ହେଲାନି ହାଣ୍ଡିଭଙ୍ଗା ଯାତ, ୬ବର୍ଷ ହେଲା ପରମ୍ପରା ଭଙ୍ଗ

ଶ୍ରୀକପିଳନାଥ ଦୁଇଦିନ, ଶ୍ରୀଲିଙ୍ଗରାଜ ଓଳିଏ ଖାଡ଼ା ଉପାସ

ଭୁବନେଶ୍ୱର: ଆଜି ମଧ୍ୟ କପିଳେଶ୍ବର ମନ୍ଦିରରେ ପାଳିଆ ମଲିଆ ସେବାୟତ କାର୍ଯ୍ୟରେ ଯୋଗ ଦେଲେ ନାହିଁ। ମନ୍ଦିର ତାଲା ପଡ଼ିଥିଲେ ମଧ୍ୟ ମଲିଆ ପାଳିଆ ସେବାୟତ ଆସି ସେବା କଲେ ନାହିଁ। ଫଳରେ ଶ୍ରୀକପିଳନାଥ ପୁଣି ଉପାସରେ ରହିଲେ। ଏଭଳି ଅଚଳାବସ୍ଥା ଲାଗି ରହିଥିବାରୁ ଦୁଇଦିନ ହେଲା ଠାକୁର ଉପାସରେ ରହିଛନ୍ତି।

ସେପଟେ କପିଳନାଥଙ୍କ ନୀତି ବନ୍ଦ ରହିବା ପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ ହୋଇ ପାରିଲା ନାହିଁ। କପିଳେଶ୍ବର ମନ୍ଦିରକୁ ଯିବା ପାଇଁ ପ୍ରଶାସନ ଚେଷ୍ଟା କରି ବିଫଳ ହେବାରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁ ସେଠାକୁ ଯାଇ ପାରିଲେ ନାହିଁ। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିରେ ମଧ୍ୟ ବିଶୃଙ୍ଖଳା ହେଲା। ଶ୍ରୀଲିଙ୍ଗରାଜ ଯାତ୍ରା କରିବେ ନାହିଁ ଜାଣିବା ପରେ ଯାତ୍ରା ପୂଜା ପରେ ଥିବା କୌଣସି ନୀତି ହୋଇପାରିଲା ନାହିଁ। ଅପରାହ୍ନ ୪ଟାରୁ ନୀତି ବନ୍ଦ ରହିବା ସହ ଶ୍ରୀଲିଙ୍ଗରାଜ ଉପବାସ ରହିଲେ। ଆଜିର ଘଟଣାକୁ ମିଶାଇ ୬ବର୍ଷ ହେଲା ହାଣ୍ଡିଭଙ୍ଗା ଯାତ ବନ୍ଦ ରହିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

ଆଜି ସକାଳୁ ଲିଙ୍ଗରାଜ ମନ୍ଦିରରେ ଭୋଗ ମଣ୍ଡପ, ସାହାଣ ମେଳା ଦର୍ଶନ ପରେ ବଲ୍ଲଭ ନୀତି ହେବାର ଥିଲା। ବଲ୍ଲଭ ଓ ଯାତ୍ରା ପୂଜା ପରେ ଠାକୁର ବିଜେ କରିଥାନ୍ତି। ତେବେ ଯାତ୍ରା ହେବ ନାହିଁ ଜାଣିବା ପରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳିଆ ସେବାୟତ ଆଉ ନୀତି କଲେ ନାହିଁ। ଯଦି ଅନ୍ୟ ନୀତି କରିଥାନ୍ତେ ତେବେ ହାଣ୍ଡି ଭଙ୍ଗା ଯାତ ପରମ୍ପରା ରହିବ ନାହିଁ। ଏଣୁ ଏହି ନୀତି କରାଗଲା ନାହିଁ ବୋଲି ସେବାୟତମାନେ କହିଥିଲେ। ହଣ୍ଡିଭଙ୍ଗା ଯାତ୍ରା ପୂଜା ନହେଲେ ଏହିଦିନ ଶ୍ରୀଲିଙ୍ଗରାଜ ଐଶାନେଶ୍ୱର ମନ୍ଦିରକୁ ଯିବାର ମଧ୍ୟ ବିଧି ନାହିଁ। ଏହା ହେଲେ ୧୨ବର୍ଷ ପର୍ଯ୍ୟନ୍ତ ହଣ୍ଡିଭଙ୍ଗା ଯାତ୍ରା ପରମ୍ପରା ବନ୍ଦ ହୋଇଯିବ। ତେଣୁ ଐଶାନେଶ୍ୱର ମନ୍ଦିରକୁ  ଯାତ୍ରା ହେଲା ନାହିଁ ବୋଲି ସେବାୟତମାନେ କହିଛନ୍ତି।
ଗତକାଲି ପରି ଆଜି ମଧ୍ୟ କପିଳେଶ୍ବର ମନ୍ଦିରରେ କୌଣସି ପାଳିଆ ମଲିଆ ସେବାୟତ କାର୍ଯ୍ୟରେ ଯୋଗ ଦେଲେ ନାହିଁ। ଯାହା ଫଳରେ ଆଜି ମଧ୍ୟ ମନ୍ଦିରରେ କୌଣସି ନୀତି ହେଲା ନାହିଁ। ଉଭୟ ସେବାୟତଙ୍କ ଦ୍ବାରା ଆଜି ନୀତି ସୁରୁଖୁରରେ ହୋଇଥିଲେ ହାଣ୍ଡିଭଙ୍ଗା ଯାତ ହେବା ନିଶ୍ଚିତ ଥିଲା।

ତେବେ ସକାଳୁ ଉପ ଜିଲ୍ଲାପାଳ ତଥା କପିଳେଶ୍ବର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ ସାହୁ କପିଳେଶ୍ବର ମନ୍ଦିରରେ ପହଞ୍ଚି ମଲିଆ ସେବାୟତଙ୍କୁ ବୁଝାଇଥିଲେ। ସମସ୍ତେ ମିଶି ପାଳି କରିବାକୁ ନିବେଦନ କରିଥିଲେ। ହେଲେ ପାଳିଆ ସେବାୟତଙ୍କୁ ଅପେକ୍ଷା କରି ଫେରିଥିଲେ। ଏହାପରେ ଶ୍ରୀ ସାହୁ ମଲିଆ ସେବାୟତଙ୍କୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ପୂର୍ବାହ୍ନରେ ଓ ଅପରାହ୍ନରେ ସ୍ବତନ୍ତ୍ର ସର୍କିଟ୍‌ ହାଉସକୁ ଡାକିଥିଲେ। ହାଇକୋର୍ଟ ନିର୍ଦେଶ ଅନୁଯାୟୀ ଉଭୟ ସେବାୟତ ମିଶି କାର୍ଯ୍ୟ କରିବାକୁ ନିର୍ଦେଶ ରହିଥିବା କହିଥିଲେ। ହେଲେ ମଲିଆ ସେବାୟତମାନେ ଆଲୋଚନା ପାଇଁ ଆସିନଥିଲେ। ଏହାପରେ ଶ୍ରୀ ସାହୁ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସହ ଆଲୋଚନା କରି ଚାବି ନିଜ ପାଖରେ ରଖିଥିଲେ। ମନ୍ଦିରରେ ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତ ମିଶିକରି କାର୍ଯ୍ୟ କରିବା ବିଧି ଓ ହାଇକୋର୍ଟ ନିର୍ଦେଶ ରହିଥିବାରୁ କୌଣସି ଗୋଟିଏ ସେବାୟତ ସମ୍ପ୍ରଦାୟଙ୍କୁ ଚାବି ଦିଆଯିବ ନାହିଁ। ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତ ମିଶି ସେବା କାର୍ଯ୍ୟ କରିବା ପାଇଁ ଅପେକ୍ଷା କରିଛୁ ବୋଲି ଶ୍ରୀ ସାହୁ କହିଥିଲେ। ଯାହାକୁ ନେଇ କପିଳେଶ୍ବର ମନ୍ଦିରରେ ନୀତି ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି। ଉଭୟ ସେବାୟତ କାର୍ଯ୍ୟରେ ‌ଯୋଗ ନଦେବା ପର୍ଯ୍ୟନ୍ତ କପିଳେଶ୍ବର ମନ୍ଦିର ଖୋଲିବା ଏକ ପ୍ରକାର ଅନିଶ୍ଚିତ ହୋଇପଡ଼ିଛି।

ସମ୍ବନ୍ଧିତ ଖବର