ଭୁବନେଶ୍ୱର: ୬ ଦଫା ଦାବି ନେଇ ସ୍ବାସ୍ଥ୍ୟ ମିସନ୍ ପରିଚାଳନା କର୍ମଚାରୀମାନେ ଦେଇଥିବା ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। କିନ୍ତୁ ଏହାର ସମାଧାନ ବାବଦରେ ସରକାର କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ମିସନ୍ ନିର୍ଦ୍ଦେଶାଳୟ ଏହି ଦାବିଗୁଡ଼ିକ ପୂରଣ ପାଇଁ ସୁପାରିସ୍ କରିଥିବା ବେଳେ ସରକାରଙ୍କ ଅର୍ଥ ବିଭାଗ କୌଣସି ନିଷ୍ପତ୍ତି ନେଉନାହିଁ। ତେବେ ଜାତୀୟ କୃମିନାଶକ ଦିବସରେ ସରକାର ସତେଯେପରି ରାଜ୍ୟର ୮୦ଲକ୍ଷ ଶିଶୁ ସ୍ବାସ୍ଥ୍ୟ ସୁରକ୍ଷା ଦେବାରେ ତାଙ୍କର କର୍ତ୍ତବ୍ୟ ଭୁଲି ଯାଇଛନ୍ତି। ତେବେ ସଂଘର ଏହି ସମସ୍ୟା ସମାଧାନ କରିବାରେ ସରକାର ଅବହେଳା କଲେ ଆଗାମୀ ଦିନରେ ସାଧାରଣ ଲୋକମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘର ପରାମର୍ଶଦାତା ରାଧାରମଣ ଷଡ଼ଙ୍ଗୀ, ସଭାପତି ରବୀନ୍ଦ୍ର ଜେନା, ସାଧାରଣ ସମ୍ପାଦକ ଧନେଶ୍ୱର ସ୍ବାଇଁ ଧାରଣାସ୍ଥଳରେ ଘୋଷଣା କରିଛନ୍ତି। ସରକାର ଯଦି ସମସ୍ୟାର ସମାଧାନ ପାଇଁ ସଂଘ ସହ ଆଲୋଚନା ନ କରନ୍ତି, ସଂଘ ସାମୂହିକ ଆମରଣ ଅନଶନ କରିବାକୁ ବାଧ୍ୟ ହେବ ବୋଲି ଆବାହକ କବି ପ୍ରସାଦ ସାହୁ ଚେତାବନୀ ଦେଇଛନ୍ତି।
ତୃତୀୟ ଦିନରେ ସ୍ବାସ୍ଥ୍ୟ ମିସନ୍ କର୍ମଚାରୀ ସଂଘର ଧାରଣା
/sambad/media/post_attachments/wp-content/uploads/2019/02/Untitled-10-7.jpg)