ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ କେତେ ରହିବ। କେଉଁ ଶ୍ରେଣୀଙ୍କ ଛାତ୍ରଛାତ୍ରୀଙ୍କୁ କେଉଁ ବିଷୟରେ ଶିକ୍ଷା ଦିଆଯିବ। କେଉଁ ଶ୍ରେଣୀର ପିଲାଙ୍କୁ ଘରେ ହୋମ୍ୱାର୍କ କରିବାକୁ ଦିଆଯିବ ନାହିଁ। ଏଭଳି ବିଷୟକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ଗାଇଡ୍ଲାଇନ୍। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗତ ୩ ବର୍ଷ ହେଲା ବାରମ୍ବାର କୁହାଯାଉଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ ପାଳନ କରୁନାହାନ୍ତି। ଯେଉଁଥିପାଇଁ ଗତ ନଭେମ୍ବର ୨୦ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ପୁଣିଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା। ଚିଠି ପାଇବା ପରେ ଓଡ଼ିଶା ସରକାର ତାହାକୁ ପାଳନ କରିବା ପାଇଁ ସ୍କୁଲଗୁଡ଼ିକୁ କହିଥିଲେ। କିନ୍ତୁ କୌଣସି ବି ବିଦ୍ୟାଳୟ ନିୟମକୁ ପାଳନ କରୁ ନାହାନ୍ତି। ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହ ସ୍କୁଲ ବ୍ୟାଗ୍ ସମ୍ପର୍କିତ ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି।
ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଓଜନ ନେଇ ଜାରି ହୋଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି ଯେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହୋମ୍ୱାର୍କ ଦିଆଯିବ ନାହିଁ। କୌଣସି ବି ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ହୋମ୍ୱାର୍କ ଦେବେନି। ଏନ୍ସିଇଆରଟି ନିୟମ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭାଷା ଓ ଗଣିତ ବିଷୟ ବ୍ୟତୀତ ଆଉ କୌଣସି ବିଷୟରେ ସ୍କୁଲ କର୍ତ୍ତୃପକ୍ଷ ପଢ଼ାଇବେ ନାହିଁ। କୌଣସି ଓଜନ ସାମଗ୍ରୀ ବ୍ୟାଗ୍ରେ ନ ଆଣିବାକୁ ବି କୁହାଯାଇଛି। ଏଭଳି କରାଯିବା ଦ୍ବାରା ପିଲାଙ୍କ ବ୍ୟାଗ୍ ଓଜନ କିଛି ମାତ୍ରାରେ କମିବ। ସ୍କୁଲ ବ୍ୟାଗ୍ ଓଜନ ଅଧିକ ହେବା ଦ୍ବାରା ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ୁଛି। ତେଣୁ ୩ୟରୁ ୫ମ ଶ୍ରେଣୀ ପିଲାଙ୍କୁ କେବଳ ଭାଷା, ପରିବେଶ ଶିକ୍ଷା ଓ ଗଣିତ ବିଷୟରେ ଶିକ୍ଷା ଦିଆଯିବ। ଅତିରିକ୍ତ ବହି, ସାମଗ୍ରୀ ଆଣି ବିଦ୍ୟାଳୟକୁ ଆଣିବାକୁ ଛାତ୍ରଛାତ୍ରୀଙ୍କୁ କହିପାରିବେ ନାହିଁ। ଯଦି କୌଣସି ବିଦ୍ୟାଳୟ ନିୟମ ଉଲ୍ଲଂଘନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିୟମରେ ଉଲ୍ଲେଖ ରହିଛି।
ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ନିୟମକୁ କୌଣସି ବି ବିଦ୍ୟାଳୟ ପାଳନ କରୁନାହାନ୍ତି। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯାଉଛି। ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ର ଓଜନ ୧.୫ କେଜି ଭିତରେ ରଖିବାକୁ ନିୟମ ଥିବା ବେଳେ ପିଲାମାନେ ୩ କେଜି ପର୍ଯ୍ୟନ୍ତ ବ୍ୟାଗ୍ କାନ୍ଧରେ ପକାଇ ଆଣି ବିଦ୍ୟାଳୟ ଆସୁଛନ୍ତି। ପିଲାମାନେ କେତେ ଓଜନର ବ୍ୟାଗ୍ ଆଣି ସ୍କୁଲକୁ ଆସୁଛନ୍ତି ଗଣଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ କରାଯାଉ ନାହିଁ। ନିୟମ କରାଯାଇଥିଲେ ମଧ୍ୟ ସ୍କୁଲଗୁଡ଼ିକ ପାଳନ କରୁ ନଥିବାରୁ ଓପେପା ପ୍ରକଳ୍ପ ନିର୍ଦେଶକଙ୍କୁ ଦାବିପତ୍ର ଦିଆଯାଇଛି।
ଖାରବେଳ ନଗରରେ ଥିବା ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ଯେ ପିଲା କେତେ ଓଜନର ବ୍ୟାଗ୍ ଆଣୁଛନ୍ତି ଆମେ କେମିତି ଯାଞ୍ଚ କରିବୁ। ପିଲାଙ୍କୁ ପଢ଼ାଇବୁ ନା ଗେଟ୍ରେ ବି ବ୍ୟାଗ୍ ଓଜନ ମାପିବୁ। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ଅଭିଭାବକମାନେ ବ୍ୟାଗ୍ରେ ପାଣି ବୋତଲ, ଖାଇବା ଟିଫିନ୍ ଆଣି ଆସୁଛନ୍ତି। ବ୍ୟାଗ୍ ଓ ବହି ମିଶିଗଲେ ତାହାର ଦୁଇ କେଜି ଟପିଯାଉଛି। ଆମେ ପିଲାଙ୍କୁ ହୋମୱାର୍କ ଦେଉନୁ। ଅଭିଭାବକମାନେ ସଚେତନ ହେବା ଆବଶ୍ୟକ। ନ ହେଲେ ନିୟମକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ।