ଫଟୋ ଦେଖି ଜାଣନ୍ତୁ ରାଜଧାନୀର ବର୍ଷା ସ୍ଥିତି: ରାଜରାସ୍ତା ଜଳାର୍ଣ୍ଣବ, ଘର ଭିତରେ ପଶିଲା ପାଣି, ଜନଜୀବନ ପ୍ରଭାବିତ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପରେ ସମଗ୍ର ଓଡ଼ିଶା ସହିତ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜଧାନୀର ତଳିଆ ଅଞ୍ଚଳ ବ୍ୟତୀତ ମୁଖ୍ୟ ରାସ୍ତାଗୁଡ଼ିକ ମଧ୍ୟ ଗୁରୁବାର ଜଳାର୍ଣ୍ଣବ ହୋଇଛି।

ରସୁଲଗଡ଼ରୁ କଳ୍ପନା ଛକ ଅଭିମୁଖେ ଯାଇଥିବା କଟକ ରୋଡର ଅନେକ ସ୍ଥାନରେ ଜଳର ସ୍ରୋତ ଲୋକଙ୍କୁ ବହୁ ହଇରାଣ କରିଛି। ସେହିପରି ନୟାପଲ୍ଲୀ, ଚିନ୍ତାମଣିଶ୍ୱର, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଗ୍ୟାରେଜ ଛକ, ଲକ୍ଷ୍ମୀସାଗର ଓ ଭିଏସ୍‌ଏସ୍‌ ନଗର ଅଞ୍ଚଳରେ ବର୍ଷା ଜଳ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଭୁବନେଶ୍ୱରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ଶତାଧିକ ଘର ଭିତରେ ପାଣି ପଶିଛି। ହଜାର ହଜାର ଲୋକ ଦିନ ସାରା ଖାଇବାକୁ ମଧ୍ୟ ପାଇ ନାହାନ୍ତି। ରାସ୍ତାରେ ପାଣି ଜମି ରହିଥିବାରୁ ଟ୍ରାଫିକ ବ୍ୟବସ୍ଥା ଠପ୍‌ ହୋଇଯାଇଛି।

ବେହେରାସାହିରେ ପ୍ରାୟ ଆଣ୍ଠୁଏ ଅଧିକ ଉଚ୍ଚ ସ୍ତରରେ ପାଣି ପ୍ରବାହିତ ହେଉଛି। ବେହାରାସାହିରୁ ୮ ନମ୍ବର କଲ୍ୟାଣ ମଣ୍ଡପକୁ ସଂଯୋଗ କରୁଥିବା ରାସ୍ତାରେ ପାଣି ଲହଡି ମାରିଛି। ଅନେକ ଲୋକଙ୍କ ଘରେ ପଶି ଯାଇଛି। ଜୟଦେବ ବିହାରରେ ଅପରାହ୍ଣରେ ବର୍ଷା ଯୋଗୁଁ ପାଗ ଏତେ ଖରାପ ଥିଲା ଯେ, କାର ଚାଳକମାନେ ହେଡଲାଇଟ ଜଳାଇଥିଲେ।

ଝାରପଡ଼ା ବୈରାଗୀନଗରରେ ଦମକଳ ବାହିନୀ ଜଳ ନିଷ୍କାସନରେ ଲାଗିଥିଲେ। ସେହିପରି ୩୩ ନମ୍ବର ଓ୍ଵାର୍ଡ ଶାନ୍ତିନଗରରେ ବର୍ଷା ଜୋଗୁଁ ବମିଖାଲ କେନାଲ ରୋଡରେ ପାଣି ଜମିଥିଲା। ଝାରପଡ଼ାରେ ଲୋକେ ୧୦ ନମ୍ବର ଡ୍ରେନ ଭାଙ୍ଗି କେନାଲକୁ ପାଣି ଛାଡ଼ିଛନ୍ତି।

 

ସମ୍ବନ୍ଧିତ ଖବର