ଭୁବନେଶ୍ବର: ନିକଟ ଅତୀତରେ ଏକ କ୍ଲିନିକ୍ ଜାଲ୍ କୋଭିଡ୍ ପ୍ରମାଣପତ୍ର ଦେଇ ଚର୍ଚ୍ଚାକୁ ଆସିଥିଲା। ‘ସମ୍ବାଦ’ ଏହି ଖବର ପ୍ରମାଣ ସହ ସାମ୍ନାକୁ ଆଣିବା ପରେ ରାଜଧାନୀରେ ହଇଚଇ ହୋଇଥିଲା। ଏବେ ଏଭଳି ଆଉ ଏକ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ହେଲ୍ଥ ୱାର୍କର ମୃତ୍ୟୁ ପ୍ରମାଣପତ୍ର ଦେଉଛନ୍ତି।
ଚିନ୍ତାମଣିଶ୍ବରରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ପରେ ଦାହ ସଂସ୍କାର ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ର ବାବଦକୁ କ୍ୟାପିଟାଲ ହସ୍ପିଟାଲରେ ଚାକିରି କରୁଥିବା ଜଣେ ସ୍ବାସ୍ଥ୍ୟକର୍ମୀ ଏହି ପ୍ରମାଣପତ୍ର ଦେଇଛନ୍ତି। ଏହି ପ୍ରମାଣପତ୍ର ଦେବାପାଇଁ ବିଏମ୍ସି ଏକମାତ୍ର ଅଧିକୃତ ସଂସ୍ଥା ହୋଇଥିବା ବେଳେ ଜଣେ ସ୍ବାସ୍ଥ୍ୟକର୍ମୀ କିଭଳି ଏପରି ସାହସ କଲେ ତାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣା ପଦାକୁ ଆସିବା ପରେ ପୂର୍ବତନ କର୍ପୋରେଟର ଅମରେଶ ଜେନା କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍ସି କହିଛି।
ଅଭିଯୋଗ ମୁତାବକ, ୱାର୍ଡ ନମ୍ବର ୧୫ ଚିନ୍ତାମଣିଶ୍ବରରେ ରହୁଥିବା ଯମୁନା ସାହୁଙ୍କର ମୃତ୍ୟୁ ହୋଇଥିଲା। ଦାହ ସଂସ୍କାର ପାଇଁ ମୃତ୍ୟୁ ଜନିତ ଘୋଷଣାପତ୍ରର ଆବଶ୍ୟକତା ହୋଇଥାଏ। ଏହାକୁ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନେ ପ୍ରମାଣିତ କରିଥାନ୍ତି। ଯମୁନାଙ୍କ ମୃତ୍ୟୁ ପରେ ପରିବାର ଲୋକେ ୩୩ ନମ୍ବର ୱାର୍ଡର ସ୍ବାସ୍ଥ୍ୟକର୍ମୀଙ୍କ ସହ ଆବଶ୍ୟକୀୟ ଘୋଷଣାନାମା ପାଇଁ ଯୋଗାଯୋଗ କରିଥିଲେ। ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ଘୋଷଣାନାମା ପରିବର୍ତ୍ତେ ମୃତ୍ୟୁ ପ୍ରମାଣପତ୍ର ଦେଇଥିଲେ। ଏ ନେଇ ଅଭିଯୋଗ ଆସିବା ପରେ ପୂର୍ବତନ କର୍ପୋରେଟର ଶ୍ରୀ ଜେନା ହସ୍ତକ୍ଷେପ କରିଥିଲେ।
ପ୍ରଥମେ ସେ ୧୫ ନମ୍ବର ୱାର୍ଡର ଲୋକଙ୍କ ମୃତ୍ୟୁ ପାଇଁ ୩୩ ନମ୍ବର ୱାର୍ଡର ସ୍ବାସ୍ଥ୍ୟକର୍ମୀ କାହିଁକି ମୃତ୍ୟୁ ଜନିତ କାଗଜପତ୍ର ପ୍ରସ୍ତୁତ କଲେ ତାହାକୁ ଖୋଳତାଡ଼ କରିଥିଲେ। ଖୋଳତାଡ଼ ବେଳେ ଘୋଷଣାନାମା ପରିବର୍ତ୍ତେ ସେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଥିବା ନଜରକୁ ଆସିଥିଲା। ତାଙ୍କ ଅଭିଯୋଗ ମୁତାବକ, ଏହି ନକଲି ପ୍ରମାଣପତ୍ର ସ୍ବାସ୍ଥ୍ୟକର୍ମୀ କିଭଳି ଜାରି କଲେ? ୧୫ ନମ୍ବର ୱାର୍ଡର ଲୋକଙ୍କ ପାଇଁ ସେ କେମିତି ଲେଖିଲେ? ଏହି ନକଲି ପ୍ରମାଣପତ୍ର ଦ୍ବାରା ମୃତକଙ୍କ ପରିବାର ଲୋକେ କୌଣସି ପ୍ରକାରର ସହାୟତା ପାଇବା ପାଇଁ ଯୋଗ୍ୟ ହେବେ ନାହିଁ। ଏଣୁ ଏହା ପଛରେ ରାଜନୀତି ରହିଥିବା ସେ ଆଶଙ୍କା କରି ସମ୍ପୃକ୍ତ ଜୋନ୍ର ଡେପୁଟି କମିସନରଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଏହାର ତଦନ୍ତ ହେବ ବୋଲି ବିଏମ୍ସି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/30-3.jpg)