ଭୁବନେଶ୍ୱର: ସକାଳୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପ୍ରବଳ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ହଠାତ୍ ଅପରାହ୍ଣ ୧ଟା ପରେ ଛେଚିଲା। ୪୫ ମିନିଟ୍ ଧରି ମୂଷଳଧାରାରେ ବର୍ଷିଲା। ବିଜୁଳି ଘଡ଼ଘଡ଼ି ସହ ଏମିତି ବର୍ଷିଲା ଯେ ରାଜଧାନୀର ବହୁ ଅଞ୍ଚଳ ଜଳମଗ୍ନ ହୋଇଗଲା। ଇସ୍କନରୁ ଆରମ୍ଭ କରି ଆଚାର୍ଯ୍ୟବିହାର ଓ କଟକ ରୋଡ୍ ପର୍ଯ୍ୟନ୍ତ ସବୁଆଡ଼େ ଉବୁଟୁବୁ। କଟକ ରୋଡ୍ରେ ଆଣ୍ଠୁଏ ପାଣି। ରାସ୍ତା, ନାଳ ସବୁ ଏକାକାର। ବସ୍ତିରେ ଘର ଭିତରେ ନଳା ପାଣି ଲହଡ଼ି ମାରିଲା। ରାସ୍ତାରେ ଗାଡ଼ି ଭାସିଲା। ନଳା ସଫା କରି ରାସ୍ତା କଡ଼ରେ ଗଦା ହୋଇଥିବା ଆବର୍ଜନା ପୁଣି ନଳା ଭିତରେ ପଶିଲା। ଆଜିର ସ୍ଥିତି ବିଏମ୍ସିର ମୌସୁମୀ ପ୍ରସ୍ତୁତିକୁ ଏମିତି ଧୂଆବାଁଣ ବୋଲି ପ୍ରମାଣ କରିଦେଲା।
ସକାଳ ପାଗରୁ ବର୍ଷା ପାଇଁ ଅପ୍ରସ୍ତୁତ ଥିବା ରାଜଧାନୀବାସୀ ହଠାତ୍ ଫସି ଯାଇଥିଲେ। ୪୫ ମିନିଟ୍ ଭିତରେ ଭୁବନେଶ୍ବରରେ ୪୬.୮ ମିଲିମିଟିର ବର୍ଷା ହୋଇଥିଲା। ରସୁଲଗଡ଼ ଛକରୁ ଏସ୍ପ୍ଲାନେଡ୍ ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଲହଡ଼ି ମାରୁଥିଲା। ଫଳରେ କଳ୍ପନା ଆଡ଼ୁ ଆସୁଥିବା ବାଇକ୍ ଓ କାର୍ ସବୁ ବମିଖାଲ ଛକରେ ପ୍ରାୟ ଦେଢ଼ ଘଣ୍ଟା କାଳ ଅଟକି ରହିଲେ। ସେହିଭଳି ରସୁଲଗଡ଼ ଛକରେ ଥିବା ଇଲେକ୍ଟ୍ରି ଅଫିସ୍ ସମ୍ମୁଖ ରାସ୍ତା ଏବଂ ରସୁଲଗଡ଼ ଶିଳ୍ପାଞ୍ଚଳରେ ମଧ୍ୟ ପାଣି ଜମି ରହିଥିଲା। ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ବହୁ କର୍ମଜୀବୀ ଭୋକରେ ଅପେକ୍ଷା କରିଥିଲେ। ରସୁଲଗଡ଼ ଗାଁ ଭିତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଡ୍ରେନ୍ ଓ ଗାଁ ଦାଣ୍ଡ ଏକାକାର ହୋଇଯାଇଥିଲା। ଲକ୍ଷ୍ମୀସାଗର ଟ୍ରାଫିକ୍ ଛକରୁ ଝାରପଡ଼ା ଆଡ଼କୁ ଲମ୍ବିଥିବା ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ସୁଅ କାଟି ବହିଥିଲା।
ବହୁ ଦୋକାନରେ ପାଣି ପଶିବା ସହ କାର୍ ଓ ବାଇକ୍ ବୁଡ଼ି ଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟା କାଳ ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ଅନେକ ଘରୋଇ ସ୍କୁଲ୍ ପିଲା ମଧ୍ୟ ଏହି କୃତ୍ରିମ ବନ୍ୟା ଯୋଗୁଁ ଫସି ରହିଥିଲେ। ବଡ଼ କଥା ହେଉଛି ଏହି ରାସ୍ତାରେ ମେନ୍ ଡ୍ରେନ୍ ଯାଇଥିଲେ ମଧ୍ୟ ମୂଷଳଧାରାର ବର୍ଷାରେ ଡ୍ରେନ୍ ଜଳ ନିଷ୍କାସନ ହୋଇପାରିନଥିଲା। ଚିନ୍ତାମଣିଶ୍ବର ଫିସରି ଲେନ୍ର ଅବସ୍ଥା ସଂଗିନ୍ ହୋଇପଡ଼ିଥିଲା। ଦୀର୍ଘ ଦୁଇ ବର୍ଷ ଧରି ସ୍ବେରେଜ୍ କାମ ପାଇଁ ରାସ୍ତା ଖୋଳା ହୋଇ ପଡ଼ିଥିବାରୁ ଅବସ୍ଥା ଅସମ୍ଭାଳ ହୋଇପଡ଼ିଥିଲା। କିଛି ସ୍ଥାନରେ ମାଟି ଗଦା ହୋଇଥିବାରୁ ପାଣି ନିଷ୍କାସନ ସମ୍ଭବ ହୋଇନଥିଲା। ଲୋକେ ଗୃହବନ୍ଦୀ ହୋଇପଡ଼ିଥିଲେ। ଝାରପଡ଼ା ମହାଦେବନଗରରେ ବି ଅନୁରୂପ ଅବସ୍ଥା ଦେଖାଯାଇଥିଲା। ରାସ୍ତାରେ ଥିବା ଗାଡ଼ିମଟର ବୁଡ଼ିଯାଇଥିଲା ଓ କିଛି ଲୋକଙ୍କ ଘରେ ପାଣି ପଶିଯାଇଥିଲା।
ସେହିଭଳି ଇସ୍କନ ମନ୍ଦିର ସମ୍ମୁଖରେ ମଧ୍ୟ ପୂର୍ବସ୍ଥିତିର ପୁନରାବୃତ୍ତି ହୋଇଥିଲା। ତେବେ ପୂର୍ବଥର ଭଳି ଏଥର ଆଉ ଗାଡ଼ିମଟର ଭାସିନଥିଲା। ଆଜି ବର୍ଷା ପୂର୍ବରୁ ନୂଆପଲ୍ଲୀ ଥାନା ପୁଲିସ ନୂଆପଲ୍ଲୀ ଓ ସିଆର୍ପି ଆଡ଼ୁ ଆସୁଥିବା ସମସ୍ତ ଗାଡ଼ିକୁ ଏହି ରାସ୍ତାରେ ଯିବାକୁ ଦେଇନଥିଲା। ଗାଡ଼ିଗୁଡ଼ିକୁ ଭିଆଇପି କଲୋନି ଦେଇ ଜୟଦେବବିହାର ରାସ୍ତାକୁ ଛାଡ଼ି ଦେଇଥିଲା। ଏଣୁ ଆଜି ଏଠାରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲେ ମଧ୍ୟ ଯାନବାହାନ ଭାସିନଥିଲା। ଏଠାରେ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ଏକ ବଡ଼ ଚାମ୍ବର କରାଯାଇଥିଲା। ଏହାକୁ ନିକଟରେ ସଫା କରାଯାଇଥିଲା। କିନ୍ତୁ ଏଥିରୁ ବାହାରିଥିବା ଆବର୍ଜନା ରାସ୍ତା କଡ଼ରେ ଜମା କରାଯାଇଥିଲା। ସେସବୁ ଆଜି ବର୍ଷାରେ ପୁଣି ନଳା ଭିତରକୁ ପଶିଯାଇଛି। ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେ ବର୍ଷା ସମୟରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଚାମ୍ବର ନିର୍ମାଣ ସତ୍ତ୍ବେ ଜଳ ନିଷ୍କାସନ ହେଉନଥିବା କାରଣ ସମ୍ବନ୍ଧରେ ଇଞ୍ଜିନିୟରମାନଙ୍କ ସହ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ, ଜୁନ୍ ୧୫ ସୁଦ୍ଧା ସମସ୍ତ ନଳା ସଫା କରିବାକୁ ବିମ୍ସି ଲକ୍ଷ୍ୟ ରଖିଥିଲା। ଏହି କାମ ସରିଥିବା ବିଏମ୍ସି ଦାବି କରୁଥିଲେ ମଧ୍ୟ ଜଳବନ୍ଦୀ ସମସ୍ୟା ପୂର୍ବବତ୍ ଲାଗି ରହିଛି। ଅନ୍ୟପଟେ ପୁର୍ତ୍ତ ବିଭାଗର ରହିଥିବା ଡ୍ରେନ୍ଗୁଡ଼ିକ ସଫା କରାଯାଇ ନାହିଁ। ଏନ୍ଏଚ୍ଏଆଇ ମଧ୍ୟ ନଳା ଗୁଡ଼ିକ ସଫା କରିନାହିଁ। ଏଣୁ ଜଳବନ୍ଦୀ ସମସ୍ୟା ଲାଗି ରହିଥିବା କୁହାଯାଉଛି। ଆଜି ବିଏମ୍ସି ପକ୍ଷରୁ ବିଭିନ୍ନ ସ୍ଥାନରୁ ଜଳ ନିଷ୍କାସନ ପାଇଁ ୪ଟି ମଟର ଲଗାଯାଇଥିବା ସୂଚନା ମିଳିଛି।