ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାର ଉନ୍ନତି କ୍ଷେତ୍ରରେ ବାୟୋଟେକ୍ନୋଲୋଜିର ଗବେଷଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରୋଗ ନିରୂପଣ, ରୋଗ ପ୍ରତିରୋଧ, ଚିକିତ୍ସା ଉପଚାର ପାଇଁ ପ୍ରସ୍ତୁତ ହେଉଥିବା ଔଷଧ ତିଆରିରେ ଏହା ବେଶ୍‌ ସହାୟକ ହେଉଛି। ଗତ ଶହେ ବର୍ଷ ହେଲା ବିଜ୍ଞାନ ଓ ଟେକ୍ନୋଲୋଜିର ବିକାଶ ହେବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀରେ ପରିବର୍ତନ ଆସିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ(ଆଇଏଲ୍‌ଏସ୍‌)ର ବିଶେଷଜ୍ଞମାନେ କର୍କଟ ରୋଗ, ସଂକ୍ରାମକ ରୋଗ, ବୃକ୍ଷ ଓ ପରିବେଶ ଉପରେ କରୁଥିବା ଗବେଷଣା ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଓ ରୋଗ ନିରାକରଣରେ ସହାୟକ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Advertisment

ପ୍ରୋଟିଓମିକ୍‌ ସୋସାଇଟ୍‌ ଅଫ୍‌ ଇଣ୍ଡିଆର ନବମ ସମ୍ମିଳନୀ ତଥା ରୋଗ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରି ମନ୍ତ୍ରୀ ଜେନା ଏହା କହିଛନ୍ତି। ଆଇଏଲ୍‌ଏସ୍‌ ପରିସରରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ଥିରୁଅନନ୍ତପୁରମ୍‌ସ୍ଥିତ ରାଜୀବ ଗାନ୍ଧୀ ସେଣ୍ଟର ଅଫ୍‌ ଟେକ୍ନୋଲୋଜିର ଡ. ରାଧାକ୍ରିଷ୍ଣନ୍‌ ପିଲାଇ ସ୍ୱତନ୍ତ୍ର ବକ୍ତାଭାବେ ଯୋଗଦେଇ ରୋଗ ନିୟନ୍ତ୍ରଣରେ ବାୟୋଟେକ୍ନୋଲୋଜିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ବାଙ୍ଗାଲୋରସ୍ଥିତ ଆଇଆଇଏସ୍‌ର ପ୍ରଫେସର ଉତ୍ପଳ ଟାଟୁ, ଡ. ଅମୋଲ ସୂର୍ଯ୍ୟବଂଶୀ ପ୍ରୋଟିନ୍‌ର ଗବେଷଣା ଉପରେ ମତବ୍ୟକ୍ତ କରିଥିଲେ। ଆଇଏଲ୍‌ଏସ୍‌ ନିର୍ଦେଶକ ଡ. ଅଜୟ ପରିଡ଼ା ଯୋଗଦେଇ ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟାକୁ ଆଗାମୀ ଦିନରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୨ଟି ପୁସ୍ତିକା ଉନ୍ମୋଚନ ହୋଇଥିଲା। ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୩୦୦ ବୈଜ୍ଞାନିକ, ଗବେଷକ ସାମିଲ ହୋଇଛନ୍ତି।