ଭୁବନେଶ୍ବର: ଚକ ଅଖ ଜାମ୍। ପାଦ ପକାଇବାକୁ ରାସ୍ତା ନାହିଁ, ଚାରିଚକିଆ ଗାଡ଼ି ନିଜ ଜାଗାରୁ ଘୁଞ୍ଚି ପାରୁନି। ପଛ ଗାଡ଼ି ଚାଳକ ଆଗ ଗାଡ଼ିଚାଳକକୁ ଗାଳିଗୁଲଜ କରୁଛି, ରାସ୍ତାରେ ପାର୍କିଂ କରିଥିବା ବାଇକ୍କୁ କିଏ ଗୋଇଠା ବି ମାରୁଥିଲା। ଆଜି ଏଭଳି ଭୟଙ୍କର ଅବସ୍ଥା ହୋଇଥିଲା ଜନପଥରେ। ସୋ’ ରୁମ୍ ସାମ୍ନାରୁ ରାସ୍ତା ପର୍ଯ୍ୟନ୍ତ ଗାଡ଼ି ଜମି ରହିଥିଲା। ପୁଲିସ ଏହି ଭିଡ଼ ନିୟନ୍ତ୍ରଣ କରିବାକୁ ନୟାନ୍ତ ହୋଇଥିଲା। ପ୍ରଥମେ ପୁଲିସ ବଳପ୍ରୟୋଗ କରି ଏ ସବୁକୁ ହଟାଇବାକୁ ଯୋଜନା କରିଥିଲା।
ହେଲେ ଏହା ଅସମ୍ଭବ ହେବାରୁ ପୁଲିସ ଗାଡ଼ିଚାଳକଙ୍କୁ ହାତ ଯୋଡ଼ି ଗାଡ଼ି ନେଇ ଯିବାକୁ ଅନୁରୋଧ କରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିଥିଲା। ସୋମବାର ଭାରତବନ୍ଦ। ମଙ୍ଗଳବାର ସରସ୍ବତୀ ପୂଜା। ଏଣୁ ମାର୍କେଟିଂ ପାଇଁ ଲୋକମାନଙ୍କ ପାଖରେ ଆଜି ଓ କାଲି ଦୁଇଦିନ ଥିଲା। ସେଥିପାଇଁ କେବଳ ଜନପଥ ନୁହେଁ, ଆଜି ବିଭିନ୍ନ ମାର୍କେଟ୍ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।