ଭୁବନେଶ୍ୱର: ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହାଇଟେକ ବ୍ୟବସ୍ଥା କରାଗଲା। ପ୍ରତ୍ୟେକ ଛକରେ ସ୍ୱୟଂଚାଳିତ ଟ୍ରାଫିକ ବ୍ୟବସ୍ଥା ହେଲା। କିନ୍ତୁ ଭୁବନେଶ୍ୱରରେ ଏପରି ଛକ ଅଛି ଯେଉଁଠି ଟ୍ରାଫିକ ବ୍ୟବସ୍ଥା କିମ୍ବା ନିୟମର କୌଣସି ମାନେ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କଳ୍ପନା ନିକଟସ୍ଥ ମ୍ୟୁଜିୟମ୍ ଛକ। ଏହି ଛକରେ ପ୍ରାୟ ସମୟରେ ବସ୍ ଓ ଅଟୋ ଚାଳକଙ୍କ ରାଜୁତି ଚାଲୁଛି। ମ୍ୟୁଜିୟମ୍ ଛକରେ ସ୍ୱୟଂଚାଳିତ ଟ୍ରାଫିକ୍ ସିଗନାଲ ଲାଗିଛି କିନ୍ତୁ ଏହା ଥାଇ ବି ନଥିଲା ପରି। ଏହି ଛକରେ ଟ୍ରାଫିକ କର୍ମଚାରୀଙ୍କୁ ବହୁତ କମ ସମୟ ଦେଖିବାକୁ ମିଳେ। ପୁଲିସ୍ ଉପସ୍ଥିତିରେ ବି ଏଠାରେ ଟ୍ରାଫିକ ନିୟମ ଉଲ୍ଲଂଘନ ହୁଏ। ମ୍ୟୁଜିୟମ ରାସ୍ତା ଦେଇ ପ୍ରତିଦିନ ଶହଶହ ଗାଡି ମୋଟର ଯିବା ଆସିବା କରେ। ପୁରୀ ରୁଟ୍ରେ ଯାଇଥିବା ଏହି ଛକରେ ଦୈନିକ ଶହଶହ ଲୋକ ବସ୍କୁ ଅପେକ୍ଷା କରନ୍ତି। ଅନେକ ସମୟରେ ଭିଭିଆଇପିଙ୍କ କାରକେଡ୍ ମଧ୍ୟ ଏହି ବାଟ ଦେଇ ପୁରୀକୁ ଯିବା ଆସିବା କରେ। କିନ୍ତୁ ରାସ୍ତା ଉପରେ ଯାତ୍ରୀ ଉଠାଇବା ପାଇଁ ବସ୍ ଓ ଅଟୋଚାଳକ କାହା କଥା ଚିନ୍ତା କରନ୍ତି ନାହିଁ। ତେଣୁ ପ୍ରତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଭୁବନେଶ୍ୱରରୁ-ପୁରୀ ଓ ପୁରୀରୁ-ଭୁବନେଶ୍ୱର ଆସୁଥିବା ବସ୍ଗୁଡ଼ିକ ମ୍ୟୁଜିୟମ ଛକରେ ରହି ଯାତ୍ରୀ ଉଠାନ୍ତି। ଗୋଟିଏ ବସ ସେଠାରେ ଥିବା ବେଳେ ଆଉ ଗୋଟିଏ ବସ ଆସି ତା ପଛକୁ ଲାଗି ଯାଉଛି। ତେଣୁ ତା ପଛକୁ ବସ୍ ଆଉ ଶହଶହ ଗାଡ଼ି ଅଟକି ରହୁଛି। ଖାଲି ସେତିକି ନୁହେଁ, ଅଟୋ ଚାଳକମାନେ ହୋଟେଲ କଳିଙ୍ଗ ଅଶୋକାଠାରୁ କଳ୍ପନା ଟ୍ରାଫିକ ଛକ ପର୍ଯ୍ୟନ୍ତ ରାସ୍ତା ପର୍ଯ୍ୟନ୍ତ ଲମ୍ବି ଥାଆନ୍ତି। ଯାତ୍ରୀ ଉଠାଇବା ପାଇଁ ରାସ୍ତା ଉପରେ ଗାଡି ଷ୍ଟାର୍ଟ କରି ରଖନ୍ତି।
କଳ୍ପନା ଛକରେ ଅଧିକାଂଶ ସମୟରେ ୫/୬ଜଣ ଟ୍ରାଫିକ୍ କର୍ମଚାରୀ ରହୁଥିବା ବେଳେ ମ୍ୟୁଜିୟମ ଛକରେ କେତେବେଳେ କେମିତି ଜଣେ କର୍ମଚାରୀଙ୍କୁ ଦେଖିବାକୁ ମିଳେ। ଫଳରେ ସାଧାରଣ ଲୋକ ଏହି ରାସ୍ତା ଅତିକ୍ରମ କରିବା ବେଳେ ନାକେଦମ୍ ହୁଅନ୍ତି। ଆଜି ସେଠାରେ ଛିଡ଼ା ହୋଇଥିବା କିଛି ଲୋକଙ୍କ କହିବା ଅନୁସାରେ ମ୍ୟୁଜିୟମ ଛକରେ ଦିନକୁ ଦିନ ଟ୍ରାଫିକ ଭିଡ଼ ବଢ଼ି ଚାଲିଛି। ନୂଆ ଟ୍ରାଫିକ ପୋଷ୍ଟ ଲାଗିଛି। କିନ୍ତୁ ପୁଲିସ ରହୁନଥିବାରୁ କେହି ନିୟମ ମାନୁ ନାହାନ୍ତି। ଯଦିଓ ଏବେ ଡିଭାଇଡର୍ ହୋଇଛି, କିନ୍ତୁ ଭିଡ଼ କମିବା ଅପେକ୍ଷା ବଢ଼ୁଛି ବୋଲି ଯାତ୍ରୀମାନେ କହିଛନ୍ତି।
ନାକେଦମ କରୁଛି ମ୍ୟୁଜିୟମ୍ ଛକ ଟ୍ରାଫିକ୍
/sambad/media/post_attachments/wp-content/uploads/2018/08/KALPANA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)