ଭୁବନେଶ୍ବର: ବିଶ୍ୱରେ ହଠାତ୍ ହୃତ୍‌ସ୍ପନ୍ଦନ ବନ୍ଦ କାରଣରୁ ପ୍ରତିବର୍ଷ ପ୍ରାୟ ୨୦ ନିୟୁତ ଲୋକଙ୍କ ମୃତ୍ୟୁ ହେଉଛି। ଭାରତରେ ଏହି ସଂଖ୍ୟା ପ୍ରାୟ ୮ ଲକ୍ଷ। ଯାହା ଦେଶରେ ହେଉଥିବା ମୃତ୍ୟୁ ସଂଖ୍ୟାର ୩୦ ଭାଗ। ଏହା ଏକ ଚିନ୍ତାଜନକ ସ୍ୱାସ୍ଥ୍ୟ ସମସ୍ୟା। ଭାରତରେ ହୃଦ୍‌ସ୍ପନ୍ଦନଜନିତ ମୃତ୍ୟୁ ସଂଖ୍ୟାର ୪୫ ଭାଗ ୫୦ ବର୍ଷରୁ କମ୍‌ ବୟସ୍କ। ୯୦ ଭାଗ ପୀଡ଼ିତ ଡାକ୍ତରଖାନା ବାହାରେ ମରୁଛନ୍ତି। ହୃତ୍‌ସ୍ପନ୍ଦନବନ୍ଦ ଯୋଗୁ ଶରୀରରେ ରକ୍ତ ସଞ୍ଚାଳନ ବନ୍ଦ ହେବାର ୨ରୁ ୩ ମିନିଟ୍ ମଧ୍ୟରେ ମସ୍ତିଷ୍କରେ ଥିବା ଜୀବକୋଷ ନିଷ୍କ୍ରିୟ ହେବା ଆରମ୍ଭ କରେ। ଏହି ସମୟରେ କାର୍ଡିଓପଲମୋନାରି ରିସିଟିଟେସନ(ସିପିଆର) ଏକ ତତ୍କାଳ ପ୍ରାଥମିକ ଚିକିତ୍ସା ସେବା। ଏହା ଏକ ସାଧାରଣ କୌଶଳ ପ୍ରକ୍ରିୟା ଓ ତୁରନ୍ତ ଆରମ୍ଭ କରାଯାଇପାରିଲେ ପୀଡ଼ିତର ବଞ୍ଚିବା ଆଶା ଯଥେଷ୍ଟ ଥାଏ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ କହିଛନ୍ତି।

Advertisment

ବର୍ଷକୁ ଦେଶରେ ପ୍ରାଣ ହରାଉଛନ୍ତି ୮ଲକ୍ଷ
୫୦ ବର୍ଷରୁ କମ୍ ବୟସ୍କଙ୍କ ମୃତ୍ୟୁ ହାର ୪୫%
ଜାତୀୟ ସିପିଆର୍‌ ସପ୍ତାହ ଉଦ୍‌ଯାପିତ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ସିପିଆର ଫାଉଣ୍ଡେସନ୍‌, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧାଜିଲ୍ଲା ଭାରତୀୟ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ, ତ୍ରିଧା ଆମ୍ବୁଲାନ୍ସ, ଟେମ୍ପଲ ସିଟି ଆମ୍ବୁଲାନ୍ସ, ମାତୃକୃପା ଆମ୍ବୁଲାନ୍ସ, ଏକାମ୍ର ଆମ୍ବୁଲାନ୍ସ, ମହର୍ଷି ମହାବିଦ୍ୟାଳୟ ଆମ୍ବୁଲାନ୍ସ, ଏଜି ଆମ୍ବୁଲାନ୍ସ ସହଯୋଗରେ ଗତ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସିପିଆର ସପ୍ତାହ ପାଳିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜନସାଧାରଣଙ୍କୁ ସିପିଆର ଶପଥ ପାଠ, ପୋଷ୍ଟର ଓ କୁଇଜ୍ ପ୍ରତିଯୋଗିତା, ସିପିଆର୍ ତାଲିମ ଦିଆଯାଇଥିଲା। ଆଜି ଏଜି କାର୍ଯ୍ୟାଳୟଠାରେ ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମର ଅତିଥି ଏସ୍‌ସିବି ମେଡିକାଲ କଲେଜର ପ୍ରାଧ୍ୟାପକ ଡା. ଦୀପକ ରଞ୍ଜନ ଦାସ ହୃତ୍‌ସ୍ପନ୍ଦନସ୍ବାଭାବିକ କରିବାରେ ସିପିଆର୍‌ର ଭୂମିକା, କାର୍ଯ୍ୟ ପଦ୍ଧତି ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଡା. ଦାସ କହିଥିଲେ, ଓଡ଼ିଶା ତଥା ଭାରତର ଜନସାଧାରଣ ପଶ୍ଚିମ ଦେଶ ଭଳି ସିପିଆର ଦେବାରେ ଅଭ୍ୟସ୍ତ ନୁହନ୍ତି।

ଆମ୍ବୁଲାନ୍ସ କିମ୍ବା ଡାକ୍ତରୀ ସୁବିଧା ମିଳିଲା ବେଳକୁ ପୀଡ଼ିତଙ୍କ ମୃତ୍ୟୁ ହୋଇଯାଉଛି। ଅନ୍ୟ ଅତିଥିମାନେ କହିଥିଲେ, ହୃତ୍‌ସ୍ପନ୍ଦନ ବନ୍ଦ ହେବାର ପ୍ରଥମ ୦ ମିନିଟ୍ ରୋଗୀ ବଞ୍ଚିବା ପାଇଁ ସୁବର୍ଣ୍ଣ ସମୟ ଓ ପ୍ରାରମ୍ଭିକ ପର୍ଯ୍ୟାୟରେ ସିପିଆର ଦିଆଗଲେ ବଞ୍ଚିବା ଆଶା ବଢ଼ି ଯାଇଥାଏ। ହୃତ୍‌ସ୍ପନ୍ଦନବନ୍ଦ ସମୟରେ ପୀଡ଼ିତର ଛାତିର ବାମପାର୍ଶ୍ୱରେ ହୃତ୍‌ପିଣ୍ଡ ଉପରେ ନିଜର ଦୁଇ ପାପୁଲି ଉପର-ତଳ ରଖି କହୁଣିକୁ ସିଧାରଖି ମିନିଟ୍‌କୁ ୧୦୦ରୁ ୧୨୦ ଥର ଛାତିକୁ ୨ରୁ ୩ ଇଞ୍ଚ ଗଭୀର ପର୍ଯ୍ୟନ୍ତ ଚାପିଲେ, ମସ୍ତିଷ୍କକୁ ପୁନଃ ରକ୍ତ ସଂଚାଳନ ଆରମ୍ଭ ହୋଇଥାଏ। ଏହା ପରବର୍ତ୍ତୀ ଡାକ୍ତରୀ ସୁବିଧା ପର୍ଯ୍ୟନ୍ତ ଚାଲୁ ରଖିବା ଜରୁରୀ ବୋଲି ଅତିଥିମାନେ କହିଛନ୍ତି। ସିପିଆର ଫାଉଣ୍ଡେସନର ସଭାପତି ଡ. ସତ୍ୟଜିତ ସାହୁ, ସମ୍ପାଦକ ଡ. ଅଭିପ୍ସା ବଳ, ସୁଶାନ୍ତ କୁମାର ପଟ୍ଟନାୟକ, ଡ. ନମିତା ପଟ୍ଟନାୟକ, ଡ. ଯଶୋବନ୍ତ ନାରାୟଣ ଜେନା, ଡ. ପ୍ରମୋଦ କୁମାର ମହାପାତ୍ର, ନର୍ସିଂ ଡିଭିଜନ୍ କମାଣ୍ଡର ସଂଜିତା ମହାପାତ୍ର, ଭିକାରି ଚରଣ ସାହୁ ପ୍ରମୁଖ ସିପିଆର ତାଲିମ ଦେଇଥିଲେ।