ଭୁବନେଶ୍ବର : ମୌସୁମୀ ବର୍ଷାକୁ ମୁକାବିଲା କରିବା ପାଇଁ ବିଏମ୍ସି, ପୂର୍ତ୍ତ ବିଭାଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ବିଭିନ୍ନ ଡ୍ରେନ୍ ସଫା କରିବା ସହିତ ରାଜଧାନୀର ୧୦ଟି ଯାକ ନାଳର ବି ସଫେଇ ହୋଇଥିଲା। ବିଭିନ୍ନ ସ୍ଥାନରୁ ଜବରଦଖଲ ଉଚ୍ଛେଦ ହୋଇଥିଲା। ହେଲେ ସବୁ ଫେଲ୍ ମାରିଲା। ମାତ୍ର ଘଣ୍ଟାକରେ ହୋଇଥିବା ୧୬.୫ମିଲିମିଟର ବର୍ଷାରେ ରାଜଧାନୀର ବହୁ ଅଞ୍ଚଳ ଉବୁଟୁବୁ ହୋଇଛି। ଯଦିଓ ପାଣି ଅଧିକ ସମୟ ପାଇଁ ରାସ୍ତାରେ ଜମିକି ରହିନି କିନ୍ତୁ ଯେତିକି ସମୟ ଜମିଲା ସେଥିରେ ରାଜଧାନାବାସୀଙ୍କୁ ନାକେଦମ୍ କରିଦେଲା।
ଲଘୁଚାପ ଜନିତ ବର୍ଷା ରାଜଧାନୀରେ ଆଜିଠୁ ହେବ ବୋଲି ପାଣିପାଗ ବିଭାଗ ତିନି ଦିନ ତଳୁ ପୂର୍ବାନୁମାନ କରିଥିଲା। କିନ୍ତୁ ବିଏମ୍ସି ପକ୍ଷରୁ ଯେମିତି ପ୍ରସ୍ତୁତି ହେବା କଥା ହେଲାନି। ଜାତୀୟ ରାଜପଥରୁ ଆରମ୍ଭ କରି ଜନପଥ, କଟକରୋଡ୍, ବିଦ୍ୟୁତ ମାର୍ଗ, ଜୟଦେବ ବିହାର-ନନ୍ଦନକାନନ ରାସ୍ତା ସମେତ ପୂରା ରାଜଧାନୀରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲା। ରାସ୍ତାରେ ଅଣ୍ଟେ ଉଚ୍ଚରେ ପାଣି ଚାଲିଲା। ଏପରିକି ଓଭରବ୍ରିଜ୍ଗୁଡ଼ିକ ଉପରେ ବି ପାଣି ସୁଅ ଛୁଟିଲା। ତଳି ଅଞ୍ଚଳରେ ତ ସ୍ଥିତି ସାଂଘାତିକ ହୋଇଗଲା। ଅଧିକାଂଶ ଘରେ ପାଣି ପଶିଲା ହେଲେ ବିଏମ୍ସିର ପାଣି ପମ୍ପ କାମ ଦେଲାନି। ପୂରା ରାଜଧାନୀ ଆଜି ଲଘୁଚାପ ବର୍ଷାରେ ଭାସିଛି।
/sambad/media/post_attachments/wp-content/uploads/2019/07/r5-300x191.jpg)
ପୂରା ଜନପଥ ଉବୁଟୁବୁ
ବାଣୀବିହାର ଛକରୁ ଆରମ୍ଭ କରି ରାଜମହଲ ପର୍ଯ୍ୟନ୍ତ ଜନପଥରେ ଆଜି ପାଣି ଜମିଥିବା ଦେଖିବାକୁ ମିଳିଥିଲା। ମଝିରେ ମଝିରେ ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ିଦେଲେ ସବୁଠି ଆଣ୍ଠୁଏ ଉଚ୍ଚରେ ପାଣି ଚାଲିଥିଲା। ଏପରିକି ରୂପାଲି ଛକ, ଶ୍ରୀୟା ଛକରେ ସ୍ଥିତି ସାଂଘାତିକ ହୋଇଥିଲା। ଏହି ରାସ୍ତାରେ ଓପିଟିସିଏଲ୍ ପକ୍ଷରୁ ଭୂତଳ କେବୁଲ୍ ବିଛାଇବା ପାଇଁ ରାସ୍ତା ଖୋଳା ଯାଇଥିବାବେଳେ ଏହା ବର୍ଷା ସମୟରେ ଅସମ୍ଭାଳ ଭିଡ଼ର କାରଣ ସାଜିଥିଲା। ଏପରିକି େକତେକ ସ୍ଥାନରେ ଲୋକ ଏହି ଗାତରେ ପଡ଼ି ଖଣ୍ଡିଆଖାବରା ହୋଇଥିଲେ।
ଆଉ ଦୁଇଦିନ ପ୍ରବଳ ବର୍ଷା, ଏତିକିରେ ଏତେ
ଆଜି ମାତ୍ର ୧୬.୫ମିମି ବର୍ଷାରେ ରାଜଧାନୀ ସ୍ଥିତି ସଙ୍ଗିନ ହୋଇଗଲା। ଏପଟେ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି ସୋମବାର ଓ ମଙ୍ଗଳବାର ପ୍ରବଳ ବର୍ଷା ହେବ। ଯଦି ପାଣିପାଗ ପୂର୍ବାନୁମାନ ସତ ହେଲା ତେବେ ରାଜଧାନୀ ସ୍ଥିତି କେତେ ଦୟନୀୟ ହେବ ତାହା ଆଜି ରାଜଧାନୀବାସୀ ଅନୁମାନ କରିନେଇଛନ୍ତି। ମୌସୁମୀ ପୂର୍ବରୁ ପର୍ଯ୍ୟାପ୍ତ ପ୍ରସ୍ତୁତି ନକରିବା, ରାସ୍ତାଗୁଡ଼ିକର ଭୁଲ୍ ଡିଜାଇନ୍, ହଜାର ହଜାର ଜବରଦଖଲ, ବିଡିଏ ଓ ବିଏମ୍ସିର ବ୍ଲୁ ପ୍ରିଣ୍ଟର ଅଭାବ ରାଜଧାନୀବାସୀଙ୍କୁ ଆସନ୍ତା ଦୁଇ ଦିନ ନାକେଦମ୍ କରିବା ଥୟ।
/sambad/media/post_attachments/wp-content/uploads/2019/07/r7-300x184.jpg)
ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରହିଲାନି
ମୌସୁମୀ ଆସିବା ପୂର୍ବରୁ ବିଏମ୍ସି ପକ୍ଷରୁ କୁହାଯାଇଥିଲା ଯେ, ୬୭ଟି ଯାକ ୱାର୍ଡରେ ସର୍ଭେ ହେବା ପରେ ୩୭ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇଛି। ସେଠାରେ ଯେପରି ପାଣି ନଜମିବ ସେଥିପାଇଁ ପାଣି ପମ୍ପ୍ ମୁତୟନ କରାଯିବ। ଏପରିକି ୧୨ଟି ୫ଏଚ୍ପି ପମ୍ପ, ୬ଟି ୧୦ଏଚ୍ପି ପମ୍ପ୍ ବିଏମ୍ସି ପକ୍ଷରୁ ନିୟୋଜିତ ହେବାକୁ ଥିବାବେଳେ ଅଗ୍ନିଶମ ବିଭାଗର ୧୯ଟି ପମ୍ପ ନିୟୋଜିତ ହେବାର ଥିଲା। ହେଲେ ବହୁ ସମ୍ବେଦନଶୀଳ ଅଞ୍ଚଳରେ ଆଜି ପାଣି ପମ୍ପ ଦେଖିବାକୁ ମିଳିନଥିଲା। ଫଳରେ ଲୋକମାନେ ଜଳବନ୍ଦୀ ହୋଇ ରହିଥିଲେ।
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇ ଫୁଟ ପାଣି
ନୀଳାଦ୍ରିବିହାର ଓ ବିଡିଏ କଲୋନି ରାସ୍ତାରେ ଦୁଇ ଫୁଟ୍ ବର୍ଷା ପାଣି ଜମି ରହିଥିଲା। ରାସ୍ତା କଡ଼ ଡ୍ରେନ୍ ଉଛୁଳି ମଇଳା ପାଣି ରାସ୍ତା ଉପରେ ଯାଉଥିବାରୁ ଯାନବାହନ ଯାତାୟାତରେ ଅସୁବିଧା ହୋଇଥିଲା। ଦୁଇ ଚକିଆ ଓ ସାଇକେଲ୍ ଯାତ୍ରୀମାନେ ଏହି ରାସ୍ତାଦେଇ ଯାତାୟାତ କରିପାରି ନଥିଲେ। ଏପରି ପରିସ୍ଥିତି ଦେଖାଯାଇଥିଲା ନୀଳାଦ୍ରିବିହାର ମାଛ ମାର୍କେଟ ନିକଟ ବ୍ରିଜ୍ ରାସ୍ତାରେ। ସେିହଭଳି ବିଡିଏ କଲୋନି ଫଳ ମାର୍କେଟ ନିକଟ ନନ୍ଦନକାନନ-ଜୟଦେବ ବିହାର ରାସ୍ତା ଉପରେ ପ୍ରବଳ ପାଣି ଜମି ରହିଥିବାରୁ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର୍ ଦମକଳ ବିଭାଗ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ପମ୍ପ ଦ୍ବାରା ପାଣି ନିଷ୍କାସନ କରିଥିଲେ। ପ୍ରାୟ ଦେଢ଼ଘଣ୍ଟା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
/sambad/media/post_attachments/wp-content/uploads/2019/07/r6-300x201.jpg)
ମରୁ ମରୁ ବଞ୍ଚିଗଲେ
ମୂଷଳ ଧାରାରେ ବର୍ଷା ହେବାରୁ ଭୂତଳ କେବୁଲ ବିଛେଇବା ପାଇଁ ରାସ୍ତାକଡ଼ରେ ଖୋଳା ହୋଇଥିବା ଗାତରେ ଆଜି ମା ଝିଅ ଗଳିପଡ଼ି ଅଳ୍ପକେ ବର୍ତି ଯାଇଛନ୍ତି। ବାରମ୍ବାର ଚେତାଇ ଦିଆଯାଇଥିଲେ ମଧ୍ୟ ବର୍ଷା ଦିନେ ରାସ୍ତାକଡ଼ ଖୋଳାଯାଇଥିବାରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଯିବା ପରେ ଶ୍ରୀୟା ଛକରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ ପାଣିପାଗ ବିଭାଗ ସାମ୍ଭାବ୍ୟ ଲଗାଣ ବର୍ଷା ନେଇ ସୂଚନା ଦେଇ ସାରିଥିବା ବେଳେ ରାଜଧାନୀରେ ରାସ୍ତାକଡ଼ରେ ଖୋଳା ହୋଇ ପଡ଼ିଥିବାରୁ ବର୍ଷାରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଏହି ଗାତଗୁଡ଼ିକ ଯେ ସାଂଘାତିକ ହେବ ତାହା ଆଜି ଏକ ଘଟଣାରୁ ସ୍ପଷ୍ଟ ହୋଇଛି। ବିଶେଷତଃ ବର୍ଷା ଓ ପବନ ଯୋଗୁ ବିଦ୍ୟୁତ ସରବରାହ ବନ୍ଦ ରହୁଥିବାରୁ ସନ୍ଧ୍ୟାରେ ଏ ଧରଣର ବର୍ଷା ହେଲେ ଜନପଥରେ ଯା-ଆସ ବିପଜ୍ଜନକ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/r4.jpg)