ଖଣ୍ଡଗିରି : ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକ ଯାଁଳା ପଞ୍ଚାୟତରେ ଆଶାକର୍ମୀ ଅଭାବ ଯୋଗୁଁ ତୃଣମୂଳସ୍ତରର ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଏହି ପଞ୍ଚାୟତରେ ୧୦ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବା ବେଳେ ମାତ୍ର ୪ଜଣ ଆଶାକର୍ମୀ ନିଯୁକ୍ତି ପାଇଛନ୍ତି। ଫଳରେ ସ୍ବାସ୍ଥ୍ୟସେବା ଜନିତ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ, ଟିକାକରଣ ଓ ସର୍ବେକ୍ଷଣ ଭଳି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଅଭିଯୋଗ ହେଉଛି। ଏବେ ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ତୃଣମୂଳସ୍ତରରେ ଆଶାକର୍ମୀଙ୍କ ଆବଶ୍ୟକତା ରହିଥିବା ବେଳେ ଯାଁଳାରେ ଏହାର ଅଭାବ ପରିଲକ୍ଷିତ ହେଉଛି। ଓଗାଳପଡ଼ା ମୌଜାରୁ ମିଳିଥିବା ଅଭିଯୋଗ ଅନୁସାରେ, ସେଠାରେ ଓଗାଳପଡ଼ା-୧, ଓଗାଳପଡ଼ା-୨ ଓ ଏକ ମିନି ଅଙ୍ଗନବାଡ଼ି ଏମିତି ୩ଟି କେନ୍ଦ୍ର ରହିଛି। ପାଖାପାଖି ୩ ହଜାରରୁ ଅଧିକ ଜନସଂଖ୍ୟା ଥିବା ଏହି ଅଞ୍ଚଳରେ ମାତ୍ର ଜଣେ ଆଶାକର୍ମୀଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଓଗାଳପଡ଼-୧ ଅଞ୍ଚଳ ପାଇଁ ନିଯୁକ୍ତି ପାଇଥିଲେ। ପରେ ଓଗାଳପଡ଼ା-୨ଓ ମିନି ଅଙ୍ଗନବାଡ଼ି ଅଞ୍ଚଳ ପାଇଁ ଆଉ ଜଣଙ୍କୁ ଆଶାକର୍ମୀ ଭାବେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା। ମାତ୍ର ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଏବେ ମହାମାରୀ କରୋନା ପାଇଁ ଘରକୁ ଘର ବୁଲି ଯାଞ୍ଚ କରାଯାଉଛି। ଜଣେ ଶିକ୍ଷକ, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ନେଇ ଗଠିତ ସ୍କ୍ବାଡ୍ ଏହି ଯାଞ୍ଚ କରୁଛି। ମାତ୍ର ଯାଁଳା ପଞ୍ଚାୟତରେ ଏହି ସ୍କ୍ବାଡ୍ ଅଧପନ୍ତରିଆ କାମ କରୁଛି। ଯଥେଷ୍ଟ ସଂଖ୍ୟକ ଆଶାକର୍ମୀ ନଥିବାରୁ ସର୍ଭେ କାମ ବିଳମ୍ବିତ ହେବା ସହ ଠିକ୍ ହେଉଛି କି ନାହିଁ , ତାହା ବି ସନ୍ଦେହ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଯାଁଳାରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ, ୧୦ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବା ବେଳେ ରହିଛନ୍ତି ମାତ୍ର ୪ଜଣ ଆଶାକର୍ମୀ
/sambad/media/post_attachments/wp-content/uploads/2019/04/doctors-784x441.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)