ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ସ୍ବାସ୍ଥ୍ୟସେବା ଏକ ପ୍ରହସନରେ ପରିଣତ ହେଲାଣି। ଗୋଟିଏ ପଟେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯାଉନଥିବାବେଳେ ଅନ୍ୟପଟେ ମାନସମ୍ବଳ ବୃଦ୍ଧି ପାଇଁ ପ୍ରୟାସ ହେଉନି। ସଂପ୍ରତି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ଏକମାତ୍ରା ସାହା ଭରସା ପାଲଟିଛି। କିନ୍ତୁ ଏହା ମଧ୍ୟ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବାରେ ବିଫଳ। ଏଠାକାର ଅପର୍ଯ୍ୟାପ୍ତ ଭିତ୍ତିଭୂମି, ବିଶେଷଜ୍ଞ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଅଭାବ ଓ ଆନୁସଙ୍ଗିକ ବ୍ୟବସ୍ଥାର ଘୋର୍ ସଙ୍କଟ ଯୋଗୁ, ଗରିବଖଟିଖିଆ ସେବା ପାଇବାରୁ ବଞ୍ଚିତ। ଏଣୁ, ସହରରେ ଏକ ସରକାରୀ ଡାକ୍ତରଖାନା ସ୍ଥାପନ ଏକମାତ୍ର ବିକଳ୍ପ ପାଲଟିଛି। ତେବେ ସରକାର ଏନେଇ ଗୁରୁତ୍ବ ଦେଉନଥିବାରୁ ସ୍ବାସ୍ଥ୍ୟସେବା ନିମ୍ନଗାମୀ ହେବାରେ ଲାଗିଛି।
ରାଉରକେଲା ଓ ଆଖପାଖ ଅଞ୍ଚଳବାସୀଙ୍କ ଏକ ମାତ୍ର ଭରସା ପାଲଟିଛି ଆର୍ଜିଏଚ୍। ଏଠାକୁ ପ୍ରତ୍ୟହ ୧୫୦୦ରୁ ଅଧିକ ରୋଗୀ ଆସୁଛନ୍ତି। ତେବେ କ୍ଷମତାଠାରୁ ଅଧିକ ରୋଗୀଙ୍କୁ ସେବା ଯୋଗାଇବାରେ ଆର୍ଜିଏଚ୍ ଅସମର୍ଥ। ଏଠାକାର ୪ ଶହ ଶଯ୍ୟାକୁ ୮ ଶହକୁ ବୃଦ୍ଧି କରିବାକୁ ବିଗତ ଦିନରେ ସରକାର ଘୋଷଣା କରିଥିଲେ। କିନ୍ତୁ ଏଯାବତ୍ ଏହା ବାସ୍ତବ ରୂପ ନେଇପାରିଲାନି। ଏଠାକାର ପ୍ରମୁଖ ସମସ୍ୟା ହେଉଛି ବିଶେଷଜ୍ଞ ଡାକ୍ତରଙ୍କ ଅଭାବ। ଏଠାରେ ମଞ୍ଜୁରୀପ୍ରାପ୍ତ ୧୩୮ଟି ଡାକ୍ତର ପଦବି ଥିବାବେଳେ ମାତ୍ର ୫୮ ଜଣ ଡାକ୍ତର ଅଛନ୍ତି। ପାରା ମେଡିକାଲ ଷ୍ଟାଫ୍ ସଙ୍କଟ ମଧ୍ୟ ଚରମ ସୀମାରେ। ଏତଦ୍ବ୍ୟତୀତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଉପକରଣ ମଧ୍ୟ ଉପଲବ୍ଧ ହେଉନି। ଫଳରେ ଏଠାକୁ ଆସୁଥିବା ସୁନ୍ଦରଗଡ଼ଜିଲ୍ଲା ସମେତ ପଡ଼ୋଶୀ ଝାଡ଼ଖଣ୍ଡର ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ/ଭୁବନେଶ୍ୱରକୁ ରେଫର୍ କରାଯାଉଛି। ଆର୍ଜିଏଚ୍ର ଜମିକୁ ସାଗମାଛ ଦରରେ ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲକୁ ଟେକି ଦେବାପରେ ଏଠାରେ ଜମି ଅଭାବ ଦେଖିବାକୁ ମିଳିଛି। ଆଗାମୀ ଦିନରେ ହେବାକୁଥିବା ଆର୍ଜିଏଚ୍ ସଂପ୍ରାସରଣବେଳେ ଏହା ମୁଖ୍ୟ ବାଧକ ହେବା ଜଳଜଳ ହୋଇ ଦିଶୁଛି। ଏଣୁ ବାଲୁଘାଟ କିମ୍ବା ଆର୍ଏସ୍ପିର ଅବ୍ୟବହୃତ ଜମିରେ ଆର୍ଜିଏଚ୍ ଦ୍ବିତୀୟ କ୍ୟାମ୍ପସ୍ ପାଇଁ ଦାବି ହେଉଛି। ଏହାସହ ଆର୍ଜିଏଚ୍କୁ ଜିଲ୍ଲା ହସପିଟାଲ ମାନ୍ୟତା ଦେବାକୁ ରାଜ୍ୟ ସରକାର ଅମଙ୍ଗ। ଗୁଣାତ୍ମକ ଡାକ୍ତରୀ ଶିକ୍ଷା ଓ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ପ୍ରଦାନ କରିବାକୁ ସହରରେ ମେଡିକାଲ କଲେଜ ସ୍ଥାପନ ଅନିବାର୍ଯ୍ୟ ହେଲାଣି। ବିଗତ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ନୂତନ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ରାଉରକେଲାକୁ ସରକାର ଭୁଲିଯାଇଥିଲେ। ସବୁ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ବେ ରାଉରକେଲାକୁ ସରକାରୀ ମେଡିକାଲ କଲେଜ ଓ ହସପିଟାଲରୁ ବଞ୍ଚିତ କରାଯାଉଛି। ଆର୍ଜିଏଚ୍ରେ ମେଡିକାଲ କଲେଜ ସ୍ଥାପନ ପାଇଁ ଦୀର୍ଘବର୍ଷ ହେଲା ଦାବି ହେଉଛି। ୨୦୧୫ ମସିହାରେ ଖୋଦ୍ ପ୍ରଧାନମନ୍ତ୍ରୀ ଇସ୍ପାତ ସୁପରସ୍ପେଶାଲିଟି ହସପିଟାଲ ଓ ମେଡିକାଲ କଲେଜ ପାଇଁ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ହସପିଟାଲ ନିର୍ମାଣକରି ଏକ ବେସରକାରୀ ସଂସ୍ଥା ହାତରେ ଟେକିଦିଆଯାଇଥିଲା।
ଆହୁରି ପଢ଼ନ୍ତୁ: Delhi Red Fort Blast, Odisha Link: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ...!
ମେଡିକାଲ କଲେଜ ଓ ହସପିଟାଲ ଦାବିକୁ ମଧ୍ୟ ଅଣଦେଖା
ତେବେ ମେଡିକାଲ କଲେଜକୁ ଭୁଲିଯାଇଥିଲେ। ସେହିଭଳି ଇଏସ୍ଆଇସି ମେଡିକାଲ କଲେଜ ଓ ହସପିଟାଲ ଦାବିକୁ ମଧ୍ୟ କ୍ରମାଗତଭାବେ ଅଣଦେଖା କରାଯାଉଛି। ସହରରେ ମାତ୍ରାଧିକ ଶିଳ୍ପ ଶ୍ରମିକ ଥିବା ଓ ବର୍ତ୍ତମାନର ଇଏସ୍ଆଇସି ମଡେଲ ହସ୍ପିଟାଲର ଅପରାଗତା ଯୋଗୁ ଏକ ପୂର୍ଣ୍ଣାଙ୍ଗ ଇଏସ୍ଆଇସି ମେଡିକାଲ କଲେଜ ଓ ହସ୍ପିଟାଲର ଦୃଢ଼ ଆବଶ୍ୟକତା ରହିଛି। ଏନେଇ ଗତ ଦୁଇ ଦଶନ୍ଧିହେଲା ଦାବି ହୋଇଆସୁଛି। ଗତ ୨୦୦୯ ମସିହାରେ ରାଉରକେଲାରେ ୫ ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସପିଟାଲ ପାଇଁ ଏକ ପ୍ରସ୍ତାବ ପ୍ରାୟ ଚୂଡ଼ାନ୍ତ ହୋଇଥିଲା। ଏମିତିକି ୨୦୧୪ରେ ଏହାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରକଳ୍ପକୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ମେଡିକାଲ କଲେଜ ସ୍ଥାପନ ପାଇଁ କେବଳ ମିଛ ପ୍ରତିଶ୍ରୁତି ହିଁ ଦିଆଯାଉଛି। ଏତଦ୍ବ୍ୟତୀତ ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ରେ ଏମ୍ବିବିଏସ୍ ଶିକ୍ଷା ସହ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ସ୍ଥାପନହେଲେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଘଟିବାର ସମ୍ଭାବନା ସର୍ବାଧିକ। ଆଇଆଇଟି ଖଡ଼ଗପୁରର ମଡେଲ୍କୁ ଅନୁସରଣ କରି ଏନ୍ଆଇଟିରେ ଏହି ପ୍ରକଳ୍ପ ସ୍ଥାପନ ପାଇଁ ବୁଦ୍ଧିଜୀବୀ ମତ ରଖିଛନ୍ତି। ରେଳବାଇ ପକ୍ଷରୁ ବନ୍ଧମୁଣ୍ଡା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କଲେ, କିଛି ମାତ୍ରାରେ ସ୍ଥିତିରେ ସୁଧାର ଆସିପାରିବ।
ଆହୁରି ପଢ଼ନ୍ତୁ: Life End: ଭଲ ପାଇ ବିବାହ କରିଥିଲେ ଯୁବତୀ, ପରିବାରର ଅଣଦେଖା ପାଇଁ ଜୀବନ ହାରିଲେ!
ରାଉରକେଲା ହେଉଛି ଏକ କସ୍ମୋପଲିଟାନ ସହର। ସହରର ଜନସଂଖ୍ୟା ହିସାବରେ ଯେଭଳିଭାବେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯିବା କଥା, ତାହା ଦେଖିବାକୁ ମିଳୁନି। ବାସ୍ତବରେ ଏ ଦିଗକୁ ଗୁରୁତ୍ବ ଦିଆଯାଉନି। ରାଉରକେଲା ସରକାରୀ ଡାକ୍ତରଖାନା, ଇସ୍ପାତ ଜେନେରାଲ ହସପିଟାଲ ରୋଗୀଙ୍କ ଆବଶ୍ୟକତାକୁ ପୂରଣ କରିପାରୁନି। ଫଳରେ ଜନସାଧାରଣ ଭୁବନେଶ୍ବର/କଟକକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ସହରରେ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ ଏକମାତ୍ର ବିକଳ୍ପ।
-ଡା. ଜ୍ଞାନ ରଞ୍ଜନ ଗିରି, ଅବସରପ୍ରାପ୍ତ ଅଧ୍ୟକ୍ଷ, ହୋମିଓପାଥିକ୍ ମେଡିକାଲ କଲେଜ ଓ ହସପିଟାଲ
‘ରାଉରକେଲାର ସ୍ବାସ୍ଥ୍ୟସେବାରେ ଉନ୍ନତି ଘଟିଛି। ରୋଗୀ ସଂଖ୍ୟାରେ ବୃଦ୍ଧି ହେବାସହ ଘରୋଇ ହସ୍ପିଟାଲ ମଧ୍ୟ ବଢ଼ିଛି। ତେବେ ରୋଗୀ ତୁଳନାରେ ଡାକ୍ତରଙ୍କ ସଂଖ୍ୟା ଢେର୍ କମ୍। ଗୋଟିଏ ଡାକ୍ତର ଦିନକୁ ୨୦/୨୫ ଜଣ ରୋଗୀଙ୍କୁ ଦେଖିବା କଥା, କିନ୍ତୁ ଅଧିକ ରୋଗୀ ଦେଖୁଛନ୍ତି। ଫଳରେ ରୋଗୀକୁ ଦେଖିବାପାଇଁ ଯେତିକି ସମୟ ଦେବା କଥା, ତାହା ଦେଇପାରୁନାହାନ୍ତି। ସରକାରୀ ଡାକ୍ତରଖାନାରେ ରୋଗ ହିସାବରେ ଔଷଧ ମିଳୁନଥିବାରୁ ବାହାରୁ ଆଣିବାକୁ ବାଧ୍ୟ ହେଉଛନ୍ତି। ରୋଗୀଙ୍କ ପାଇଁ ଉନ୍ନତ ସ୍ବାସ୍ଥ୍ୟସେବା ଦିଆଯାଉ।
-ଡା. ପି.କେ. ର୍ବମା, ଚକ୍ଷୁ ବିଶେଷଜ୍ଞ
/filters:format(webp)/sambad/media/media_files/2025/11/12/rourkela-2025-11-12-22-22-07.jpg)
‘ରାଉରକେଲାବାସୀ ବହୁତ ଖୁସୀ ହୋଇଥିଲେ, ଯେତେବେଳେ ଇସ୍ପାତ ପିଜି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ୍ ଉଦ୍ଘାଟିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, କୌଣସି କାରଣରୁ ମେଡିକାଲ କଲେଜ ହୋଇପାରିଲାନି। ଗୋଟିଏ ମେଡିକାଲ କଲେଜ ଓ ରିସର୍ଚ୍ଚ୍ ସେଣ୍ଟର୍ ଖୋଲିଥିଲେ, ରାଉରକେଲା ଓ ପଶ୍ଚିମଓଡ଼ିଶାବାସୀ ତଥା ସୀମାନ୍ତ ଝାଡ଼ଖଣ୍ଡବାସୀ ଉନ୍ନତମାନର ଚିକିତ୍ସାସେବା ପାଇପାରିଥାନ୍ତେ। ବର୍ତ୍ତମାନ କିଛି ବେସରକାରୀ ସଂସ୍ଥା ସେବା ଯୋଗାଉଛନ୍ତି, କିନ୍ତୁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ସେଠାରେ ଚିକିତ୍ସା ପାଇପାରୁନାହାନ୍ତି। ଏଣୁ ଗରିବ ଖଟିଖିଆ ଜନସାଧାରଣଙ୍କ ପାଇଁ ଏକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଏକାନ୍ତ ଆବଶ୍ୟକ।’
-ଡା. ସମୀର ପଟ୍ଟନାୟକ, ସିଏମ୍ଓ ଏନ୍ଆଇଟି ରାଉରକେଲା
‘ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଇଥାଏ। କିନ୍ତୁ ସହରରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଜନସାଧାରଣ ଘାଣ୍ଟି ହେଉଛନ୍ତି। ଶିଳ୍ପସଂସ୍ଥାର ଭର୍ପୁର ତଥା ରାଜସ୍ବ ସୃଷ୍ଟିରେ ଆଗରେ ରହୁଥିବା ସ୍ମାର୍ଟସିଟି ରାଉରକେଲାର ସ୍ବାସ୍ଥ୍ୟସେବା ନିମ୍ନଗାମୀ ହେବାରେ ଲାଗିଛି। ସହରବାସୀ ଉନ୍ନତମାନର ଚିକିତ୍ସା ସେବାରୁ ବଞ୍ଚିତ। ଏଠାରେ ସେବା ମିଳୁନଥିବାରୁ ଦୂରଦୁରାନ୍ତକୁ ଯାଇ ଆର୍ଥିକ, ମାନସିକ ଓ ଶାରୀରିକ ସମସ୍ୟା ଭୋଗୁଛନ୍ତି। ଏହି ସ୍ଥିତିରେ ସୁଧାର ଆଣିବାକୁ ବିଗତ ଦିନରେ ଏକାଧିକବାର ପ୍ରତିଶ୍ରୁତି ଦିଆଯାଇଥିଲା; କିନ୍ତୁ ତାହା ବାସ୍ତବ ରୂପ ନେଇପାରିଲାନି। ଅବିଳମ୍ବେ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ।
-ବିଶ୍ବ ଭୂଷଣ ନନ୍ଦ, ଯୁବ ସମାଜସେବୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)