ପହିଲାରୁ ତାତିବ ଓଡ଼ିଶା, ୬ ଜିଲ୍ଲା ପାଇଁ ଆଲର୍ଟ

୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା
ପୂର୍ବାହ୍ନରେ ଘରୁ ନ ବାହାରିବାକୁ ପରାମର୍ଶ
ଆଜି ବି କେତେକ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର : ମାଡ଼ି ଆସୁଛି ଖରା। ଏପ୍ରିଲ ପହିଲାରୁ ରାଜଧାନୀ ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ତାତିବ। ବିଶେଷକରି ପ୍ରଥମ ସପ୍ତାହରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ। ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୬ ଜିଲ୍ଲା ପାଇଁ ହିଟୱେଭ୍‌ ଜାରି ହୋଇଛି। ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଉକ୍ତ ୬ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ତେବେ ଏହା ପୂର୍ବରୁ ମାର୍ଚ୍ଚ ୨୯ ଓ ୩୦ରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଲାଗି ରହିବ। ସୋମବାର ପୂର୍ବାହ୍ନ ସୁଦ୍ଧା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାବ୍ୟତୀତ ଜଗତସିଂହପୁର, ପୁରୀ, କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାର ବି ଉତ୍ତର ଓଡ଼ିଶାର ଗୋଟେ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ହାଲୁକା ବର୍ଷା ହୋଇପାରେ। ବୁଧବାର ପାଗରେ ସେତେଟା ପରିବର୍ତ୍ତନ ହେବ ନାହିଁ। ୨୯ରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ଆଶଙ୍କା ଥିବାରୁ ମସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

India Today

ତେବେ ମାର୍ଚ୍ଚ ୩୧ରୁ ଗ୍ରୀଷ୍ମପ୍ରବାହ ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ପାରଦ ୪୦ ଡିଗ୍ରି ଉପରେ ରହିବାର ସମ୍ଭାବନା ଥିବାରୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ହିଟୱେଭ୍‌ ସହ ଆଲର୍ଟ ଜାରି କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଉକ୍ତ ଜିଲ୍ଲାର ଲୋକେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। କଟକ ଜିଲ୍ଲାର ଆଠଗଡ଼ରେ ସର୍ବାଧିକ ୩୧ ମିମି ବର୍ଷା ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ୨୮.୮, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ୨୩.୨ ମିମି ବର୍ଷା ହୋଇଛି। କଟକରେ ୧୮.୮ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର