟା ସହ ବିଭାଗ ମଧ୍ୟ ବୃଦ୍ଧି କରିବାକୁ ସରକାରଙ୍କ ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରୋଗୀଙ୍କୁ ସମସ୍ତ ପ୍ରକାର ଔଷଧ ମାଗଣା ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ। ଏହାପରେ ପିଜିଆଇର ଅଧିକାରୀଙ୍କ ସହ ଆଲୋଚନା କରି ପିଜି ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଓ ଅଧିକ ବିଭାଗରେ କିଭଳି ପିଜି ପାଠ୍ୟକ୍ରମ ଆ‌ରମ୍ଭ ହୋଇପାରିବ ସେ ବାବଦରେ ଆଲୋଚନା କରିବା ସହିତ ସରକାରଙ୍କ ତରଫରୁ ଆବଶ୍ୟକ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କର ସମାନ ପସନ୍ଦ
ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ଆସିଥିବା ବେଳେ ସମ୍ବଲପୁରୀ କପଡ଼ାରେ ତିଆରି ମନ୍ତ୍ରୀଙ୍କ କୁର୍ତ୍ତା ଓ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସାର୍ଟ ସାମାନ ରଙ୍ଗ ଓ ଡିଜାଇନ୍‌ର ଥିଲା। ଏହାକୁ ଦେଖି ପାଖରେ ଥିବା ଜଣେ ବ୍ୟକ୍ତି ମନ୍ତ୍ରୀଙ୍କୁ କହିଥିଲେ। ମନ୍ତ୍ରୀ ଏହାକୁ ନେଇ ହସିହସି ସମ୍ବଲପୁରୀ ସାର୍ଟ ପିନ୍ଧି ଥିବାରୁ ନିର୍ଦ୍ଦେଶକଙ୍କୁ ‘ଥ୍ୟାଙ୍କ୍ ୟୁ’ ବୋଲି କହିଥିଲେ। ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା କର୍ମୀ ଓ କର୍ମଚାରୀଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର