ଡିସେମ୍ବର ପର୍ଯ୍ୟନ୍ତ ଅପେକ୍ଷା ନ କରି ଏବେଠାରୁ ସୁସ୍ଥ ଓ ଯୁବକଙ୍କୁ ଅକ୍ସଫୋର୍ଡ ଟିକା ଦିଆଯାଉ : ଡା. ମନୋଜ ସାହୁ

ଭୁବନେଶ୍ୱର : ମହାମାରୀ କରୋନା ପ୍ରତିଷେଧକ ଅକ୍ସଫୋର୍ଡ ଟିକାର ପ୍ରଥମ ଓ ଦ୍ବିତୀୟ ମାନବ ପରୀକ୍ଷଣ ସଫଳତାର ସହ ହୋଇ ସାରିଛି। ଏହାର ସୁଫଳ ମଧ୍ୟ ମିଳିଛି। ତେଣୁ ଏହାର ତୃତୀୟ ମାନବ ପରୀକ୍ଷଣ ପର୍ଯ୍ୟନ୍ତ ଅପେକ୍ଷା ନ କରି ଭାରତରେ ଯୁବକ ଓ ସୁସ୍ଥ ଲୋକଙ୍କୁ ଏହି ଟିକା ଦିଆଯିବା ପାଇଁ ପଦ‌କ୍ଷେପ ନିଆଯିବା ଠିକ୍‌ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟରଲୋଜି ବିଭାଗ ମୁଖ୍ୟ ତଥା ଇଣ୍ଡୋ-ବ୍ରିଟିଶ୍‌ ହେଲ୍‌ଥ ଇନିସିଏଟିଭ୍‌ ସଦସ୍ୟ ତଥା ଆଇଏସ୍‌ଜିୟୁଜିଆଇ ବ୍ଲିଡ୍‌ ଟାସ୍କଫୋର୍ସ ସଂଯୋଜକ ଡା. ମନୋଜ କୁମାର ସାହୁ ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ଙ୍କୁ ଏକ ଚିଠି ଲେଖିଛନ୍ତି। ଡା ସାହୁ ଚିଠିରେ ଉଲ୍ଲେଖ କରିଥିବା ସୂଚନାନୁସାରେ ଅକ୍ସଫୋର୍ଡ ଟିକା ଡିସେମ୍ବର ପୂର୍ବରୁ ଉପଲବ୍‌ଧ ସମ୍ଭବ ନୁହେଁ। ତେଣୁ ଡିସେମ୍ବର ପର୍ଯ୍ୟନ୍ତ ଅପେକ୍ଷା ନ କରି ଏବେଠାରୁ ଭାରତରେ ଏହି ଟିକା ଦିଆଯିବା ଠିକ୍‌ ହେବ। ଭାରତରେ ଅଧିକ ସଂଖ୍ୟକ ଯୁବକ ଓ ସୁସ୍ଥ ଲୋକ ଥିବାରୁ ବର୍ତ୍ତମାନ ସେମାନଙ୍କୁ ଏହି ଟିକା ଦେବା ଉପଯୁକ୍ତ ସମୟ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସୁସ୍ଥ ଓ ଯୁବକଙ୍କୁ ଏହି ଟିକା ଦିଆଯିବା ସମ୍ପୂର୍ଣ୍ଣ ସ୍ବେଚ୍ଛା‌କୃତ ହେବ। ଏଥିସହିତ ଟିକା ନେଇଥିବା ଯୁବକଙ୍କ ଉପରେ ନଜର ରଖାଯିବ ଓ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଉପଯୁକ୍ତ ମେଡିକାଲ ସେବା ଯୋଗାଇ ଦିଆଯିବ। ଭାରତ ବିପୁଳ ମାତ୍ରାରେ ଏହି ଟିକା ପ୍ରସ୍ତୁତ କରିବାକୁ ସକ୍ଷମ ଥିବାରୁ ଏହି ପଦ‌କ୍ଷେପ ନେବା ଉପଯୁକ୍ତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର