ରାଜଧାନୀରେ ନିର୍ଧୁମ୍‌ ଛେଚିଲା

୯ ଘଣ୍ଟାରେ ୨୮.୫ ମିଲିମିଟର ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶୁକ୍ରବାର ରାଜଧାନୀରେ ପ୍ରବଳ ବର୍ଷା ହୋଇଛି। ସକାଳ ପ୍ରାୟ ସାଢ଼େ ୮ଟାରୁ ଅପରାହ୍‌ଣ ସାଢ଼େ ୫ଟା ପର୍ଯ୍ୟନ୍ତ ରାଜଧାନୀରେ ୨୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସହ ଘଣ୍ଟାକୁ ୪୦ କି.ମି ବେଗରେ ମଧ୍ୟ ପବନ ବୋହିଥିଲା। ଏହାର ପ୍ରଭାବରେ ରାଜଧାନୀର ଅଧିକାଂଶ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେବା ସହିତ ଲୋକମାନେ ଘରୁ ବାହାରି ପାରି ନ ଥିଲେ।

ଆଜି ସକାଳୁ ସକାଳୁ ରାଜଧାନୀରେ ବର୍ଷା ଆରମ୍ଭ ହୋଇଯାଇଥିଲା। ସମୟ ବଢ଼ିବା ସହିତ ବର୍ଷାର ପରିମାଣ ମଧ୍ୟ ବଢ଼ି ଚାଲିଥିଲା। ୩ ଘଣ୍ଟା କାଳ ମୂଷଳ ଧାରାରେ ବର୍ଷିଥିଲା। ଦିନ ପ୍ରାୟ ୧ଟା ବେଳକୁ ବର୍ଷା ସାମାନ୍ୟ କମି ଯାଇଥିଲା। ଦିନତମାମ ବର୍ଷାର ପ୍ରଭାବରେ ରାଜଧାନୀର ଅଧିକାଂଶ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା। ଆଚାର୍ଯ୍ୟବିହାର, ଜୟଦେବବିହାର, ବେହେରାସାହି, ଇସ୍କନ୍‌ ମନ୍ଦିର ସମ୍ମୁଖ ରାସ୍ତା, ରସୁଲଗଡ଼, ରବି ଟକିଜ ଓ ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ପାଣି ଭରି ଯାଇଥିଲା। ବିଶେଷକରି ଜାତୀୟ ରାଜପଥରେ ଲୋକମାନଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଧିକାଂଶ ଛକରେ ପାଣି ଜମି ରହିଥିବାରୁ ଯୋଗୁଁ ଲୋକମାନଙ୍କୁ ଯିବା ଆସିବାରେ ସମସ୍ୟା ଦେଖା ଦେଇଥିଲା। କେଉଁଠି ଗାଡ଼ି ଫସି ଯାଇଥିଲା ତ ଆଉ କେଉଁଠି ଲୋକ ଫସି ରହିଥିଲେ। ଆଚାର୍ଯ୍ୟବିହାରର ଅନେକ ସ୍ଥାନରେ ଲୋକମାନେ ଘରୁ ବାହାରି ପାରି ନ ଥିଲେ। ଦିନ ସାରା ବର୍ଷା ରାଜଧାନୀବାସୀଙ୍କୁ କଲବଲ କରିଥିଲା।

ସମ୍ବନ୍ଧିତ ଖବର