କ୍ୟାପିଟାଲ ହସ୍ପିଟାଲରେ ଏମିତି ମିଳୁଛି ରୋଗୀ ସେବା: ଦାନରେ ମିଳୁଛି ହ୍ବିଲ ଚେୟାର, ରୋଗୀଙ୍କୁ ଦିଆଯାଉଛି ଭଙ୍ଗା

୩ ବର୍ଷରେ ଦାନରେ ମିଳିଛି ୨୪ଟି ଲେଖାଏ ହ୍ବିଲ ଚେୟାର ଓ ଷ୍ଟ୍ରେଚର

ଭୁବନେଶ୍ବର: ଦୁଇ ଦିନ ତଳେ ସଂଧ୍ୟାରେ ଜଣେ ବୟସ୍କ ମହିଳା କ୍ୟାପିଟାଲ ହସ୍ପିଟାଲର କାଜୁଆଲଟିରେ ପହଞ୍ଚିଥିଲେ। ଦେହ ଖରାପ ଯୋଗୁଁ ଚାଲି ପାରୁ ନ ଥିଲେ। ପରିବାରଲୋକ କାଜୁଆଲିଟି ସମ୍ମୁଖରେ ଥିବା ହ୍ବିଲ ଚେୟାରରେ ବସାଇ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ହ୍ବିଲ ଚେୟାରର ପଛ ପାଖର ବାମ ପଟ ଚକ ଭାଙ୍ଗି ଯାଇଥିବାରୁ ମହିଳାଜଣକ ସେଥିରେ ଯାଇ ପାରି ନଥିଲେ। ଏପରିକି ପଡ଼ିଯିବା ପରିସ୍ଥିତି ସୃଷ୍ଟି ହେବାରୁ ପରିବାରଲୋକ ତାଙ୍କୁ ଧରି ଧରି କଷ୍ଟେମଷ୍ଟେ କାଜୁଆଲଟିକୁ ନେଇଥିଲେ। ଶେଷରେ ହସ୍ପିଟାଲର ଜଣେ କର୍ମଚାରୀ ଏହି ଭଙ୍ଗା ହ୍ବିଲ ଚେୟାରକୁ ଗୋଟିଏ କୋଣକୁ ଠେଲି ଦେଇଥିଲେ। ଏହା ହେଉଛି କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଜଣେ ରୋଗୀଙ୍କ କଥା। ପ୍ରତ୍ୟେକ ଦିନ ଶହ ଶହ ରୋଗୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ସେମାନଙ୍କୁ କିଭଳି ଚିକିତ୍ସା ଉପଲବ୍ଧ ହେଉଥିବା ଗୋଟିଏ ଘଟଣାରୁ ଅନୁମାନ କରାଯାଇପାରେ। ପୂର୍ବରୁ ଏଭଳି ସମାନ ଢଙ୍ଗରେ ରୋଗୀମାନେ ହ୍ବିଲ୍‌ ଚେୟାର ଭାଙ୍ଗିଯିବା କାରଣରୁ ତଳେ ପଡ଼ି ଯାଇଥିବା ଅଭିଯୋଗ ହୋଇଛି। ଏମିତି ନୁହେଁ ଯେ କ୍ୟାପିଟାଲ ହସ୍ପିଟାଲରେ ହ୍ବିଲ ଚେୟାର୍‌ ନାହିଁ। ବିଭିନ୍ନ ସଂଗଠନ ପକ୍ଷରୁ ହ୍ବିଲ ଚେୟାର ଓ ଷ୍ଟ୍ରେଚର୍‌ ଯୋଗାଇ ଦିଆଯାଉଛି। ମାତ୍ର ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଅଳ୍ପ ଦିନରେ ଏହା ଭାଙ୍ଗି ଯାଉଛି। ଗତ ଜାନୁଆରି ମାସରେ କ୍ୟାପିଟାଲ ହସ୍ପିଟାଲକୁ ସୂଚନା ଅଧିକାର ଆଇନ‌ ଜରିଆରେ କେତେ ସଂଖ୍ୟକ ହ୍ବିଲ ଚେୟ‌ାର ଓ ଷ୍ଟ୍ରେଚର ରହିଛି, ତାହାର ଏକ ତଥ୍ୟ ମଗା ଯାଇଥିଲା।

ଏଥିରେ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ୩ବର୍ଷ ଭିତରେ କ୍ୟାପିଟାଲ ହସ୍ପିଟାଲକୁ ଦାନ ସୂତ୍ରରେ ୨୪ଟି ହ୍ବିଲ ଚେୟାର ମିଳିଛି। ତହିଁରୁ ଏସ୍‌ବିଆଇ ପକ୍ଷରୁ ସର୍ବାଧିକ ୧୫ଟି ଦିଆଯାଇଥିବା ବେଳେ ପୁଣ୍ୟ ଉତ୍କଳ ପକ୍ଷରୁ ୫ଟି, ରାଜା କ୍ଲବ୍ ଗୋଟିଏ ଓ ୩ଜଣ ବ୍ୟକ୍ତିବିଶେଷ ‌ଗୋଟିଏ ଲେଖାଏ ହ୍ବିଲ୍ ଚେୟାର ଦାନ କରିଛନ୍ତି। ସମୁଦାୟ ୪୪ଟି ହ୍ବିଲ ଚେୟାର ହସ୍ପିଟାଲରେ ଥିବା ବେଳେ ୧୪ଟି କାର୍ଯ୍ୟକ୍ଷମ ରହିଛି। ଏହାସହ ୧୦ଟି ରିଜର୍ଭ ଥିବା ବେଳେ ୨୦ଟି ଭଙ୍ଗା ଅବସ୍ଥାରେ ଷ୍ଟୋରରେ ପଡ଼ିଛି। ‌ହସ୍ପିଟାଲର ୧୦ଟି ହ୍ବିଲ୍‌ ଚେୟାର୍‌ ରିଜର୍ଭ ଥିବା ବେଳେ କାଜୁଆଲିଟି ଭଳି ସମ୍ବେଦନଶୀଳ ସ୍ଥାନରେ କିଭଳି ଭଙ୍ଗା ହ୍ବିଲ ଚେୟାର ରଖାଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଗତ ୩ବର୍ଷରେ କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ସଂସ୍ଥା ପକ୍ଷରୁ ୨୪ଟି ଷ୍ଟ୍ରେଚର ଯୋଗାଇ ଦିଆଯାଇଛି। ତହିଁରୁ ଏସ୍‌ବିଆଇ ପକ୍ଷରୁ ସର୍ବାଧିକ ୨୦ଟି ଷ୍ଟ୍ରେଚର ରହିଥିବା ବେଳେ ରାଜ୍ୟ ମାନବାଧିକାର କମିସନ ପକ୍ଷରୁ ୪ଟି ଦିଆଯାଇଛି। ହସ୍ପିଟାଲରେ ଏବେ ସମୁଦାୟ ୫୦ଟି ‌ଷ୍ଟ୍ରେଚର ଥିବା ବେଳେ ୩୦ଟି କାର୍ଯ୍ୟକ୍ଷମ ରହିଛି। ୩ଟି ରିଜର୍ଭ ଥିବା ବେଳେ ଆଉ ୧୭ଟି ଭାଙ୍ଗି ଯାଇଛି। ହସ୍ପିଟାଲରେ ଏବେ ଯେତିକି ସଂଖ୍ୟକ ଷ୍ଟ୍ରେଚର୍‌ କାର୍ଯ୍ୟ କରୁଛି, ତାହା ମଧ୍ୟ ରୋଗୀଙ୍କ ପାଇଁ ଯଥେଷ୍ଟ ହେଉନାହିଁ। କାଜୁଆଲଟି ସମ୍ମୁଖରେ କିଛି ‌‌ଷ୍ଟ୍ରେଚର୍‌ ରହୁଥିବା ବେଳେ ବିଭିନ୍ନ ୱାର୍ଡକୁ ଦିଆଯାଇଥିବା ଷ୍ଟ୍ରେଚର୍‌ଗୁଡ଼ିକୁ ସଂପୃକ୍ତ ୱାର୍ଡରେ ରୋଗୀ ସେବା ବଦଳରେ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି।

ରାଜ୍ୟ ସରକାର ହସ୍ପିଟା‌ଲରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ‘ମୋ ସରକାର’ ଯୋଜନା ଆରମ୍ଭ କରିଛନ୍ତି। ଏପରିକି କ୍ୟାପିଟାଲ ହସ୍ପିଟାଲକୁ ଏକ ଉନ୍ନତ ହସ୍ପିଟାଲରେ ପରିଣତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘନ ଘନ ବୈଠକ ବସୁଛି। ମାତ୍ର ସାଧାରଣ ଭାବେ ରୋଗୀଙ୍କୁ ଆବଶ୍ୟକ ହେଉଥିବା ହ୍ବିଲ ଚେୟାର ଯୋଗାଇ ଦେବା ଲାଗି ହସ୍ପିଟାଲ କର୍ତୃପକ୍ଷ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆ ନ ଯିବା ରୋଗୀଙ୍କୁ ଅସନ୍ତୋଷ କରିଛି। ଏହି ଘଟଣାରେ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଡା. ନାରାୟଣ ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କଠାରୁ କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର