ମଧ୍ୟରାତିରେ କାଳବୈଶାଖୀ, ପବନର ବେଗ ୪୦ କିମି ଟପିଲା

ଗଛ ଭାଙ୍ଗିଲା, ବିଜୁଳି ଡରାଇଲା

ଭୁବନେଶ୍ବର: ୩ ଦିନ ତଳେ ଦେଶର ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର। ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ଲୋକେ ତାତିରେ ଆଉଟୁପାଉଟୁ ହୋଇ କେବେ ତାପମାତ୍ରା ଖସିବ ଚାହିଁ ରହିଥିଲେ। ଦୁଇ ଦିନ ହେଲା ପାଗ ଟିକିଏ କୋହଲା ରହିଥିଲା। ହେଲେ ବର୍ଷାର ଦେଖା ନଥିଲା। ଏପରିକି ବୁଧବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜଧାନୀ ଆକାଶରେ ଟିକିଏ ବି ବାଦଲର ଦେଖା ନ ଥିଲା। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଟପିଥିଲା। ହେଲେ କିଛି କ୍ଷଣ ମଧ୍ୟରେ ପାଗରେ ହଠାତ୍‌ ପରିବର୍ତନ ହୋଇଥିଲା। ଆକାଶରେ କଳାହାଣ୍ଡିଆ ମେଘ ମାଡ଼ି ଆସିବା ସହ ଘନ ଘନ ବିଜୁଳି, ଘଡ଼ଘଡ଼ି ମାରିଲା। ଧୀରେ ଧୀରେ ପାଗ ଏଭଳି ବଦଳିଲା ଯେ ରାତି ୧୧ଟା ‌ବେଳକୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଗଲା। ଝିପିଝିପି ବର୍ଷା ହୋଇଥିଲା। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପବନ ହେବା ଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି। ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏଭଳି ତାଣ୍ଡବ ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଗଛ ଉପୁଡି ପଡ଼ିଛି। ଚନ୍ଦ୍ରଶେଖରପୁର, ନନ୍ଦନକାନନ, ପଟିଆ ଅଞ୍ଚଳ, ଖାରବେଳ ନଗର, ମଞ୍ଚେଶ୍ବର, ୟୁନିଟ୍‌-୨, ରାଜମହଲ, ୟୁନିଟ୍‌-୯, କଳ୍ପନା ଛକ, ପୁରୁଣା ଭୁବନେଶ୍ବର, ଖଣ୍ଡଗିରି, ସିଆରପି ଅଞ୍ଚଳରେ ପ୍ରଭାବ ପଡ଼ିଥିବା ଜଣାପଡ଼ିଛି। ବଜ୍ରପାତ ହେବା ଦ୍ବାରା ଲୋକେ ରାସ୍ତାରେ ଯାଇପାରି ନ ଥିଲେ। ବାରଙ୍ଗରେ ଝଡ଼ବର୍ଷା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ବଜ୍ରପାତ ଯୋଗୁଁ ଅଧିକାଂଶ ସ୍ଥାନରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ରାତି ହୋଇଥିବାରୁ କେହି ଘରକୁ ବାହାରି ନଥିଲେ। ରାତି‌ରେ କାଳବୈଶାଖୀ ତାଣ୍ଡବ ଜାରି ରହିଥିବା ବେଳେ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁରୁବାର ସକାଳ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ଖୋର୍ଧା, କଟକ, ନୟାଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ କାଳବୈଶାଖୀ ହେବ। ତେଣୁ ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଅଧା ରାଜଧାନୀ ଅନ୍ଧାର
ଝଡ଼ବର୍ଷା ଯୋଗୁଁ ଅଧା ରାଜଧାନୀ ଅନ୍ଧାର ହୋଇଯାଇଛି। ସହରର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ରାଜଭବନ, ବମିଖାଲ, ସିଆର୍‌ପି ଛକ, ଭୌମ୍ୟନଗର, ୟୁନିଟ୍‌-୨, ଖାରବେଳନ ନଗର, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, କିଟ୍‌, ମଞ୍ଚେଶ୍ବର, ରସୁଲଗଡ଼, କଳ୍ପନା ଛକ ଅଞ୍ଚଳରେ ଘନ ଘନ ବିଦ୍ୟୁତ କାଟ ହୋଇଛି। ମଧ୍ୟରାତି ପର୍ଯ୍ୟନ୍ତ ବି ସ୍ଥିତି ସ୍ୱାଭାବିକ ହୋଇପାରିନି। ବିଦ୍ୟୁତ ତାର ଉପରେ ଗଛ ପଡ଼ିବା ଯୋଗୁଁ କେତେକ ସ୍ଥାନରେ ତାହା ଛିଣ୍ଡିପଡ଼ିଛି। ମରାମତି ହୋଇପାରି ନାହିଁ। ରାତିରେ ବିଜୁଳି ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସହର ଉପକଣ୍ଠରେ ବି ସମାନ ଅବସ୍ଥା ଉପୁଜିଛି।

ସମ୍ବନ୍ଧିତ ଖବର