ଭୁବନେଶ୍ବର: ହେଲ୍‌ମେଟ୍‌ ପିନ୍ଧିନଥିଲେ ବୋଲି ଟ୍ରକ୍‌ ଚାଳକ ଗଣିଛନ୍ତି ଜରିମାନା। କେବଳ ଚାଳକ ନୁହନ୍ତି, ବସିଥିବା ହେଲ୍‌ପର ପାଇଁ ମଧ୍ୟ ପିଲିଅନ୍‌ ହେଲ୍‌ମେଟ ପାଇଁ କଟା ଯାଇଛି ଚାଲାଣ। ଏଭଳି ବିଚିତ୍ର ଘଟଣା ଯାଜପୁର ପୁଲିସ ଅଞ୍ଚଳରେ ଘଟିଛି। ସୂଚନା ମୁତାବକ, ନହରକଣ୍ଟାର ଜ୍ୟୋତିରଞ୍ଜନ ସାହୁଙ୍କର ଏକ ଟ୍ରକ୍‌(ଓଡି୧୫ଏଫ୍‌୦୦୧୭) ରହିଛି। ଏହି ଟ୍ରକ୍‌ ନେଇ ଚାଳକ ପ୍ରକାଶ ପାଣି ଯାଜପୁରରୁ ଚଣ୍ଡିଖୋଲ ଫେରୁଥିଲେ। ଚଣ୍ଡିଖୋଲ ଛକଠାରୁ ଏକ କିଲୋମିଟର ଦୂରରେ ପୁଲିସ ପକ୍ଷରୁ କୋଭିଡ୍‌ କଟକଣା ଏନ୍‌ଫୋର୍ସମେଣ୍ଟ ଚାଲିଥିଲା।

Advertisment

ଚାଳକ ପ୍ରକାଶ ମାସ୍କ ପିନ୍ଧିଥିଲେ, ହେଲେ ଟିକେ ଖସି ଯାଇଥିଲା। ଏଣୁ ତାଙ୍କୁ ଚାଲାଣ କାଟିବା ପାଇଁ ଅଧିକାରୀ କହିଥିଲେ। କିଛି ସମୟ ଯୁକ୍ତି ହେବାରୁ ଅଧିକାର ରାଗି ଯାଇଥିଲେ। ଚାଲାଣ କାଟିବା ପାଇଁ ଯୋଜନା କରିଥିଲେ। ହେଲେ ମାସ୍କ ପାଇଁ ମାତ୍ର ଶହେରୁ ୨ଶହ ଟଙ୍କା କାଟିବାକୁ ଥିଲା। କିନ୍ତୁ ଅଧିକାରୀ ରାଗି ଯାଇଥିବାରୁ ହଜାରେ ଟଙ୍କିଆ ଫାଇନ କାଟିବାକୁ ନିୟମ ଖୋଜିଥିଲେ। ହେଲ୍‌ମେଟ୍‌ ଆଇନରେ ହଜାରେ ଟଙ୍କାର ଜରିମାନା ଥିବା ଦେଖି ଏହି ଚାଲାଣ କାଟିଥିଲେ। ହେଲେ ଗାଡ଼ି ଯେ ଟ୍ରକ୍‌ ଥିଲା ଏ କଥା ଭୁଲି ଯାଇଥିଲେ। ଟ୍ରକ୍‌ ନମ୍ବର ପକାଇ ହେଲ‌୍‌ମେଟ୍‌ ପାଇଁ ଚାଲାଣ କାଟିଥିଲେ। ଏହି ଚାଲାଣ ଏବେ ଭାଇରାଲ ହେବାରେ ଲାଗିଛି। ଅଧିକାରୀ ରାଗିଲେ ଯେ କ’ଣ କ’ଣ କରିପାରନ୍ତି ସେ ନେଇ ଚର୍ଚ୍ଚା ଜୋର ଧରିଛି।