ଭୁବନେଶ୍ୱର: ପହିଲି ରଜରେ ପାଗ ବେଶ୍ ଭଲ ଥିଲା। ମେଘୁଆ ପାଗ ସାଙ୍ଗକୁ ରାଜଧାନୀର କିଛି ସ୍ଥାନରେ ଝିପିଝିପି ବର୍ଷା ରଜ ମଉଜକୁ ଖୁବ୍ ସୁନ୍ଦର କରିଥିଲା। କିନ୍ତୁ ଆଜି ସକାଳୁ ପାଗ ବଦଳିଯାଇଥିଲା। ପ୍ରବଳ ଖରା ଯୋଗୁ ଗୁଳୁଗୁଳି ବଢ଼ିଯାଇଥିଲା। କିନ୍ତୁ ଗୁଳୁଗୁଳି ରଜ ମଉଜକୁ ଫିକା କରିପାରିନଥିଲା। କୁଆଁରୀମାନଙ୍କ ଭିତରେ ପହିଲି ରଜ ଭଳି ଉତ୍ସାହ ଦେଖିବାକୁ ମିଳିଥିଲା। କିଏ ଦୋଳିରେ ଝୁଲି ଝୁଲି ସେଲ୍ଫି ନେଉଥିଲା ତ କିଏ ଇନ୍ଷ୍ଟା ରିଲ୍ସ କରୁଥିଲା। ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ପାର୍କ ଠାରୁ ଆରମ୍ଭ କରି ସପିଂ ମଲ୍, ବିଭିନ୍ନ କଲୋନି, ବସ୍ତିରେ ସବୁଠି ରଜ ଦୋଳି ଝୁଲୁଥିଲା। ପରସ୍ପରକୁ ମିଠା ପାନ ଓ ପୋଡ଼ପିଠା ଖୁଆଇ ଏହି ଗଣପର୍ବ ପାଳନ କରୁଥିଲେ ଯୁବତୀ ଓ ମହିଳାମାନେ।
/sambad/media/post_attachments/wp-content/uploads/2024/06/hfsfhfhfh.jpg)
ରଜ ଅବସରରେ ଆଜି ପଠାଣି ସାମନ୍ତ ପ୍ଲାନେଟୋରିୟମ୍କୁ ୧୫୧୯ ଦର୍ଶକ ଆସିଥିଲେ ଏବଂ ୪୦, ୪୪୦ ଟଙ୍କାର ଟିକେଟ୍ ବିକ୍ରି ହୋଇଥିଲା। ସେହିପରି ରାଜ୍ୟ ସଂଗ୍ରହାଳୟ, ଜନଜାତି ସଂଗ୍ରହାଳୟ, ପାନ୍ଥନିବାସ, ଏକାମ୍ର ହାଟ, ପାତ୍ରପଡ଼ା, ନୂଆପଲ୍ଲୀରେ ମଧ୍ୟ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ବିଶେଷକରି ସନ୍ଧ୍ୟା ସମୟରେ ନୂଆପଲ୍ଲୀ ରଜ ମହୋତ୍ସବରେ ପ୍ରବଳ ଭିଡ଼ ଜମିଥିଲା। ଏଠାରେ ବିଭିନ୍ନ ଦୋଳି ଖେଳ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ସେହିଭଳି ବିଭିନ୍ନ ଖାଦ୍ୟ ଷ୍ଟଲ୍ ପାଇଁ ଭିଡ଼ ବି ବଢ଼ିଥିଲା। ବିଭିନ୍ନ ସ୍ଥାନରୁ ପ୍ରବଳ ଲୋକ ଆସିଥିଲେ। ଆଜି ପାନ୍ଥନିବାସ, ନୂଆପଲ୍ଲୀ, ପାତ୍ରପଡ଼ା ଓ ଏକାମ୍ର ହାଟରେ ପୋଡ଼ପିଠା ବିକ୍ରି ବଢ଼ିଥିଲା। ପୋଡ଼ପିଠା ସାଙ୍ଗକୁ ଗଇଁଠା, କରଞ୍ଜି, ଚନ୍ଦ୍ରକଳା, କାକରା, ଲବଙ୍ଗୀ, ଛେନା ଝିଲ୍ଲି ଆଦି ବହୁତ ବିକ୍ରି ହୋଇଥିଲା। ପୋଡ଼ପିଠାର ମୂଲ୍ୟ କିଲୋ ୪୦୦ ରୁ ୪୫୦ ଟଙ୍କା ଥିଲା। ଅନ୍ୟ ପିଠାର ମୂଲ୍ୟ ଗୋଟାକୁ ୨୦ ଟଙ୍କା ଥିଲା। ସେହିପରି ରଜ ପାଇଁ ବିଭିନ୍ନ ଛକରେ ମଧ୍ୟ ପିଠା ଝୁଡ଼ି ବିକ୍ରି ହେଉଥିଲା। ଏଥିରେ ପୋଡ଼ ପିଠା, ଆରିସା, କାକରା, ମଣ୍ଡା, ଲବଙ୍ଗୀ ପିଠା ରହିଥିଲା। ପିଠା ପରିମାଣ ଅନୁସାରେ ଝୁଡ଼ିର ମୂଲ୍ୟ ୨୦୦ରୁ ୨୫୦ ଟଙ୍କା ଥିଲା। ରଜ ଉପହାର ପାଇଁ ଏହି ପିଠା ଝୁଡ଼ିର ଚାହିଦା ଥିଲା।
ସ୍ବସ୍ତି ବନରେ ୫୦୦୦ ଦର୍ଶକ
ଚନ୍ଦ୍ରଶେଖରପୁର: ଭୁବନେଶ୍ବର ରଜ ମହୋତ୍ସବ ପରିଷଦ ପକ୍ଷରୁ କଲ୍ୟାଣପୁର ସ୍ବସ୍ତି ବନରେ ଆୟୋଜିତ ରଜ ମହୋତ୍ସବର ଦ୍ବିତୀୟ ଦିନରେ ଦର୍ଶକଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଥିଲା। ପ୍ରବଳ ଗରମ ସତ୍ତ୍ବେ ପ୍ରାୟ ୫ହଜାର ପାଖାପାଖି ଲୋକ ବିଭିନ୍ନ ସମୟରେ ଏହି କୁଆଖାଇ ପଠା ରଜ ଉତ୍ସବ ପଡ଼ିଆକୁ ବୁଲିଆସିଥିଲେ। ଝାଉଁବଣରେ ବୁଲିବା, ଦୋଳିରେ ଝୁଲିବା ସହ ମିଠା ପାନ ଖାଇ ବେଶ୍ ଉପଭୋଗ କରିଥିଲେ। ଆଜି ଭୁବନେଶ୍ବର ସହରାଞ୍ଚଳରୁ ଅଧିକ ଲୋକ ଏଠାକୁ ଆସି ରଜ ଦୋଳିରେ ଝୁଲିବା ମଜା ଉଠାଇଥିଲେ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଆଜିର ଅତିଥି ଭାବେ ଯୋଗଦେଇଥିଲେ। ସ୍ଥାନୀୟ ଯୁବତୀ ଓ ମହିଳାମାନଙ୍କ ସହ ମିଶି ସେ ରଜ ଦୋଳି ଖେଳିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/shfshsfhhf.jpg)