ରାଜଧାନୀ‌ରେ ସୁସ୍ଥ ହାର କମ୍

୭୪୭ ପଜିଟିଭ୍, ୯୯୫ ସୁସ୍ଥ, ଝାରପଡ଼ା ଜେଲ୍‌ରେ ୨୦ ଆକ୍ରାନ୍ତ

ଭୁବନେଶ୍ବର : ରାଜଧାନୀର କରୋନା ରୋଗୀଙ୍କ ସୁସ୍ଥ ହାର ରାଜ୍ୟ ହାରଠାରୁ କମ୍। ଭୁବନେଶ୍ବରରେ ସୁସ୍ଥ ହାର ୮୩ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୮୭ ପ୍ରତିଶତ ରହିଛି। ଖୋର୍ଧା ଜିଲ୍ଲାର ସିଂହଭାଗ କରୋନା ଆକ୍ରାନ୍ତ କେବଳ ଭୁବନେଶ୍ବରରୁ ଚିହ୍ନଟ ହେଉଛନ୍ତି। ଫଳରେ ଏବେ ବି ରାଜଧାନୀରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧ହଜାର ଉପରେ ରହିଛି। ଜିଲ୍ଲାରେ ଥିବା ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରେ ଏହାର ହେଉଛି ୯୪ ପ୍ରତିଶତ। ଭୁବନେଶ୍ବରରେ ଗତ ୨୪ ଘଣ୍ଟାରେ ୭୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଙ୍ଗରୋଧରୁ ୧୨୧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୬୨୬ଜଣ ଲୋକାଲ କଣ୍ଟାକ୍ଟସ୍ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଯଦିଓ ଗତ ୨୬ ତାରିଖରେ ଏହି ସଂଖ୍ୟା କମ୍ ରହିଥି‌ଲା, ପୁଣିଥରେ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଗତ ୨୪ଘଣ୍ଟାରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବାରୁ କରୋନା ଲଢ଼େଇରେ ଏହା ସାମାନ୍ୟ ଆଶା ସଞ୍ଚାର କରିଛି। ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜଧାନୀରେ ୯୯୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୦.୯୦୩କୁ ବୃଦ୍ଧି ପାଇଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୭୩,୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୧ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି।

ସୂଚନାଯୋଗ୍ୟ, କ୍ବାରାଣ୍ଟିନ୍‌ରୁ ଚିହ୍ନଟ ୧୨୧ଜଣଙ୍କ ମଧ୍ୟରୁ ଲକ୍ଷ୍ମୀସାଗରରୁ ସର୍ବାଧିକ ୭ଜଣ ରହିଛନ୍ତି। ଏହା ବ୍ୟତୀତ ପୁରୁଣା ଭୁବନେଶ୍ବର ଓ ରସୁଲଗଡ଼ରୁ ୬ଜଣ ଲେଖାଏଁ, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ନୟାପଲ୍ଲୀ, ଆଇଆର୍‌ସି ଭିଲେଜ୍‌ରୁ ୫ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସତ୍ୟବିହାର, ଡୁମୁଡୁମା, ଖଣ୍ଡଗିରି, ୟୁନିଟ୍‌-୬, ଜୟଦେବବିହାର, ବଡ଼ଗଡ଼ରୁ ୪ଜଣ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି। ୬୨୬ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୩୩ଜଣ ଚିହ୍ନଟ ହୋଇଥିବା ବେଳେ ଶୈଳଶ୍ରୀବିହାରରୁ ୩୨, ଡୁମୁଡୁମାରୁ ୩୦, ଖଣ୍ଡଗିରିରୁ ୨୮, ନୟାପଲ୍ଲୀରୁ ୨୭, ଝାରପଡ଼ା ୧୬, ଚନ୍ଦ୍ରଶେଖରପୁରରୁ ୧୬, ବରମୁଣ୍ଡାରୁ ୧୮, ଜୟଦେବବିହାରରୁ ୧୧, ଜାଗମରାରୁ ୧୪, ଲକ୍ଷ୍ମୀସାଗରରୁ ୧୨, ଝାରପଡ଼ା ଜେଲ୍‌ରୁ ୨୦, ନୀଳାଦ୍ରିବିହାର ଓ ୟୁନିଟ୍‌-୮ରୁ ୧୩ ଜଣ ଲେଖାଏଁ, ୟୁନିଟ୍‌-୬ରୁ ୧୯, ସୁନ୍ଦରପଦାରୁ ୧୫, ସହିଦନଗରରୁ ୧୨, ଶାସ୍ତ୍ରୀନଗରରୁ ୧୪, ପୁରୁଣା ଭୁବନେଶ୍ବରରୁ ୨୪, ଟଙ୍କପାଣି ରୋଡ୍‌ରୁ ୧୦, ପାତ୍ରପଡ଼ାରୁ ୧୬, ସାମନ୍ତରାପୁରରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର