ଭୁବନେଶ୍ବର : ନା ଘରେ ରହିହେଉଛି ନା ପଦାକୁ ବାହାରି ହେଉଛି। ଦୁଇ ଦିନ ହେଲା ତାତିରେ ଅସ୍ତବ୍ୟସ୍ତ ହେଉଛି ରାଜଧାନୀ। ଯୁଆଡ଼େ ଗଲେ, ଯେଉଁଠି ବି ଛିଡ଼ା ହେଲେ ତାତିରୁ ନିସ୍ତାର ମିଳୁନି। ସକାଳ ୮ଟାରୁ ତାପମାତ୍ରା ୩୫ ଡିଗ୍ରି ପାର୍‌ ହୋଇଯାଉଛି। ଆଉ ଦିନ ଯେତିକି ବଢ଼ୁଛି ତାତି ମଧ୍ୟ ସେହିଭଳି ବଢ଼ିଚାଲୁଛି। ପବନ କଥା ନ କହିବା ଭଲ। ସୂର୍ଯ୍ୟଙ୍କ ପ୍ରକୋପରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ପବନର ଘଣ୍ଟା ପ୍ରତି ବେଗ ସେତେବେଳେ ୩ରୁ ୪ କିମି ରହୁଛି। ଯାହାକି ଜନଜୀବନକୁ ପ୍ରଭାବିତ କରୁଛି।

Advertisment

ପୂର୍ବାହ୍ନରେ ଡହ ଡହ ଖରା ସାଙ୍ଗକୁ ଗୁଳୁଗୁଳି ଅସହ୍ୟ କରିଦେଉଛି। ଲାଗୁଛି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି। ମୁହଁ ନଘୋଡାଇଲେ ପଦାକୁ ବାହାରି ହେଉନି। ମୁଣ୍ଡ ଉପରେ ଛତା ଆଉ ମୁହଁରେ କପଡା ନିତ୍ୟାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ସ୍ଥିତି ଏମିତି ହେଲାଣି ଯେ ପୂର୍ବାହ୍ନ ୧୧ଟାରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। କାଁ ଭାଁ ଗାଡ଼ି ଗଡ଼ୁଛି। ଟ୍ରାଫିକ୍‌ ପୋଷ୍ଟରେ ପୁଲିସ ଅଧିକାରୀଙ୍କୁ ଦେଖିବାକୁ ମିଳୁନି। ଶ୍ରମିକମାନେ ବି ଦୁଇ ଓଳିରେ କାମ କରୁଛନ୍ତି। ‌କେତେକ ସ୍ଥାନରେ ଠିକାଦାରମାନେ ବାଧ୍ୟ କଲେ ବି ଶ୍ରମିକମାନେ ନିର୍ଦେଶ ମାନୁନାହାନ୍ତି। ଜୀବନ ବଞ୍ଚାଇବାକୁ ଛାଇ ଖୋଜୁଛନ୍ତି।

publive-image

ଦୋକାନ, ବଜାର, ହାଟ କଥା ନ କହିବା ଭଲ। ରାଜଧାନୀ ରାସ୍ତାପାର୍ଶ୍ବରେ ଆଉ ପୂର୍ବଭଳି ଉଠାଦୋକାନୀଙ୍କୁ ଦେଖିବାକୁ ମିଳୁନି। ପୂର୍ବାହ୍ନରେ ଫୁଟପାଥରେ ଫଳ ଓ ପାନୀୟ ସାମଗ୍ରୀ ବେପାର କରୁଥିବା ବ୍ୟବସାୟୀଙ୍କୁ ଅଳ୍ପ କିଛି ସ୍ଥାନରେ ଦେଖିବାକୁ ମିଳୁଛି। ନ ହେଲେ ସେମାନେ ଅପରାହ୍ନ ୪ଟା ପରେ ବସୁଛନ୍ତି। ‌‌ଚନ୍ଦ୍ରଶେଖରପୁର ଅଞ୍ଚଳରେ ଫଳ ବେପାର କରୁଥିବା ସନାତନ ସାହୁଙ୍କ କହିବାନୁଯାୟୀ ‌ଜୁନ୍‌ ମାସରେ ଏଭଳି ତାତି ହେବ ବୋଲି ଆଶା ନ ଥିଲା। ଦୁଇ ଦିନ ହେଲା ପ୍ରବଳ ତାତି ହେଉଥିବାରୁ ଗ୍ରାହକଙ୍କ ଦେଖାମିଳୁନି। ୧୧ଟାରୁ ୪ଟା ଯାଏ ହାତ ବାନ୍ଧି ବସିବାକୁ ପଡ଼ୁଛି। ତେଣୁ ସନ୍ଧ୍ୟାରେ ଦୋକାନ ଖୋଲୁଛି। ୟୁନିଟ୍‌-୨ ମ‌ାର୍କେଟର ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହାଣୀ କୁହନ୍ତି ଏବେ ରଜ ବଜାର। ତେଣୁ ଭଲ ବେପାର ହେବା କଥା। କିନ୍ତୁ ତାତି ଯୋଗୁଁ ଦିନ ସମୟରେ କମ୍‌ ଲୋକ ଆସୁଛନ୍ତି। ମାର୍କେଟ ଖାଁ ଖାଁ ହୋଇଯାଉଛି। ଯିଏ ବି ଆସୁଛନ୍ତି ସେମାନେ ଏସି ସୋରୁମ୍‌କୁ ପ୍ରଥମ ପସନ୍ଦ ଭାବେ ଚୟନ କରୁଛନ୍ତି। ଆମ ବେପାର ସେଭଳି ହେଉନି। ତେବେ ସନ୍ଧ୍ୟା ପରେ ପ୍ରବଳ ଭିଡ଼ ହେଉଛି।

ଅନ୍ୟପକ୍ଷ‌ରେ ପ୍ରଚଣ୍ଡ ତାତି ଯୋଗୁଁ ଅଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଦୁଇ ଦିନରେ କେବଳ ଭୁବନେଶ୍ବରରେ ୫୪ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାତି ସାଙ୍ଗକୁ ଘନ ଘନ ବିଦ୍ୟୁତ୍‌ କାଟ୍‌ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି। ଚନ୍ଦ୍ରଶେଖରପୁର, ସହିଦନଗର, ବମିଖାଲ, ଲକ୍ଷ୍ମୀସାଗର, ବଡ଼ଗଡ଼, ପଟିଆ, ଡମଣା, କଳାରାହାଙ୍ଗ, ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଭୀମଟାଙ୍ଗୀ, ବରମୁଣ୍ଡା, ରସୁଲଗଡ଼, ପଳାସପଲ୍ଲୀ, ପୋଖରୀପୁଟ, ଗଙ୍ଗନଗର ଆଦି ସ୍ଥାନରେ ବିଦ୍ୟୁତ୍‌ କାଟ ହେଉଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସି ଛଡ଼ା ଘରେ ରହିପାରୁ ନଥିବା ଲୋ‌କେ ବିଜୁଳି କଟିବା ଦ୍ବାରା ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ଗରମରେ ଆଉଟୁପାଉଟୁ ହେଉଛନ୍ତି।

‌ଅନ୍ୟପକ୍ଷରେ ଆଜି ମଧ୍ୟରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ଝିପିଝିପି ବର୍ଷା ହୋଇଛି। କେତେକ ସ୍ଥାନରେ ବିଜୁଳି ଓ ପବନ ହେବାରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖା ହେଲା ବେଳକୁ ଝିପିଝିପି ବର୍ଷା ଲାଗି ରହିଥିଲା। ବର୍ଷା ଦ୍ବାରା ଲୋକଙ୍କୁ ଆଶ୍ବସ୍ତି ମିଳିଥିଲେ ମଧ୍ୟ ବିଜୁଳି କାଟ ଅସ୍ତବ୍ୟସ୍ତ କରିପକାଇଛି। ଆଜି ପରି ଗୁରୁବାର ମଧ୍ୟ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅଂଶୁଘାତରେ ୨୦ ଅସୁସ୍ଥ

ଚନ୍ଦ୍ରଶେଖରପୁର : ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଫଳରେ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ କାମ କରୁଥିବା ୧୭ଜଣ ଶ୍ରମିକ ଓ ୩ ଜଣ ପଥଚାରୀ ଅଂଶୁଘାତର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଅସୁସ୍ଥ ଅବସ୍ଥାରେ ସ୍ଥାନୀୟ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଳସୁଆ ଅଞ୍ଚଳରେ ନିର୍ମାଣାଧୀନ କୋଠା କାର୍ଯ୍ୟ ଚାଲିଥିବା ବେଳେ ବାସନ୍ତୀ ମୁର୍ମୁ, ମମତା ନାୟକ ଓ ରଶ୍ମିତା ତମାର୍ବି ବେହୋସ ହୋଇ ପଡ଼ିଥିଲେ। ସେମାନଙ୍କୁ ଠିକାଦାର ହସ୍ପିଟାଲ୍‌ରେ‌ ଭର୍ତି କରିଥିଲେ। କଳାରାହାଙ୍ଗ ଅଞ୍ଚଳରେ ନିର୍ମାଣାଧୀନ ଏକ ଆପାର୍ଟମେଣ୍ଟ୍ କାର୍ଯ୍ୟ କରୁଥିବା ଶୁକଦେବ ବେହେରା, ନରେଶ ଜାନି, ରଘୁନାଥ ଜାନି ଓ ଅନାମ ବରୁ ଅସୁସ୍ଥ ହୋଇପଡ଼ିଥିଲେ। ମାରୁତି ବିହାର ଅଞ୍ଚଳରେ ରାସ୍ତା କାମ କରୁଥିବା ଆନି ନାୟକ, ଗୋବିନ୍ଦ ନାୟକ ଓ ରାଜୁ ନାୟକ ଅସୁସ୍ଥ ଅନୁଭବ କରିଥିଲେ। ପଟିଆ କେଳାସାହି ଅଞ୍ଚଳରେ ଗଛ କାଟୁଥିବା ବେଳେ ପ୍ରବଳ ଖରାରେ ଅସୁସ୍ଥ ହୋଇପଡ଼ିଥିବା କେଦାର ମାହାଳି, ମାନଗୋବିନ୍ଦ ଦୁରୁଆ, ପ୍ରଭୁ ନାୟକ ଓ ଅମରଦେବ ବେହେରାଙ୍କୁ ସ୍ଥାନୀୟ ଅଟୋ ଚାଳକ ହସ୍ପିଟାଲ୍‌କୁ ଆଣି ଚିକିତ୍ସା କରିଥିଲେ। କଳାଝରୀ ନିକଟରେ ପୋଲକାମ କରୁଥିବା ସୁଶିଲ ଭୋଇ, ପ୍ରଣବ ଭୋଇ ଓ ଅନନ୍ତ ମହାଭୋଇ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଥି‌ଲେ। ସେହିପରି ଭିଏସ୍ଏସ୍ ନଗର ନିକଟରେ ବିଦ୍ୟାଧର ବାରିକ, ନୀଳାଦ୍ରିବିହାର ଛକରେ ସାନ୍ତନୁ ସାହୁ ଓ ପଟିଆ ଛକରେ ଆର୍ତତ୍ରାଣ ସେନାପତି ନାମକ ୩ଜଣ ପଥିକ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ଅଂଶୁଘାତର ଶିକାର ହୋଇଥିଲେ। ସେମାନଙ୍କୁ ପଟିଆ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। କିମସ୍ ହସ୍ପିଟାଲ୍ ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ଅଂଶୁଘାତ ‌ଶିକାର ବ୍ୟକ୍ତି ଆସୁଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା କରାଯାଇଛି।