ଝାଡ଼ାବାନ୍ତିରେ ମହିଳା ମୃତ, ଦୂଷିତ ପାଣି ପିଉଛନ୍ତି ଭାଲିଆପଡ଼ାବାସୀ

ରୋଗ ବାହକ ସାଜୁଛି ଅସ୍ବାସ୍ଥ୍ୟକର ପରିମଳ ବ୍ୟବସ୍ଥା

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଢମିଲୋ ଗ୍ରାମ ଭାଲିଆପଡ଼ା ସାହିରେ ଝାଡ଼ାବାନ୍ତି ରୋଗ ବ୍ୟାପିଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଗତ ୨୩ ତାରିଖ ରାତି ୧୨ଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ, ଉକ୍ତ ସାହିର ଧନେଶ୍ବର ଭୋଇଙ୍କ ପତ୍ନୀ ସୁକାନ୍ତି ଭୋଇ (୪୭)। ସେହିପରି ଝାଡ଼ାବାନ୍ତିରେ ଆକ୍ରାନ୍ତ ୭/୮ଜଣ ବ୍ୟକ୍ତି ମହୀଧରପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଆଜି ସକାଳେ ମୃତ ସୁକାନ୍ତିଙ୍କ ନାତୁଣୀ ଶିବନ୍ୟା ଭୋଇ (୪) ଓ ସୁଭଦ୍ରା ଭୋଇ (୧୬) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସ୍ବାସ୍ଥ୍ୟକର୍ମୀଙ୍କ ପାଖରୁ ଔଷଧ ନେଇ ଖାଇଥିବା କହିଛନ୍ତି।

ଝାଡ଼ାବାନ୍ତିରେ ସୁକାନ୍ତିଙ୍କ ମୃତ୍ୟୁ ଘଟିବା ଏବଂ ଅନ୍ୟମାନେ ଅସୁସ୍ଥ ହେବା ଖବର ପାଇ ପ୍ରଶାସନର ଚେତା ପଶିଛି। ଆଜି ପୂର୍ବାହ୍ନରେ ସ୍ବାସ୍ଥ୍ୟ ବିଭାଗ ସୁପରଭାଇଜର ନବକିଶୋର ଦାଶ, ସ୍ବାସ୍ଥ୍ୟକର୍ମୀ ପଙ୍କଜିନୀ ପରିଡ଼ା ଓ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ପହଞ୍ଚି କୂଅ ଓ ନଳକୂପ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ବେଳେ ଜଳ ବିଶୋଧନ ପାଇଁ ବ୍ଲିଚିଂ ପକାଇଛନ୍ତି। ଦୂଷିତ ପାଣି ଏବଂ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ରୋଗ ବ୍ୟାପିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠାରେ ଜଳଯୋଗାଣ ପାଇଁ ଥିବା ଗୋଟିଏ କୂଅ ଓ ନଳକୂପ ଚାରିପାଖେ ଚାନ୍ଦିନୀ ଭାଙ୍ଗି ଯାଇଥିବାରୁ ପାଣି ଜମି ଦୂଷିତ ହେଉଛି। କିଛି ଲୋକ ବେଆଇନ ଭାବେ ପାନୀୟ ଜଳ ପ୍ରକଳ୍ପରୁ ଖରା ଦିନେ ପାଇପ ଲାଇନ କାଟି ନିଜର ପୋଖରୀକୁ ପାଣି ନେଇ ବନ୍ଦ ନକରିବା ଦ୍ବାରା ପୋଖରୀର ପ୍ରଦୂଷିତ ପାଣି ମିଶି ଷ୍ଟାଣ୍ଡପୋଷ୍ଟକୁ ଯୋଗାଣ ହେଉଛି। ଗ୍ରାମ ଜଳଯୋଗାଣ ସହକାରୀ ଯନ୍ତ୍ରୀ ରଜନୀକାନ୍ତ ପାଣିଗ୍ରାହୀ ଓ ଜଳଯୋଗାଣ କର୍ମଚାରୀ ହରେକୃଷ୍ଣ ପାଣ୍ଡେ ପ୍ରମୁଖ ଗ୍ରାମରେ ପହଞ୍ଚି ତଦନ୍ତ ସମୟରେ ଏଭଳି ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର