ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା, ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ବାଲିଅନ୍ତା: ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ, ବାଲିପାଟଣା ଥାନା ଅନ୍ତର୍ଗତ ପାଣିକଟା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ (୬୫)। ପୂର୍ଣ୍ଣଚନ୍ଦ୍ରଙ୍କ ଆଜି ସଂଧ୍ୟା ସାଢ଼େ ୫ଟା ବେଳେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। କିନ୍ତୁ ପୂର୍ଣ୍ଣଚନ୍ଦ୍ରଙ୍କର ଏଭଳି ଆକସ୍ମିକ ମୃତ୍ୟୁକୁ ତାଙ୍କ ପରିବାରଲୋକ ସହଜରେ ଗ୍ରହଣ କରି ପାରିନାହାନ୍ତି। ଚିକିତ୍ସାରେ ତ୍ରୁଟି ଓ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜାଣି ସୁଦ୍ଧା କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାନଯିବା ଯୋଗୁଁ ତାଙ୍କର ମୃତ୍ୟୁ ହେଲା ବୋଲି ପରିବାର ଓ ସଂପର୍କୀୟମାନେ ଅଭିଯୋଗ କରିବା ସହ ହୋହଲ୍ଲା କରିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଳକାଟି ଫାଣ୍ଡି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଡାକ୍ତରଖାନା କର୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ, ପୂର୍ଣ୍ଣଚନ୍ଦ୍ର ବାଲିପାଟଣା ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାରଲୋକ ତାଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ରାତିରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ଆଜି ପୂର୍ବାହ୍ନ ୧୦ଟାରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାରଲୋକ ୧୦୮ ଆମ୍ବୁଲାନ୍ସ ଡକାଇ ପୁନର୍ବାର ବାଳକାଟି ଡାକ୍ତରଖାନାକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟ‌ାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର