ଭୁବନେଶ୍ବର: ଷଷ୍ଠୀରୁ ଟ୍ରାଫିକ ଜାମ୍ ଅସମ୍ଭାଳ ହୋଇପଡ଼ିଛି। ୧୦୦ ମିଟର ଗାଡ଼ି ଗଡ଼ିବା ପାଇଁ ଅଧ ଘଣ୍ଟା ସମୟ ଲାଗୁଛି। କମିସନରେଟ୍ ପୁଲିସର ସବୁ ଯୋଜନା, କଟକଣା ଫେଲ୍ ମାରିଛି। ଆଜି ଭାରତ ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍‌ ବେଳେ ମଧ୍ୟ ପୂଜା ବଜାର ଭିଡ଼ ସାଙ୍ଗକୁ ପ୍ରବଳ ଟ୍ରାଫିକ୍‌ ଜାମ୍‌ରେ ଲୋକେ ହନ୍ତସନ୍ତ ହୋଇଛନ୍ତି। ଆଗକୁ ପୂଜା  ପାଇଁ ରାସ୍ତାଘାଟରେ ଭିଡ଼ ବଢ଼ିବ। ଏବେଠୁ କିଛି ଯୋଜନା ଓ କଠୋର ପଦକ୍ଷେପ ଗ୍ରହଣ ନ କଲେ ଭିଡ଼ ନିୟନ୍ତ୍ରଣ କରିବାକୁ କମିସନରେଟ୍ ପୁଲିସ ପାଇଁ କାଠିକର ପାଠ ହୋଇଯିବ ବୋଲି ଆଜି ରାଜଧାନୀର ଭିଡ଼କୁ ଦେଖି ବୁଦ୍ଧିଜୀବୀମାନେ କହିଛନ୍ତି। ବିଶେଷ କରି ଭିଡ଼ ବଢ଼ୁଥିବାରୁ  ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି।

Advertisment

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ କମିସନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ଦଶହରା ବଜାରରୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଥିଲା। ଦିନ ୨ଟାରୁ ରାତି ୨ଟା ଯାଏଁ ଭାରୀଯାନ ସହର ଭିତରକୁ ପ୍ରବେଶ କରି ପାରିବ ନାହିଁ। ଏହାସହିତ ସହର ମଧ୍ୟରେ ଟ୍ରାଫିକ୍ ନିୟନ୍ତ୍ରିଣ କରିବା ପାଇଁ ଟ୍ରାଫିକ୍ ୱାର୍ଡେନ୍ ଓ ଟ୍ରାଫିକ୍‌ ଭଲ୍ୟୁଣ୍ଟାରିଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏଫ୍ଏମ୍ ମାଧ୍ୟମରେ ମଧ୍ୟ ଟ୍ରାଫିକ୍ ଖବର ପରିବେଷଣ କରାଯାଉଛି। ଏହା ପରେ ମଧ୍ୟ ଆଜି ଷଷ୍ଠୀରେ ରାଜଧାନୀର ଟ୍ରାଫିକ୍ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସହର ସ‌‌ାରା ଟ୍ରାଫିକ୍ ଜାମ୍। ଭାରତ ପାକିସ୍ତାନ ଭଳି ହାଇପ୍ରୋଫାଇଲ୍ କ୍ରିକେଟ୍ ମ୍ୟାଚ୍ ଫାଇନାଲ୍‌ ରହିଥିଲେମଧ୍ୟ ଟ୍ରାଫିକ୍ କମ୍ ହେବ ବଦଳରେ ଅସମ୍ଭାଳ ହୋଇଛି। 

ଆଜି ବିଲ୍ବବରଣ ସହ  ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଆବାହନ ଆରମ୍ଭ ହୋଇଛି। ତେଣୁ ବିଭିନ୍ନ ପୂଜାମଣ୍ଡପକୁ ସାଧାରଣ ଲୋକଙ୍କ ଭିଡ଼ ବଢ଼ିଛି। ତେଣୁ ପୂଜାମଣ୍ଡପକୁ ଲାଗି ଥିବା ରାସ୍ତାରେ ଜାମ ବଢ଼ୁଛି। ଯିଏ ବି ଯାଉଛି ପୂଜା ମଣ୍ଡପ ସମ୍ମୁଖରେ ଘଡ଼ିକେ ଅଟକି ଯାଉଛି।  ଫଳରେ ମଣ୍ଡପ ସମ୍ମୁଖ ରାସ୍ତାରେ ଭିଡ଼ ବଢ଼ୁଛି। ପରେ ପଛକୁ ପଛ ଗାଡ଼ି ଅଟକି ଯାଉଛି। ରସୁଲଗଡ଼ର- କଳ୍ପନା ଛକ, ଜୟଦେବ ବିହାର - ପଟିଆ ‌ରୋଡ, ରାଜମହଲ - ଏଜି ଛକ ସହିତ ଜନପଥ ଆଦି ମୁଖ୍ୟ ରାସ୍ତାକୁ ଲାଗି  ମଣ୍ଡପଗୁଡ଼ିକ ଥିବାରୁ ଏହାର ସଂଲଗ୍ନ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ ପୁଲିସ ହାତରୁ ବାହାରି ଯାଇଥିଲା। ବାଣୀବିହାର, ଆଚାର୍ଯ୍ୟବିହାର ଆଦି ଛକରେ ଗାଡ଼ି ଅଧଘଣ୍ଟା ଅଟକି ଯାଇଥିଲା। ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା। ସର୍ଭିସ୍ ରୋଡ୍ ଗୁଡ଼ିକ‌ରେ ଭିଡ଼ ହେଉଥିବାରୁ ଜାତୀୟ ରାଜପଥରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ପରେ ବିଭିନ୍ନ ଛକରେ ଡାଇଭର୍ସନ କରାଯିବା ପରେ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣକୁ ଆସିଥିଲା। 

ମଣ୍ଡପ ସମ୍ମୁଖରେ ଟ୍ରାଫିକ ପୁଲିସ ରହୁ ନାହାନ୍ତି। ଫଳରେ ଭୁବନେଶ୍ବରର ଲୋକମା‌ନେ ଗାଡ଼ିରୁ ନ ଓହ୍ଲାଇ ଗାଡ଼ି ଭିତରେ ରହି ରାସ୍ତାଉପରେ ଗାଡ଼ି ଅଟକାଇ ମଣ୍ଡପ ଦେଖୁଛନ୍ତି। ଏଥିରେ ପ୍ରତିବନ୍ଧକ ଲାଗିବା ଆବଶ୍ୟକ। ମଣ୍ଡପ ସମ୍ମୁଖ ରାସ୍ତାରେ  ଟ୍ରାଫିକ ପୁଲିସ ରହିବା ଆବଶ୍ୟକ। ଯେ କେହି ବି ଗାଡ଼ି ଅଟକାଉଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ‌ବୋଲି ଜଣେ ବୁଦ୍ଧିଜୀବୀ କହିଛନ୍ତି।