ବାରଙ୍ଗ: ଫେବ୍ରୁଆରି ମାସ ନସରୁଣୁ ତାପମାତ୍ରା ଅସ୍ତବ୍ୟସ୍ତ କଲାଣି। ନନ୍ଦନକାନନରେ ରହୁଥିବା ପଶୁପକ୍ଷୀ ବି ବର୍ତି ପାରିନାହାନ୍ତି। ଖରାର ପ୍ରକୋପ ଏତେ ଅସହ୍ୟ ହେଉଛି ଯେ, ବାଘ, ଭାଲୁ, ସିଂହମାନେ ଏବେ ଛାଇ ଉଣ୍ଡି ସେଇଠି ଶୋଇ ରହୁଛନ୍ତି। ଏମିତିକି ଦିନ ୧୧ଟା ବାଜିଲେ ସିମ୍ପାଞ୍ଜି ଓ ଓରାଙ୍ଗଓଟାନ୍ ବିଶ୍ରାମ କକ୍ଷରୁ ବାହାରକୁ ବାହାରୁନାହାନ୍ତି। ଆଜି ବାଘ ଓ ଭାଲୁଙ୍କୁ ପାଣିରେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। କୁନି ହାତୀ ମାମା ଜଳକ୍ରୀଡ଼ା କରୁଥିବା ବେଳେ ଏହା ପର୍ଯ୍ୟଟକଙ୍କୁ ଆମୋଦିତ କରିଛି। ତେବେ ଗ୍ରୀଷ୍ମର ପ୍ରଖରତା ଯୋଗୁଁ ପଶୁ ପକ୍ଷୀ ହନ୍ତସନ୍ତ ହେଉଥିବା ଆଭାସ ଦେଉଥିବାରୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ବର୍ଷ ମାର୍ଚ ମାସର ଶେଷ ଏବଂ ଏପ୍ରିଲ୍ ମାସ ପ୍ରଥମ ସପ୍ତାହରେ ନନ୍ଦନକାନନ ପକ୍ଷରୁ ଜୀବଜନ୍ତୁଙ୍କ ପାଇଁ ଗ୍ରୀଷ୍ମକାଳୀନ ସୁରକ୍ଷା ବ୍ୟବସ୍ଥା ହୋଇଥାଏ। ମାତ୍ର ଏଥର ତାତିକୁ ଉପଲବ୍ଧି କରି ଆଗୁଆ ପ୍ରସ୍ତୁତି ଆରମ୍ଭ କରାଯାଇଛି। ବିଶେଷକରି ଜୀବଜନ୍ତୁଙ୍କୁ ଥଣ୍ଡା ପରିବେଶ ଯୋଗାଇ ଦେବା ଉଦ୍ଦେଶ୍ୟରେ ସେମାନଙ୍କ ବାସକୁ ଛପର କରାଯାଉଛି। ବାଉଁଶ, ତାଟ ଓ ଛଣ ଆଣି ଖୁଆଡ଼ ନିକଟରେ କାମ ଚାଲିଛି। ବିହଙ୍ଗ ସରଣିର କପୋତ, କକ୍କାଟିଲ୍, କୋଇଲି, ଫିଜାଣ୍ଟ୍, କକାଟୋ, ଟୁରୋକୋ, ଲରି, ପାରାକିଟ୍, ମାକୋଓ, ଚିଲଙ୍କ ଘର ସମେତ ସରୀସୃପ ଉଦ୍ୟାନର କୁମ୍ଭୀର, ସାପ, ଗୋଧି ଘରର ଛପର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସରିବା ପରେ ଅନ୍ୟ ଜୀବଜନ୍ତୁଙ୍କ ଖୁଆଡ଼କୁ ଛପର କରାଯିବ। ଏଥିସହ ଶୀତଳ ପାନୀୟ ଜଳ ଯୋଗାଇ ଦିଆଯିବ। ଶମ୍ବର, ମଣିପୁରୀ ହରିଣ, ଜିରାଫଙ୍କ ଘରକୁ ଶୀତଳ ରଖିବା ପାଇଁ ସ୍ପ୍ରିଙ୍କ୍ଲର ଲଗାଇ ଜଳ ସିଞ୍ଚନ କରାଯିବ। ବାଘ ଓ ଭାଲୁଙ୍କ ଖୁଆଡ଼ରେ ବରଫ ପାଣିର ବନ୍ଦୋବସ୍ତ ହେବ। ସିମ୍ପାଞ୍ଜିଙ୍କ ପାଇଁ ପଇଡ଼ ପାଣି, ଆଖୁ, କାକୁଡ଼ି ଓ ତରଭୁଜ ଦିଆଯିବ। ପକ୍ଷୀମାନଙ୍କୁ ସେଓ, ଅଙ୍ଗୁରୁ, ପାଚିଲା କଦଳୀ, ତରଭୁଜ ଦେବାକୁ ତାଲିକା ପ୍ରସ୍ତୁତି ସରିଛି। ପରିସ୍ଥିତି ଦେଖି ଏସବୁ ଯଥାଶୀଘ୍ର ବନ୍ଦୋବସ୍ତ କରାଯିବ।
ନନ୍ଦନକାନନକୁ ତାତି ଭୟ: ବାଘ, ହାତୀଙ୍କ ଜଳକ୍ରୀଡ଼ା
/sambad/media/post_attachments/wp-content/uploads/2019/02/Untitled-23-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)