ଲଗାଣ ବର୍ଷାରେ ଭାସିଲା ରାଜଧାନୀ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ବିତ୍ପାତ ସୃଷ୍ଟି ହୋଇଥିବାବେଳେ ରାଜଧାନୀରେ ମଧ୍ୟ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଗତ ୪୮ଘଣ୍ଟା ମଧ୍ୟରେ ରାଜଧାନୀରେ ୯୪.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଭଳି ଲଗାଣ ବର୍ଷା ଫଳରେ ବେହାଲ ହୋଇ ଯାଇଛି ରାଜଧାନୀ।  ବର୍ଷା ଯୋଗୁଁ ରାଜଧାନୀରେ ଦୀପାବଳି ସଂପୂର୍ଣ୍ଣ ଫିକା ପଡ଼ି ଯାଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି।

ପାଣିପାଗ ବିଭାଗର ସୂଚନା ମୁତବାକ, ଗୁରୁବାର ସକାଳ ସାଢ଼େ ୮ଟାରୁ ଶୁକ୍ରବାର ସକାଳ ସାଢ଼େ ୮ଟା ମଧ୍ୟରେ ରାଜଧାନୀରେ ୮୨.୨ ମିଲିମିଟର ବର୍ଷା ହୋଇଥିଲା।   ଦୀପାବଳି ପାଇଁ ଅଫିସ୍‌, ସ୍କୁଲ ଓ କଲେଜ ଛୁଟି ଥିବାରୁ ରାସ୍ତାଘାଟ ପୂରା ଖାଲି ହୋଇ ଯାଇଥିଲା। କାଁ ଭାଁ ଲୋକ ଯିବାଆସିବା କରୁଥିବା ଦେଖା ଯାଇଥିଲା। ଦିନ ତମାମ ହୋଇଥିବା ବର୍ଷା ପ୍ରଭାବରେ ଆଚାର୍ଯ୍ୟବିହାର, ଜୟଦେବବିହାର, ରସୁଲଗଡ଼, ବେହେରାସାହି, ସାଲିଆସାହି, ବାଣୀବିହାର, ଚନ୍ଦ୍ରଶେଖରପୁର, ରସୁଲଗଡ଼, ବମିଖାଲ, ଭିଏସ୍‌ଏସ୍‌ନଗର, ପୁରୁଣା ଭୁବନେଶ୍ୱର, ସାମନ୍ତରାପୁର ଆଦି ଅଞ୍ଚଳରେ ବର୍ଷାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ଅନେକ ମନ୍ଦିରରେ ପାଣି ଜମି ଯାଇଥିଲା। ବୈତାଳ ମନ୍ଦିର, ଶିଶିରେଶ୍ୱର, ଗୋସାଗରେଶ୍ୱର ମନ୍ଦିର, ମେଘେଶ୍ୱର, ମହାକାଳେଶ୍ୱର ଓ ମହାକାଳୀଶ୍ୱର ଭଳି ମନ୍ଦିରରେ ପାଣି ଜମି ଯାଇଥିଲା।  ତେବେ ବର୍ଷା ଯୋଗୁଁ ରାଜଧାନୀର ତଳିଆ ଅଞ୍ଚଳ ଏବଂ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ ସବୁଠାରୁ ବେଶି ହଇରାଣ ହୋଇଥିଲେ। କେଉଁଠି ଲୋକଙ୍କ ଘରେ ବର୍ଷା ପାଣି ପଶି ଯାଇଥିଲା ତ ଆଉ କେଉଁଠି ରାସ୍ତା ଉପରେ ବର୍ଷା ପାଣି ଜମତ କାଦୁଅ ପଚପଚ ହୋଇ ଯାଇଥିଲା। ଏହା ବ୍ୟତୀତ ବସ୍ତି ଅଞ୍ଚଳରେ ରହୁଥିବା ଛୋଟ ବେପାରୀ, ଉଠାଦୋକାନୀ ଓ ଦିନ ମଜୁରିଆ ଶ୍ରେଣୀର ଲୋକେ ଦୁଇ ଦିନ ହେଲା କାମକୁ ବାହାରି ପାରି ନ ଥିଲେ।

ସେହିପରି ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍‌ଣ ସାଢ଼େ ୫ଟା ମଧ୍ୟରେ ଆଉ ୧୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ରାଜଧାନୀରେ ଗତକାଲି କଟକଠାରୁ ମଧ୍ୟ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ ରାଜଧାନୀରେ ଦିନ ତମାମ ଝିପିଝିପି ବର୍ଷା ଜାରି ରହିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।  ବର୍ଷା ସହ ପବନ ଯୋଗୁଁ ରାଜଧାନୀର କେତେକ ସ୍ଥାନରେ ଗଛ ଭାଙ୍ଗି ଯାଇଛି। ତେବେ ଗତକାଲି ଅପେକ୍ଷା ଆଜି  ବର୍ଷାର ପରିମାଣ କମ୍‌ ରହିଛି। ତେବେ ଆହୁରି ୨୪ ଘଣ୍ଟା ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଥିବାରୁ ଶନିବାର ମଧ୍ୟ ରାଜଧାନୀବାସୀଙ୍କୁ ବର୍ଷା ବିତ୍ପାତରୁ ତ୍ରାହି ମିଳିବ ନାହିଁ ବୋଲି କୁହାଯାଉଛି।

ବସ୍ତି ଅଞ୍ଚଳରେ ପାଣି ପଶିଲା

ଚନ୍ଦ୍ରଶେଖରପୁର :  ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା କିଛି ବସ୍ତିରେ ଲୋକଙ୍କ ଘରେ ବର୍ଷା ପାଣି ପଶି ଯିବାରୁ ଲୋକମାନେ ହନ୍ତସନ୍ତ ହୋଇଛନ୍ତି। ଗତକାଲି ଏବଂ ଆଜି ଦିନ ତମାମ ବର୍ଷା ଲାଗି ରହିଥିବାରୁ ବିଶେଷ କରି ଚିରଗାଲ୍‌ଟୋଲା ବସ୍ତି, ଇନ୍‌ଫୋସିସ୍‌ ଆଦିବାସୀ ବସ୍ତି, ଶିଖରଚଣ୍ଡି ପାହାଡ଼ ପଛପାଖ ବସ୍ତି, ନୀଳାଦ୍ରିବିହାର ମୁଣ୍ଡାବସ୍ତି ଓ କନ୍ୟାଶ୍ରମ ବସ୍ତିର ଲୋକମାନେ ବସ୍ତି ଭିତରେ ଯାତାୟତରେ  ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି। ଲୋକେ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ  ସୂଚନା ଦେବା ସହ ଏକ ପମ୍ପ୍‌ ଯୋଗେ ପାଣି ନିଷ୍କାସନ କରିଛନ୍ତି। ତଥାପି ବର୍ଷା ଛାଡ଼ି ନଥିବାରୁ ବସ୍ତିରେ ଏବେବି କିଛି ସ୍ଥାନରେ ପାଣି ଜମା ହୋଇ ରହିଛି। ବସ୍ତିର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଦୁର୍ଘଟଣା ଆଶଙ୍କା କରି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଦ୍ୟୁତ କାଟ୍‌ କରାଯାଇଛି। ଏହା ବ୍ୟତୀତ ଚନ୍ଦ୍ରଶେଖରପୁର, ପଟିଆ, ମଞ୍ଚେଶ୍ୱର, କଳାରାହାଙ୍ଗ, ଗାଡ଼କଣ ଓ ପ୍ରେସ୍‌ କଲୋନିର ବିଭିନ୍ନ ସ୍ଥାନରେ ମଧ୍ୟ ବାରାମ୍ବାର ବିଦ୍ୟୁତ୍‌ କାଟ୍‌ କରାଯାଉଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବିଦ୍ୟୁତ୍‌ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ତାର ଛିଡ଼ିବା ଓ ଗଛଡାଳ ଭାଙ୍ଗିଥିବା ସୂଚନା ପାଇ ସାମୟିକ ଭାବେ ଏପରି କରାଯାଇଛି।

ରସୁଲଗଡ଼ ରାସ୍ତା ସ୍ଥିିତି ବେହାଲ

ଭୁବନେଶ୍ୱର :  ଲଗାଣ ବର୍ଷାରେ ବେହାଲ ହୋଇ ପଡ଼ିଛି ରାଜଧାନୀର ରାସ୍ତାଘାଟ। ରସୁଲଗଡ଼ ସମେତ ପଳାସୁଣୀ, ମଞ୍ଚେଶ୍ୱର, ଭିଏସ୍‌ଏସ୍‌ନଗର, ବମିଖାଲ, ହଂସପାଳ, ଲକ୍ଷ୍ମୀସାଗର, ଝାରପଡ଼ା, ଜିଜିପି କଲୋନି, କଟକ ରୋଡ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ତେବେ ରସୁଲଗଡ଼ ଛକ ରାସ୍ତାର ସ୍ଥିତି ସବୁଠାରୁ ଜଟିଳ ହୋଇପଡ଼ିଛି। ରସୁଲଗଡ଼ ଛକରୁ ପଳାସୁଣୀ ଆଡ଼କୁ ଯାଇଥିବା ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଗାଡ଼ି ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅନେକ ଚାଳକ ମଧ୍ୟ ଆହତ ହୋଇଛନ୍ତି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ରାସ୍ତା ବି ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି। ପୂର୍ବରୁ ବିନା ବର୍ଷାରେ ଏହି ରାସ୍ତାରେ ଟ୍ରକ ଯିବା ଆସିବା ଦ୍ୱାରା ନଷ୍ଟ ହୋଇଥିବା ବେଳେ ଏବେ ସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି। ଚକେଇସିଆଣି ଦେଇ ଯାଇଥିବା ଦୟାେଓ୍ଵଷ୍ଟ କେନାଳ କୂଳରେ ବାସ କରୁଥିବା ଲୋକଙ୍କ ଘରକୁ ପାଣି ଘେରି ରହିଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛନ୍ତି।

ସେହିପରି ହଂସପାଳ, ସତ୍ୟବିହାର, ଜଗନ୍ନାଥ ବିହାର, ଝାରପଡ଼ାର ଖାଲୁଆ ସ୍ଥାନରେ ଥିବା ଘରଗୁଡ଼ିକ ମଧ୍ୟ ପାଣି ଘେରରେ ରହିଛି। ଗତକାଲିଠାରୁ ବର୍ଷା ଲାଗିରହିଥିବାରୁ ଖାଲୁଆ ସ୍ଥାନରେ ବି ଆଣ୍ଡୁଏ ଲେଖାଏ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଝାରପଡାରୁ ଜଗନ୍ନାଥ ବିହାର ରାସ୍ତା ଅବସ୍ଥା ବି ଖରାପ ହୋଇଯାଇଛି। ବର୍ଷା ଲାଗିରହିଥିବାରୁ ଲୋକେ ଘରୁ ପଦାକୁ ବାହାରି ପାରି ନାହାଁନ୍ତି। ସ୍କୁଲଗୁଡ଼ିକରେ ଉପସ୍ଥାନ କମ୍‌ ଥିବା ବେଳେ କେତେକ ପ୍ଲେ ସ୍କୁଲ ଆଜି ସକାଳୁ ଛୁଟି ଘୋଷଣା କରି ଦିଆଯାଇଛି।

ବଡ଼ରଘୁନାଥପୁରକୁ ବୁଡ଼ାଇଲା ଇଡ୍‌କୋ ରାସ୍ତା 

ଖଣ୍ଡଗିରି : ଲଗାଣ ବର୍ଷା  ଯୋଗୁଁ ଜଟଣୀ ବ୍ଲକ ମଦନପୁର ପଞ୍ଚାୟତର ବଡ଼ରଘୁନାଥପୁରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା।  ଘରଦ୍ୱାର ରାସ୍ତାଘାଟ ସବୁ ବର୍ଷା ପାଣିରେ ଅଧା ବୁଡ଼ି ଯାଇଛି।   ଇଡ୍‌କୋ ଦ୍ୱାରା ନିର୍ମିତ ଇନ୍‌ଫୋଭ୍ୟାଲି ରାସ୍ତା ପାଇଁ ଏଭଳି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଇନ୍‌ଫୋଭ୍ୟାଲିକୁ ଲମ୍ବିଥିବା ଏହି ନୂଆ ରାସ୍ତାରେ ଅଣଓସାରିଆ କଲଭର୍ଟ ନିର୍ମାଣ କରାଯାଇଥିବାରୁ ସ୍ଥାନୀୟ ଲୋକେ ଏଭଳି ଦୁର୍ଦଶା ଭୋଗୁଛନ୍ତି ବୋଲି କହୁଛନ୍ତି। ଇଂଜିନିୟରମାନଙ୍କ ଦୂରଦୃଷ୍ଟି ଅଭାବ ପାଇଁ ଆଜି ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି ବୋଲି ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।

ଯାଁଳା, ବଡ଼ରଘୁନାଥପୁର, ମଦନପୁର ଓ ହରପୁର ଗହୀର ଦେଇ ଏହି ୧୦୦ ଫୁଟିଆ ରାସ୍ତା ଇନ୍‌ଫୋଭ୍ୟାଲି-୨କୁ ଲମ୍ବିଛି। ୧୬ ନମ୍ବର ଜାତୀୟ ରାଜପଥ ଗୋହିରା ଛକରୁ ଛତାବରକୁ ଲମ୍ବିଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ବଡ଼ରଘୁନାଥପୁର ଛକରେ ଇନ୍‌ଫୋଭ୍ୟାଲି ରାସ୍ତା ମିଶିଛି। ଚଳିତ ବର୍ଷ ଏହି ରାସ୍ତା ନିର୍ମାଣ ଶେଷ ହୋଇଛି। ବଡ଼ ରାସ୍ତାଟି ପାଇଁ ସ୍ଥାନୀୟ ଲୋକେ ବେଶ୍‌ ଖୁସି ଥିଲେ। କିନ୍ତୁ ବର୍ଷା ଦିନ ଆସିବା ପରେ ରାସ୍ତା ତା’ର ଅସଲ ଚେହେରା ଦେଖାଇଛି। ବର୍ଷା ପାଣି ତଳକୁ ନିଷ୍କାସନ ହୋଇ ନ ପାରିବାରୁ ଘରଦ୍ୱାର ବୁଡ଼ୁଛି। ମଦନପୁର କଇଁଫୁଲିଆ ନାଳ ପାଣି ନୂଆ ରାସ୍ତାର କଲଭର୍ଟମାନଙ୍କରେ ନିଷ୍କାସନ ହୋଇପାରୁନାହିଁ। ଫଳରେ ବଡ଼ରଘୁନାଥପୁର ମନ୍ଦିର ନିକଟରେ ରହୁଥିବା ପ୍ରାୟ ୧୨ଟି ପରିବାର ଜଳବନ୍ଦୀ ହୋଇ ରହୁଛନ୍ତି। ଉପେନ୍ଦ୍ର ଦାସ, ଇତିଶ୍ରୀ ପଣ୍ଡା ଓ ଗୋଲକ ମହାନ୍ତିଙ୍କ ଘର ଭିତରେ ପାଣି ଲହଡ଼ି ମାରୁଛି। ଖାଲି ସେତିକି ନୁହେଁ, ଉଦ୍‌ବୃତ୍ତ ବର୍ଷା ପାଣି ବଡ଼ରଘୁନାଥପୁର ଶିବ ମନ୍ଦିର ନିକଟରେ ଉଭୟ ରାସ୍ତାକୁ ବୁଡ଼ାଇ ଅତିକ୍ରମ କରୁଛି।

ଫଳରେ ଇନ୍‌ଫୋଭ୍ୟାଲି ରାସ୍ତା ଓ ଛତାବର ରାସ୍ତା ଧୋଇ ହୋଇଗଲାଣି। ରାତିରେ ଏହି ବାଟ ଦେଇ ଯା’ଆସ କରିବାରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କର୍ମଜୀବୀ ମହିଳା ବା କଲେଜ ଛାତ୍ରୀମାନେ ଅଧିକ ସମସ୍ୟାରେ ପଡ଼ୁଛନ୍ତି। ସେହିଭଳି ଗାଁ ନିକଟ ନୂଆ କଲୋନିରେ ଏହି ପାଣି ରାସ୍ତାଘାଟ ବୁଡ଼ାଇ ବହୁଥିବାରୁ ଲୋକେ ରାତିରେ ଘରୁ ବାହାରି ପାରୁନାହାନ୍ତି। ଏବେ ବର୍ଷା ପାଣି ନିଷ୍କାସନ ପାଇଁ ଇନ୍‌ଫୋଭ୍ୟାଲି ନୂଆ ରାସ୍ତାକୁ କଟା ଯାଇଛି। ତଥାପି ଗହୀରର ପାଣି ନିଷ୍କାସନ ହୋଇ ପାରୁନାହିଁ। ତେଣୁ ଇଂଜିନିୟରମାନେ କିଭଳି ଦୂରଦୃଷ୍ଟିବିହୀନ ପ୍ଲାନ୍‌ କରି ରାସ୍ତା ନିର୍ମାଣ କରିଥିଲେ ତାହା ଜଳଜଳ ହୋଇ ଦେଖାଯାଉଛି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର