ସମ୍ଭାଳି ହେଉନି ଗୁଳୁଗୁଳି, ବଳେଇପଡ଼ୁଛି ବିଜୁଳି ଦୁଃଖ

ଭୁବନେଶ୍ବର : ତାପମାତ୍ରା ୪୦ ଡିଗ୍ରି ତଳେ। ମୁଣ୍ଡଫଟା ଖରା ବି ନାହିଁ। କିନ୍ତୁ ଗରମ ସମ୍ଭାଳି ହେଉନାହିଁ। ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ବାହାରଠାରୁ ଘର ଭିତର କିଛି କମ୍ ନୁହେଁ। ବିଜୁଳିର ଲୁଚକାଳି ଖେଳ ଯୋଗୁଁ ଘର ଭିତରେ ବି ସିଝିବାକୁ ପଡ଼ୁଛି। ଏସି, କୁଲର୍‌ ଓ ଫ୍ୟାନ୍‌ କିଛି କାମ ଦେଉନି। ରୋଷେଇ ଘରେ ପଶି ହେଉନି। ବଡ଼ କଲବଲ ଅବସ୍ଥା। ଝାଳରେ ବୁଡ଼ିବୁଡ଼ି ଅବସ୍ଥା ବେହାଲ୍। ଗତ କିଛି ଦିନ ହେଲା ଏମିତି ରହିଛି ରାଜଧାନୀର ପାଣିପାଗ। ଦିନ ତମାମ୍‌ ଏମିତି କଦର୍ଯ୍ୟ ଅବସ୍ଥା। ସନ୍ଧ୍ୟାରେ ଦକ୍ଷିଣା ପବନ ଯୋଗୁଁ ବାହାରେ କିଛିଟା ଆଶ୍ବସ୍ତି ମିଳୁଥିଲେ ବି ଘର ଭିତରେ ଅସମ୍ଭାଳ ଅବସ୍ଥା।

ଗତ ଦୁଇ ଦିନ ହେଲା ଗୁଳୁଗୁଳି ଖୁବ୍‌ ଅସହ୍ୟ ହୋଇପଡ଼ିଛି। ୧୦ଟା ବାଜୁବାଜୁ ରାସ୍ତାଘାଟ ଖାଁ ଖାଁ ହୋଇପଡ଼ୁଛି। ନିହାତି କାମ ନଥିଲେ, ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ନିର୍ମାଣ କାମରେ ଲାଗିଥିବା ଶ୍ରମିକମାନେ କାମ ବନ୍ଦ କରି ଛାଇ ଖୋଜୁଛନ୍ତି। ଗତକାଲିଠୁ ଆଜି ଭିତରେ ରାଜଧାନୀରେ ୩ ଜଣ ଅଂଶୁଘାତର ଶିକାର ହୋଇଥିବା ଖବର ମିଳିଛି। ଗତକାଲି ନିକୋ ପାର୍କ ଛକରେ ଜଣେ ବୟସ୍କ ବ୍ୟକ୍ତି ରାସ୍ତାରେ ବେହୋସ୍ ହୋଇଯାଇଥିଲେ। ସୌଭାଗ୍ୟକୁ ଜଣେ ମହିଳା ଟ୍ରାଫିକ୍ କର୍ମଚାରୀଙ୍କ ତ୍ବରିତ୍ ସେବା ଯୋଗୁଁ ସେ ବଞ୍ଚି ଯାଇଥିଲେ। ଆଜି ପଟିଆ ନନ୍ଦନବିହାର ଛକରେ ଜଣେ ମହିଳା ଫେରିବାଲା ସଂଜ୍ଞାହୀନ ହୋଇପଡ଼ିଥିଲେ। କଳାରାହଙ୍ଗ ପଦ୍ମକେଶରପୁରର ଅନିମା ସାହୁ ବେପାର ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କିମ୍‌ସ ହସ୍ପିଟାଲରେ ଭର୍ତ୍ତି କରିବାରୁ ସେ ବର୍ତ୍ତି ଯାଇଥିଲେ। ସେହିଭଳି ପଟିଆ ହାଟକୁ ପରିବା ଧରି ଆସିଥିବା ଜଣେ ବେପାରୀ ମଧ୍ୟ କାନନବିହାର ଛକରେ ଚେତା ହରାଇ ପଡ଼ିଯାଇଥିଲେ। ସେ ହେଲେ ଅଳସୁଆ ଅଇଁଠାସାହିର ଆଶୀର୍ବାଦ ବେହେରା। ପରିବା ହାଟରୁ ଫେରିବା ବେଳେ ତାଙ୍କର ଏଭଳି ଅବସ୍ଥା ହୋଇଥିଲା ଓ ସ୍ଥାନୀୟ ଲୋକେ ତାଙ୍କୁ ବି କିମ୍‌ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବିଜୁଳି କାଟ୍‌ ଦୁଃଖ ବଳେଇପଡ଼ୁଛି। ରାଜଧାନୀର ବହୁ ଅଞ୍ଚଳରେ ବିଜୁଳି କାଟ୍‌ ହେଉଛି। କେଉଁଠି ପୂର୍ବରୁ ସୂଚନା ଦିଆଯାଉଛି ତ କେଉଁଠି ବିନା ସୂଚନାରେ ଲାଇନ୍‌ କଟିଯାଉଛି। ଆଜି ଖଣ୍ଡଗିରି ସେକ୍‌ସନ୍‌ ଅଧୀନସ୍ଥ ଜାଗମରା, କୋଳଥିଆ, ଆମ୍ରି ଡାକ୍ତରଖାନା ନିକଟସ୍ଥ ଶରଧାପାଲି, ଡୁମୁଡୁମା, ତାଳବଣିଆ, ଆଇଟିଆର କଲେଜ ନିକଟସ୍ଥ ଅଞ୍ଚଳରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିଜୁଳି ସେବା ବାଧାପ୍ରାପ୍ତ ହୋଇଥିଲା। ଫଳରେ ଲୋକମାନଙ୍କ ଦୁର୍ଦଶା ବଢିଯାଇଥିଲା। ଏମ୍ସ ନିକଟସ୍ଥ ରଣସିଂହପୁର ଗ୍ରିଡ୍‌ରେ ସମସ୍ୟା ସୃଷ୍ଟି ହେବାରୁ ମରାମତି ପାଇଁ ମୁଖ୍ୟ ଲାଇନ୍‌ କଟାଯାଇଥିଲା ବୋଲି ବିଭାଗୀୟ ଅଧିକାରୀ କହିଥିଲେ। ସେହିଭଳି ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌, ପଳାସୁଣି, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ବି ବିଜୁଳି କାଟ୍‌ ଗୁଳୁଗୁଳି କଷ୍ଟ ବଢ଼ାଇଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୁଲେଟିନ୍‌ ଅନୁସାରେ ଶନିବାର ଦିନ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ଥିଲା ୩୭.୬ ଡିଗ୍ରି। କିନ୍ତୁ ଗରମ ଯେମିତି ଅସହ୍ୟ ହେଉଥିଲା, ତାପମାତ୍ରା ୪୩ ଡିଗ୍ରି ଭଳି ଅନୁଭୂତ ‌ହେଉଥିଲା। ଏବେ ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ବଢ଼ୁଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବା କଥା ଏବେ ରାଜଧାନୀର ବାୟୁମଣ୍ଡଳ ଆର୍ଦ୍ରତା ୫୦% ଠାରୁ ଅଧିକ। ବାୟୁର ତାପମାତ୍ରା ବଢ଼ିଲେ, ଜଳୀୟବାଷ୍ପ ଧାରଣ କ୍ଷମତା ବୃଦ୍ଧି ପାଇଥାଏ। ବାୟୁରେ ଜଳୀୟବାଷ୍ପ ମାତ୍ରା ବୃଦ୍ଧି ହେଲେ, ତାହା ଅଧିକ ଉତ୍ତପ୍ତ ହୋଇପଡ଼େ। ଏମିତିକି ଏହି ସ୍ଥିତିରେ ମଣିଷ ଶରୀରର ଉତ୍ତାପ ନିର୍ଗତ ହୋଇପାରେନାହିଁ ଓ ଶରୀରର ଉତ୍ତାପ ବୃଦ୍ଧି ପାଏ। ଫଳରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ଗତକାଲିଠାରୁ ରାଜଧାନୀ ବାୟୁମଣ୍ଡଳର ଆର୍ଦ୍ରତା ପ୍ରାୟ ସବୁ ସମୟରେ ୫୦%ରୁ ଅଧିକ ରହିଛି। ଆଜି ସକାଳ ବେଳା ଆର୍ଦ୍ରତା ଥିଲା ୮୮%। ଫଳରେ ତାପମାତ୍ରା ୩୪ ଡିଗ୍ରି ଥିଲେ ବି ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହୋଇଥିଲା। ସେହିଭଳି ସଂଧ୍ୟା ବେଳକୁ ତାପମାତ୍ରା ୩୩ ଡିଗ୍ରି ଥିବା ବେଳେ ଆର୍ଦ୍ରତା ୭୦% ରହିଥିଲା। ତେଣୁ ଗୁଳୁଗୁଳି କମିବା ନାଁ ନେଇନଥିଲା।

ସମ୍ବନ୍ଧିତ ଖବର