ଜଳ ଯନ୍ତ୍ରଣା, ବର୍ଷାରେ ବୁଡ଼ିଗଲା ପ୍ରାଣୀଚିକିତ୍ସା କେନ୍ଦ୍ର

ବାଲିପାଟଣା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷା ପାଣିରେ ବୁଡ଼ି ଯାଇଛି ବାଲିପାଟଣା ପ୍ରାଣୀ ଚିକିତ୍ସା କେନ୍ଦ୍ର। ତେଣୁ ଗତ ଦୁଇ ଦିନ ହେଲା ପ୍ରାଣୀ ଚିକିତ୍ସା ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଲୋକେ ଅସୁସ୍ଥ ଗୋରୁଗାଈଙ୍କୁ ଧରି ଏଠାକୁ ଆସିବା ପାଇଁ ଅସୁବିଧାରେ ପଡ଼ୁଛନ୍ତି। ବାଲିପାଟଣା ଓ ବନମାଳିପୁରରେ ୨ଟି ପଶୁ ଚିକିତ୍ସା କେନ୍ଦ୍ର ଓ ୧୫ଟି ସବ୍‌ସେଣ୍ଟର ଅଛି। ମାତ୍ର ରକ୍ଷଣା ବେକ୍ଷଣ ଅଭାବରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ଅସୁରକ୍ଷିତ ହୋଇପଡିଛି। ଗତ ବାତ୍ୟା ଫନିରେ ସ୍ୱାସ୍ଥ୍ୟକେନ୍ଦ୍ରର ଘରଗୁଡ଼ିକ ଭାଙ୍ଗି ପଡ଼ିଥିଲା ଓ ମରାମତି ନ ହୋଇ ଏବେ ବି ସେମିତି ଭଙ୍ଗା ଅବସ୍ଥାରେ ରହିଛି। ସେହିଭଳି ବାଲିପାଟଣା ପ୍ରାଣୀ ଚିକିତ୍ସାଧିକାରୀ ଓ ୨ଟି କର୍ମଚାରୀ କ୍ବାର୍ଟର୍ସ ପାଣିରେ ବୁଡ଼ି ଯାଇଛି। ପ୍ରବେଶ ପଥଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁଏ ପାଣି ଜମା ହୋଇରହିଛି। ପାଣି ନିଷ୍କାସନ ପାଇଁ ରାସ୍ତା ନାହିଁ। ପଶୁଚିକିତ୍ସା କେନ୍ଦ୍ର ଅଧିକାରୀ ଡା ମାନସ ଚାନ୍ଦଙ୍କ ସୂଚନା ମୁତାବକ ପାଣି ଜମୁଥିବା ଘଟଣାଟି ସେ ୩ ବର୍ଷ ହେଲା ଦେଖି ଆସୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗରେ ଲିଖିତ ଅଭିଯୋଗ ହୋଇଛି। କିନ୍ତୁ ସମସ୍ୟାର ସମାଧାନ ହେଉନାହିଁ।

କଣ୍ଟିବରାହୀରେ ଘରେ ପଶିଲା ପାଣି
ବାଲିଅନ୍ତା: ଗତ ୩ ଦିନ ଧରି ଲଗାଣ ବର୍ଷା ଫଳରେ ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ପଞ୍ଚାୟତ କଣ୍ଟାବରାହୀ ଗାଁରେ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ୨୦ ପରିବାର ନାହିଁନଥିବା ସମସ୍ୟା‌ର ସମ୍ମୁଖୀନ ହେଉଛନ୍ତି। ଗାଁଟି ପୁରା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ବର୍ଷା ଜଳ ନିଷ୍କାସନ ହୋଇ ପାରୁନଥିବାରୁ ଗ୍ରାମବାସୀମାନେ ଏକପ୍ରକାର ଗୃହବନ୍ଦୀ ହୋଇ ଅଛନ୍ତି। କୁଶଭଦ୍ରା ନଦୀ ଏବଂ ଗୋପ ବ୍ରାଞ୍ଚ କେନାଲ ଏହି ଗ୍ରାମକୁ ଘେରି ରହିଛି। ତେଣୁ ବର୍ଷାଦିନେ ପାଣି ନିଷ୍କାସିତ ହୋଇନପାରିବା କାରଣରୁ ପରିସ୍ଥିତି ସାଂଘାତିକ ହୋଇପଡ଼େ। ଡ୍ରେନ୍‌ ନିର୍ମାଣ ପାଇଁ ଗ୍ରାମବାସୀମାନେ ବହୁ ଦିନରୁ ଦାବି କରି ଆସୁଛନ୍ତି। କିନ୍ତୁ ବ୍ଲକ ପ୍ରଶାସନ କର୍ଣପାତ କରୁନଥିବାରୁ ଗାଁର ୨୦ ଦଳିତ ପରିବାର ପ୍ରତିବର୍ଷ ଜଳବନ୍ଦୀ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଗତ ଦୁଇ ଦିନ ହେଲା କଣ୍ଟିବରାହୀ ଗାଁ ପାଣି ଘେରରେ ରହିଛି। ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି। ଫଳରେ ଗ୍ରାମବାସୀମାନେ ଘରୁ ଗୋଡ଼ କାଢ଼ିବା ସମ୍ଭବ ହୋଇପାରୁନାହିଁ। କିଛି ଲୋକଙ୍କ ଘରେ ପାଣି ପଶିଯିବା ଦ୍ବାରା ସେମାନଙ୍କ ଧାନ ଚାଉଳ ନଷ୍ଟ ହୋଇଯାଉଛି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷାଜଳ ନିଷ୍କାସନ ସମସ୍ୟା‌ ସଂପର୍କରେ ଗ୍ରାମବାସୀ ଅନେକବାର ପ୍ରତାପରୁଦ୍ରପୁର ସରପଞ୍ଚ ଏବଂ ବ୍ଲକ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଗ୍ରାମ ପଞ୍ଚାୟତ ଡ୍ରେନ୍‌ ନିମାଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଏନେଇ ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ଓ କରୁଣାକର ପରିଡ଼ା ପ୍ରମୁଖ ବହୁବାର ଦାବି କରିଛନ୍ତି ବୋଲି କହିଛନ୍ତି। ଏସଂପର୍କରେ ସରପଞ୍ଚ ବାମନ ଚରଣ ଭୋଇଙ୍କୁ ପଚାରିବାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଗୌରୀ ଗାର୍ଡେନବାସୀ ରାତି ଅନିଦ୍ରା ହେଲେ
ପୁରୁଣା ଭୁବନେଶ୍ବର: ବିଏମ୍‌ସି ୬୦ନଂ ୱାର୍ଡ ଅନ୍ତର୍ଗତ ଗୌରୀ ଗାର୍ଡେନ୍‌ବାସୀ ଗତକାଲି ରାତିର ବର୍ଷା ପାଇଁ ଶୋଇ ପାରିନଥିଲେ। ଘରେ ପାଣି ପଶିଯିବା ଭୟରେ ଲୋକେ ଅନିଦ୍ରା ରହିବାକୁ ବାଧ୍ୟ ହୋଇଥିଲେ। ୩ଟି ମଟର ଦ୍ବାରା ବର୍ଷା ଜଳ ବାହାର କରାଯାଉଥିଲେ ମଧ୍ୟ ଆଣ୍ଠୁଏ ପାଣି ଜମି ରହିବାରୁ ଘରେ ପାଣି ପଶିବା ଭୟ ଲାଗି ରହିଥିଲା। ବହୁ ଲୋକଙ୍କ ଘର ବାରଣ୍ଡା ଯାଏ ପାଣି ଲାଗି ଯାଇଥିଲା। ପ୍ଲଟ୍‌ ନମ୍ବର ଏସ୍‌ଆଇ ୫୬, ୫୭, ଡି ୫୮ ଓ ୫୯ ଘର ଆଗରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିଲା ଓ ବାରଣ୍ଡା ଉପରକୁ ଲାଗି ଯାଇଥିଲା। ତେଣୁ ଆଉ କିଛି ସମୟ ପ୍ରବଳ ବର୍ଷା ହୋଇଥିଲେ କଥା ସରିଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ଆଡ଼ୁ ଆସୁଥିବା ପାଣି ଓ ଗୋରୗଗାର୍ଡେନରୁ ବାହାରୁଥିବା ଡ୍ରେନ୍‌ ପାଣି ଏକ ହ୍ୟୁମ୍‌ ପାଇପ୍‌ ଯୋଗ‌େ ଡ୍ରେନ୍‌ ନଂ୭କୁ ଚାଲିଯାଏ। ଗ୍ୟାରେଜ୍‌ ଛକ ମୁଖ୍ୟ ରାସ୍ତା ତଳେ ଥିବା ଡ୍ରେନ୍‌ ଓ ଏହି ହ୍ୟୁମ୍‌ ପାଇପ୍‌ କାମ ଗତ ବର୍ଷରୁ ତିଆରି ଚାଲିଛି। ପିଡବ୍ଲ୍ୟୁଡି ପକ୍ଷରୁ ଗତ ବର୍ଷଠାରୁ ଏହି ଡ୍ରେନ୍‌ ଅଧା ତିଆରି ହୋଇଥିବା ବେଳେ ଚଳିତ ବର୍ଷ ଅଧା କାମ ହେବାର ଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏହି କାମ ଶେଷ ହୋଇ ପାରିଲା ନାହିଁ। ଏପଟେ ବର୍ଷା ହେବାରୁ ପାଣି ଅଧିକ ହୋଇ ଗୌରୀ ଗାର୍ଡେନ୍‌କକୁ ପାଲଟା ପ୍ରବେଶ କରୁଛି। ଗୌରୀଗାର୍ଡେନ ଓନରର୍ସ ୱେଲଫେୟାର ସୋସାଇଟି ସଭାପତି ନରସିଂହ ପ୍ରସାଦ ବହିଦାର କୁହନ୍ତି ବର୍ଷା ହେଲେ ଏବେ ଚିନ୍ତାର ବିଷୟ ହୋଇଛି। ମୁଖ୍ୟ ରାସ୍ତା ତଳେ ତିଆରି ଚାଲିଥିବା ଡ୍ରେନ୍‌ କାମ ଶେଷ ହେଲେ ଏଠାରେ ସମସ୍ୟା ସୁଧୁରିବ।

ଓସ୍ତପଡ଼ା ଓ କଳାଝରୀ ଜଳବନ୍ଦୀ
ଚନ୍ଦ୍ରଶେଖରପୁର: ତିନି ଦିନର ଲଗାଣ ବର୍ଷା ଫଳରେ କଲ୍ୟାଣପୁର ପଞ୍ଚାୟତ ଓସ୍ତପଡ଼ା ଓ କଳାଝରୀ ଗାଁ ଜଳବନ୍ଦୀ ହୋଇ ରହିଛି। ଫଳରେ ଏହି ଦୁଇ ଗାଁର ଏକ ହଜାରରୁ ଅଧିକ ଲୋକ ଏବେ ବଡ଼ ହନ୍ତସନ୍ତ ହେଉଛନ୍ତି। ଗାଁରୁ ବାହାରିବାକୁ ହେଲେ ଦୁଇ ଫୁଟ୍ ପାଣି ଭିତରେ ପଶି ଯା’ଆସ କରିବାକୁ ପଡ଼ୁଛି। ମହିଳା ଓ ଛୋଟ ପିଲାମାନେ ଘରୁ ବାହାରି ପାରୁନାହାନ୍ତି। ବଡ଼ ସମସ୍ୟା ହେଉଛି ବଢ଼ି ପାଣିରେ କେନାଲ ପୋଲ ‌ବୁଡ଼ିଯାଇଛି। କଳାଝରୀ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଦୟାୱେଷ୍ଟ୍ କେନାଲ୍ ବ୍ରିଜ୍ କାମ ପାଇଁ ପୁରୁଣା ବ୍ରିଜ୍‌କୁ ୱାର୍କସ୍ ବିଭାଗ ଭାଙ୍ଗି ଦେଇଛି। ଫଳରେ ଏବେ ଗାଁ ଭିତରକୁ କେନାଲରୁ ପାଣି ପଶି ଆସୁଛି। ତେଣୁ ଗାଁରେ ଏକ ପ୍ରକାର କୃତ୍ରିମ ବନ୍ୟା ପରିସ୍ଥିତି ଦେଖାଯାଇଛି। ଆଜି ଏନେଇ ଗ୍ରାମବାସୀ ଏକାଠି ହୋଇ ସ୍ଥାନୀୟ ସରପଞ୍ଚ ପ୍ରଭାସିନୀ ସାସମଲଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଦୟାୱେଷ୍ଟ କେନାଲ୍ ବ୍ରିଜ୍ କାମ ଖରା ଦିନରେ ନକରି ବର୍ଷା ଦିନରେ କାହିଁକି କରାଯାଉଛି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି।

ମନ୍ଦିର ଓ ଘରେ ପଶିଲା ପାଣି
ପୁରୁଣା ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ହୋଇଥିବା ମୂଷଳଧାରାର ବର୍ଷା ଯୋଗୁଁ ପୁରୁଣା ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ଯାଇଥିଲା। ରାସ୍ତା ଜବରଦଖଲ ଯୋଗୁଁ ଟଙ୍କପାଣି ଇଏ କଲୋନିରେ ୧୫ ପରିବାରଙ୍କ ଘରେ ପାଣି ପଶିଥିଲା। ୩ ଜଣ ବ୍ୟକ୍ତି ନିଜ ଖର୍ଚ୍ଚରେ ପାଣି ମଟର ଲଗାଇବା ପରେ ଆଜି ପାଣି ଖାଲି ହୋଇଥିଲା। ସେହିପରି ନୂଆଗାଁର ଅଧିକାଂଶ ଅଞ୍ଚଳରେ ପାଣି ଜମି ଯାଇଥିଲା। ଯିବା ଆସିବାରେ ସମସ୍ୟା ଦେଖା ଦେଇ ଦେଇଥିଲା। ସେହିପରି ଗ୍ୟାରେଜ୍‌ ଛକରୁ ସାମନ୍ତରାପୁର ଯିବା ରାସ୍ତାରେ କେନାଲ ବନ୍ଧ କଡ଼ରେ ଲୋକଙ୍କ ଘରେ ପାଣି ପଶିଥିଲା। ଗ୍ୟାରେଜ୍‌ ଛକରୁ ମହାବୀର ନଗରକୁ ଯିବା ରାସ୍ତାରେ ମଧ୍ୟ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଥିଲା। ସେଠାରେ କିଛି ଲୋକ ରାସ୍ତା ଓ ଡ୍ରେନ୍‌ ଉପରେ ଜବରଦଖଲ କରିଥିବା ଯୋଗୁଁ ବର୍ଷା ପାଣି ନିଷ୍କାସନ ହୋଇ ପାରୁନାହିଁ। ଏହା ଫଳରେ ବର୍ଷା ପାଣି ଲୋକଙ୍କ ଘରେ ପଶୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଘରକୁ ବାଦ୍‌ ଦେଲେ ଏକାମ୍ର କ୍ଷେତ୍ରର ବୈତାଳ ମନ୍ଦିର, ଶିଶିରେଶ୍ବର ମନ୍ଦିର ଓ ଶ୍ରୀଲିଙ୍ଗରାଜଙ୍କ ବାପା ମା’ ମହାକାଳ ମହାକାଳୀ ମନ୍ଦିରରେ ପାଣି ପଶିଥିଲା।

ଘରେ ପାଣି ପଶିଲା, ପାଚେରି ଭାଙ୍ଗିଲା
ଭୁବନେଶ୍ବର: ଗତକାଲି ଭୁବନେଶ୍ବରରେ ତୁହାକୁ ତୁହା ବର୍ଷା ହୋଇଥିଲା। ଫଳରେ ରାଜଧାନୀରେ ଜଳବନ୍ଦୀ ପାଇଁ ହଟ୍‌ସ୍ପଟ୍ ଅଞ୍ଚଳ ଭାବେ ପରିଚିତ ନୂଆପଲ୍ଲୀରେ ପୁଣି ଦେଖିବାକୁ ମିଳିଥିଲା ଜଳତାଣ୍ଡବ। ବନଦୁର୍ଗା ଲେନ୍ ନିକଟରେ ଅନେକଙ୍କ ଘରେ ପାଣି ପଶିଥିଲା। ମଧ୍ୟରାତ୍ରରେ ଡ୍ରେନ୍‌ରୁ ପାଣି ଉଛୁଳି ଲୋକଙ୍କ ପାଚେରି ଭାଙ୍ଗି ଘରେ ପଶିଥିଲା। ଶୋଇଥିବାବେଳେ ଘରେ ପାଣି ପଶିଯିବାରୁ ଲୋକେ ବଡ଼ କଲବଲ ହୋଇଥିଲେ। ଘର ଭିତରେ ଅଣ୍ଟାଏ ଉଚ୍ଚରେ ପାଣି ଠିଆହେଲା। ଫଳରେ ଲୋକେ ରାତିରେ ଶୋଇବେ କ’ଣ, ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ବଞ୍ଚାଇବା ପାଇଁ ବୋହିବାରେ ଲାଗିଲେ। ରାତି ତମାମ୍ ପିଲାଛୁଆଙ୍କୁ ଧରି ଏମିତି ହଇରାଣ ହେଲେ। ଏନେଇ ସ୍ଥାନୀୟ ବାସିନ୍ଦା ଧରଣୀଧର ସାହୁ କହିଛନ୍ତି ଯେ ଜଳବନ୍ଦୀ ସମସ୍ୟା ହେଉଛି ଦୀର୍ଘ ଦିନର। ପ୍ରତିବର୍ଷ ବର୍ଷାଦିନେ ଘରେ ପାଣି ପଶିବା କୌଣସି ନୂଆ କଥା ନୁହେଁ। ବର୍ଷାଦିନ ଆସିଲେ ଘରେ ପାଣି ପଶିବା ଚିନ୍ତା ଘାରେ। ଡ୍ରେନ୍ ମରାମତି କାମ ମଧ୍ୟ ଶେଷ ହୋଇ ନଥିବାରୁ ଆହୁରି କେତେ ଦିନ ପର୍ଯ୍ୟନ୍ତ ଏହିଭଳି ହୀନସ୍ତା ହେବେ, କହିବା କଷ୍ଟକର ବୋଲି ଶ୍ରୀ ସାହୁ କହିଛନ୍ତି। ପୂର୍ବତନ କର୍ପୋରେଟର୍ ନବ କିଶୋର ବେହେରାଙ୍କୁ ପଚାରିଯିବାରୁ ସେ କହି‌ଲେ ଯେ ଆଗାମୀ ଦୁଇ ମାସ ମଧ୍ୟରେ ଡ୍ରେନ୍‌ ମରାମତି କାମ ଶେଷ ହେବ।

ସମ୍ବନ୍ଧିତ ଖବର