ମିସ୍‌ ଏସିଆ ପାସିଫିକ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ୨୦୧୭ ପ୍ରତିଯୋଗିତାରେ ଦୁଇଦୁଇଟି ଟାଇଟଲ୍‌ର ହକ୍‌ଦାର ହୋଇଛନ୍ତି ଓଡ଼ିଆ ଝିଅ ସୋନିକା ରୟ। ଓଡ଼ିଶା ସୁନ୍ଦରୀର ମୁକୁଟ ପିନ୍ଧିବା ପରେ ତାଙ୍କ ପାଦ ଆଉ ଅଟକି ନଥିଲା। ଫେମିନା ମିସ୍‌ ଇଣ୍ଡିଆର ଶେଷ ପର୍ଯ୍ୟାୟରେ ସାମିଲ୍‌ ହେବା ସହ ମିସ୍‌ ଇଣ୍ଡିଆ ଏସିଆ ପାସିଫିକ୍‌ ଇଣ୍ଟରନ୍ୟାସ୍‌ନାଲ୍‌ରେ ବିଜେତା ହୋଇ ଫିଲ୍‌ପାଇନ୍‌ସ ଯିବାର ଯୋଗ୍ୟତା ଅର୍ଜନ କରି ଓଡ଼ିଆ ମାଟି ପାଇଁ ଆଣିଥିଲେ ଗୌରବ। ନିକଟରେ ଶେଷ ହୋଇଥିବା ପ୍ରତିଯୋଗିତାରେ ସେ ମିସ୍‌ ଏସିଆ ପାସିଫିକ୍‌ ଇଣ୍ଟରନ୍ୟାସ୍‌ନାଲ୍‌ରେ ପିପୁଲ୍‌ସ ଚଏସ୍‌ ସହ ୧ହଜାର ଡଲାରର ଅର୍ଥରାଶି ଜିତି ଓଡ଼ିଶାକୁ ଫେରିବା ପରେ ତାଙ୍କ ସହ ସତ୍ୟନାରାୟଣ ରାଉତରାୟଙ୍କ ଆଲୋଚନା

Advertisment

ସୁନ୍ଦରୀ ପ୍ରତିଯୋଗିତା ପାଇଁ ଫିଲ୍‌ପାଇନ୍‌ସ ପର୍ଯ୍ୟନ୍ତ ସଫଳ ଯାତ୍ରାର ଅନୁଭୂତି କେମିତି ଥିଲା ?
ମୁଁ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଫିଲ୍‌ପାଇନ୍ସ ଯାଇଥିଲି। ସେ ଦେଶରେ ଦର୍ଶକ ମତେ ଏତେ ଭଲ ପାଇବା ଓ ସମର୍ଥନ ମିଳିବ ମୁଁ କଳନା କରି ନଥିଲି। ଗ୍ରାଣ୍ଡ୍‌ କୋର୍ଡିନେସନ୍‌ ନାଇଟ୍‌ ହେଉଥିବା ବେଳେ ଇଣ୍ଡିଆ ଇଣ୍ଡିଆ ବୋଲି ଚିୟର କରିବାର ସ୍ୱର ଏବେ ବି ମୋ କାନ ପାଖରେ ଗୁଞ୍ଜରିତ ହେଉଛି। ଏହାକୁ ମୁଁ କେବେ ବି ଭୁଲିପାରିବିନି। ସେଠାରେ ଯେତେ କ୍ରିଉ ସଦସ୍ୟ ଥିଲେ ସେମାନେ ମତେ ଏତେ ଭଲ ପାଉଥିଲେ ଯେ ଯେତେବେଳେ ୨୧ ଦିନର ଯାତ୍ରା ସାରି ମୁଁ ଫେରୁଥିଲି ଲାଗୁଥିଲା ମୁଁ ମୋ’ର ଗୋଟେ ପରିବାରକୁ ଛାଡ଼ିକି ଚାଲି ଆସୁଛି।

ପ୍ରତିଯୋଗିତା ବେଳେ ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ଆପଣଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା କି ?
ଉ: ୨୧ ଦିନ ମଧ୍ୟରେ ଆମକୁ ଶୋଇବା ପାଇଁ ବି ସମୟ ନଥିଲା। ସବୁଦିନ କିଛି ନା କିଛି ରାଉଣ୍ଡ୍‌ ଥାଏ। ଟ୍ୟାଲେଣ୍ଟ୍‌ ରାଉଣ୍ଡ୍‌, ଜାତୀୟ ପୋଷାକ, ପ୍ରଶ୍ନୋତ୍ତର, ସ୍ପନ୍‌ସର ଭିଜିଟ୍‌ ଭଳି ପ୍ରତିଦିନ ଦୁଇଦୁଇଟି ପର୍ଯ୍ୟାୟର ପ୍ରତିଯୋଗିତା ହେଉଥିଲା। ୨୭ ତାରିଖରେ ହୋଇଥିବା ପ୍ରି-ଜଜେସ୍‌ ରାଉଣ୍ଡ୍‌ରେ ୧୮ ଜଣ ଅନ୍ତର୍ଜାତୀୟସ୍ତରର ବିଚାରକ ମୋତେ ପ୍ରଶ୍ନ ପଚାରିଥିଲେ। ଭାରତର ସଂସ୍କୃତି ଏବଂ ମୁଁ କେଉଁ ଜାଗାରୁ ଆସିଛି, ସେକଥା ମୋତେ ପଚାରିଥିଲେ। ମୁଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଅନ୍ୟ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀ ବାବଦରେ କହିବା ପରେ ସେମାନେ ଅଭିଭୂତ ହୋଇଯାଇଥିଲେ।

ଆପଣ ନିଜକୁ କିଭଳି ଉପସ୍ଥାପନ କରିଥିଲେ ?
ଜାତୀୟ ପୋଷାକ ରାଉଣ୍ଡ୍‌ ପ୍ରତଯୋଗିତାରେ ମୁଁ ପଟ୍ଟଚିତ୍ରକୁ ଉପସ୍ଥାପନ କରିଥିଲି। ରାମୁଲିଙ୍କ ଦ୍ୱାରା ଏହା ଡିଜାଇନ୍‌ କରାଯାଇଥିଲା। ମୋ ଦୁପଟାରେ ୩୭ଟି ଭାଷାରେ ମା’ ଲେଖାଯାଇଥିଲା। ମୋ ଲେହେଙ୍ଗାରେ ମଧ୍ୟ ପଟ୍ଟଚିତ୍ର, ବେଙ୍ଗଲ ଓ ପଞ୍ଜାବ ସମେତ ସବୁ ରାଜ୍ୟର ସଂସ୍କୃତି ସ୍ଥାନିତ କରାଯାଇଥିଲା। ବ୍ଲାଉଜ୍‌ରେ ସମସ୍ତ ଫେବ୍ରିକ୍‌କୁ ଖଞ୍ଜା ଯାଇଥିଲା। ମୁଁ ମୋ ପୋଷାକରେ ପୂରା ଭାରତକୁ ଉପସ୍ଥାପନ କରିଥିଲି।

ଆପଣଙ୍କ ମତରେ ସୌନ୍ଦର୍ଯ୍ୟର ପ୍ରକୃତ ସଜ୍ଞା କ’ଣ ?
ଉ: ସୌନ୍ଦର୍ଯ୍ୟର ମାନେ କେବଳ ସୁନ୍ଦର ଚେହେରା ନୁହେଁ, ସୁନ୍ଦର ମନ। ଯାହାର ମନ ଯେମିତି ତା’ର ସେଇ ବ୍ୟକ୍ତିତ୍ୱ ମୁଖମଣ୍ଡଳରେ ପ୍ରକଟିତ ହେବ। ସୁନ୍ଦର ମନ ଥିଲେ ଚେହେରା ଆପେ ଆପେ ସୁନ୍ଦର ଦିଶିବ। ସମସ୍ତଙ୍କୁ ଭଲପାଇବା, ସହାୟତା କରିବା, ସମସ୍ତଙ୍କ ଭଲ ଚାହିଁବା ହିଁ ପ୍ରକୃତ ସୌନ୍ଦର୍ଯ୍ୟ ବୋଲି ମୁଁ ଭାବେ।

ସୁନ୍ଦରୀ ଦିଶିବା ପାଇଁ କ’ଣ କରନ୍ତି ?
ଉ: ମୁଁ ପହଁରେ, ନୃତ୍ୟ ଶିଖେ, ଚାଲେ ଏବଂ ଅନେକ ସମୟରେ ନିଜକୁ କୌଣସି ଆଲୋଚନାରେ ମଜାଇ ରଖିବାକୁ ପସନ୍ଦ କରେ। ମୁଁ ଉକ୍ତ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ମୋ ଦୈନଦିନ ଜୀବନ ଏପରି ହୋଇଯାଇଥିଲା ଯେ ମୁଁ ଘରୁ ସକାଳ ୬ଟାରୁ ବାହାରିଲେ ଘରେ ପହଞ୍ଚିବା ବେଳକୁ ରାତି ୯ଟା ବାଜି ଯାଉଥିଲା। ପୁଣି ଏତେ ବଡ଼ ସୁଯୋଗ ଥିବାରୁ ପରିଶ୍ରମ ବି ନିତାନ୍ତ ଆବଶ୍ୟକ ଥିଲା।

ପ୍ର: ଏତିକିରେ ସନ୍ତୁଷ୍ଟ ନା ଆଉ କିଛି ?
ଉ: ମୋ’ର ଲକ୍ଷ୍ୟ ଜୀବନରେ ସେମିତି କିଛି ନାହିଁ। ମୁଁ କିନ୍ତୁ ମୋ’ର ପରିଶ୍ରମ ଜାରି ରଖିଛି। ବାଟରେ ଅନେକ ସଫଳତାକୁ ଭେଟି ଭେଟି ଚାଲିବା ହିଁ ମୋ’ର ଲକ୍ଷ୍ୟ। ଆଗକୁ ୨ଟି ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିବା ବେଳେ ସେଥିପାଇଁ ବି ସମୟ ଦେବି।