ଭୁବନେଶ୍ୱର : ରବିବାର ଦିନତମାମ୍ ଅର୍ଥାତ୍ ସକାଳୁ ରାତି ପର୍ଯ୍ୟନ୍ତ ରାଜଧାନୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ସମଗ୍ର ରାଜଧାନୀ ଜଳମଗ୍ନ ହୋଇଯାଇଛି। ବସ୍ତିରୁ ଭିଆଇପି କଲୋନି ପର୍ଯ୍ୟନ୍ତ ସବୁ ଜାଗା ବର୍ଷା ଜଳରେ ଉବୁଟୁବୁ ହୋଇଛି। ରାଜପଥକଡ଼ର ଉଠା ଦୋକାନରୁ ଆରମ୍ଭ କରି ବଡ଼ବଡ଼ ସୋ’ ରୁମ୍ ପର୍ଯ୍ୟନ୍ତ ସବୁ ପାଣିରେ ବୁଡ଼ିଛି। କେଉଁଠି ଘର ଭିତରେ ଆଣ୍ଠୁଏ ଉଚ୍ଚରେ ପାଣି ଘଣ୍ଟା ଘଣ୍ଟା ଧରି ଜମି ରହିଲା ତ କେଉଁ ଗଳିକନ୍ଦିରେ ପାଣିର ପ୍ରଖର ସୁଅ ଛୁଟିଥିଲା। କାଗଜ ଡଙ୍ଗା ଭଳି ବାଇକ୍ ଓ କାର୍ ସବୁ ଭାସିଲା। ବଡ଼ କଥା ହେଉଛି, ଆଜି ରାଜଧାନୀର କେତେକ ସ୍ଥାନ ବେଶ୍ କିଛି ସମୟ ପର୍ଯ୍ୟନ୍ତ ବିଚ୍ଛିନ୍ନାଞ୍ଚଳ ପାଲଟି ଯାଇଥିଲା। ଡ୍ରେନ୍, ରାସ୍ତା, ଡିଭାଇଡର୍ ସବୁ ଏକାକାର ହୋଇଗଲା। କେଉଁଠି ଘର ଦବି ଛାତରୁ କାନ୍ଥ ଅଲଗା ହୋଇଗଲା ତ କେଉଁଠି ଗଛ ଉପୁଡ଼ି ରାସ୍ତାରେ ଶୋଇଲା। ଲଘୁଚାପ ଜନିତ ଏହି ଲଗାଣ ବର୍ଷା ଆଜି ସ୍ମାର୍ଟସିଟିକୁ ଏମିତି ବେହାଲ୍ କରି ପକାଇଥିଲା।
/sambad/media/post_attachments/wp-content/uploads/2021/09/Rajadhani-re-barsha3.jpg)
ଗତରାତିରୁ ରାଜଧାନୀରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ଆଜି ସକାଳୁ ଢୁ ଢୁ ବର୍ଷା ଗାଳିଲା। ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ସ୍ଥାନ ବର୍ଷା ପାଣିରେ ବୁଡ଼ୁଥିଲା। ହେଲେ ଆଜି ବର୍ଷା ସବୁ ରେକର୍ଡ ଭାଙ୍ଗି ଦେଲା। ନୂଆପଲ୍ଲୀ ଇସ୍କନ ମନ୍ଦିର ପାଖରେ ସ୍ବାଭାବିକ ଭାବେ ଛାତିଏ ଉଚ୍ଚାର ପାଣି ଘଣ୍ଟା ଘଣ୍ଟା ଧରି ଜମା ହୋଇଥିଲା। ସବୁଥର ଭଳି ଏଥର ବି ଏଠାରେ ଗାଡ଼ିମଟର ସବୁ ଭାସିଥିଲା। ତେବେ ଆଜି ରାଜମହଲ ଛକର ସ୍ଥିତି ଦେଖିବା ଭଳି ଥିଲା। ଏହି ଛକରେ ପ୍ରାୟ ୨ ଫୁଟ୍ରୁ ଅଧିକ ଉଚ୍ଚରେ ପାଣି ଜମିବା ସହ ଜନପଥରେ ମାଷ୍ଟରକ୍ୟାଣ୍ଟିନ୍ ଛକ ଆଡ଼କୁ ସୁଅ ପଡ଼ିଥିଲା। ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଜନପଥ ବନ୍ୟା ସମୟର ଏକ ଉଚ୍ଛୁଳା ନଦୀର ଭ୍ରମ ସୃଷ୍ଟି କରିଥିଲା। ଜନପଥରେ ଥିବା ପ୍ରାୟ ୪୦ ସୋ’ ରୁମ୍ ଓ ଦୋକାନରେ ପାଣି ପଶି ଯାଇଥିଲା। ପ୍ରାୟ ୩ ଘଣ୍ଟା କାଳ ଗ୍ରାହକ ଓ ବ୍ୟବସାୟୀମାନେ ଜଳବନ୍ଦୀ ହୋଇ ରହିଥିଲେ। ଇଲେକ୍ଟ୍ରୋନିକ୍ସ ସୋ’ରୁମ୍ରେ ପାଣି ପଶି ଯିବାରୁ ଲକ୍ଷଲକ୍ଷ ଟଙ୍କାର କ୍ଷତି ହୋଇଥିବା କିଛି ବ୍ୟବସାୟୀ ଅଭିଯୋଗ କରିଛନ୍ତି। ବେଶି ସମସ୍ୟାରେ ପଡ଼ିଥିଲେ ବସ୍ ଯାତ୍ରୀମାନେ। ବସ୍ରୁ ଓହ୍ଲାଇବା ପରେ ସେମାନେ ସୁରକ୍ଷିତ ଭାବେ ଠିଆ ହେବାକୁ ଜାଗା ନପାଇ ବର୍ଷାରେ ଭିଜିବାକୁ ବାଧ୍ୟ ହୋଇଥିଲେ।
/sambad/media/post_attachments/wp-content/uploads/2021/09/300.jpg)
୩ ଫୁଟ୍ ଦବିଗଲା ୩ ମହଲା, ଘର ଛାଡ଼ି ପଳାଇଲେ ଭଡ଼ାଟିଆ
ଖଣ୍ଡଗିରି : ଡୁମୁଡୁମା ରଘୁନାଥନଗର ଲେନ୍-୪ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ବର୍ଷାରେ ଶିବ ନାୟକଙ୍କ କୋଠା ତିନି ଫୁଟ୍ ତଳକୁ ଦବି ଯାଇଛି। ଏଥିରେ କାହାର କ୍ଷୟକ୍ଷତି ହୋଇ ନଥିଲେ ହେଁ ଭୟରେ ଲୋକେ ଘର ଛାଡ଼ି ଚାଲି ଯାଇଛନ୍ତି। ସୂଚନା ଅନୁଯାୟୀ, ୟୁନିଟ୍-୬ରେ ରହୁଥିବା ଶିବ ନାୟକଙ୍କ ଏହି ଘରଟି ଭଡ଼ାରେ ଲାଗିଛି। ଅନେକ ବର୍ଷ ପୂର୍ବରୁ ତଳ ମହଲା କୋଠା ନିର୍ମାଣ କରିଥିଲେ। କିଛି ଦିନ ହେଲା, ସାଢ଼େ ତିନି ମହଲା ଘର ନିର୍ମାଣ କରିଥିଲେ। ରବିବାର ଦିନ ତମାମ ବର୍ଷା ପରେ ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଘରଟି ଅଚାନକ ଦବି ଯାଇଥିଲା। ଘରର ଫାଉଣ୍ଡେସନ୍ ମଜଭୁତ ନଥିବାରୁ ସମ୍ଭବତଃ ଘରଟି ଦବି ଯାଇଥିବା ଆଶଙ୍କା କରାଯାଉଛି। ବିଶେଷଜ୍ଞଙ୍କ ଅନୁସାରେ, ଷ୍ଟ୍ରକ୍ଚର୍ ଠିକ୍ ନଥିଲେ ଘର ଦବି ଯିବାର ଆଶଙ୍କା ରହିଥାଏ। ଅନୁମୋଦନ ପରେ କୋଠାଟି ନିର୍ମାଣ ହୋଇଛି କି ନାହିଁ ଏହାକୁ ନେଇ ବି ପ୍ରଶ୍ନବାଚୀ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Jaydevvihar.jpg)