ଭିତ୍ତିଭୂମି ଘର ଶୂନ : ଫାଇନ୍‌ ଆଦାୟରେ ମନ

୨ ଦିନ ପରେ କଡ଼ାକଡ଼ି ହେବ ହେଲ୍‌ମେଟ୍‌ ଚେକିଂ, ସହରସାରା ଲିଭିଗଲାଣି ଜେବ୍ରା କ୍ରସିଂ

ଭୁବନେଶ୍ବର : ଆଉ ୨ ଦିନ ପରେ ରାଜଧାନୀରେ ହେଲ୍‌ମେଟ୍‌ ଯାଞ୍ଚ ଆଇନ କଡ଼ାକଡ଼ି ହେବ। ଏଥିରେ ଆଉ କୋହଳ ନ କରିବାକୁ କେନ୍ଦ୍ର ସରକାର ତାଗିଦ୍ କରି ସାରିଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କମିସନରେଟ୍‌ ପୁଲିସ ସମେତ ଆର୍‌ଟିଓ ପ୍ରସ୍ତୁତ ହୋଇ ରହିଛନ୍ତି। ମାତ୍ର ରାଜଧାନୀର ରାସ୍ତାରେ ରହିଛି ସମସ୍ୟା। ରାଜଧାନୀର ବିଭିନ୍ନ ପ୍ରମୁଖ ରାସ୍ତାରୁ ଜେବ୍ରା କ୍ରସିଂ ଲିଭି ଯାଇଛି। ଲେନ୍‌ ଡ୍ରାଇଭିଂ ପାଇଁ ଚିହ୍ନଟ ହୋଇଥିବା ରେଖା ମଧ୍ୟ ଲୁଚି ଗଲାଣି। ଜେବ୍ରା କ୍ରସିଂ ଅତିକ୍ରମ କଲେ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ରହିଛି। ମାତ୍ର ଏବେ ରାସ୍ତାରୁ ଏ ସବୁ ଲିଭି ଯାଇଥିବାରୁ ଚାଳକ ଜାଣିବା ସମ୍ଭବ ହେବ ନାହିଁ। ଅଜାଣତରେ ଆଗକୁ ଚାଲିଗଲେ ଜରିମାନା ଗଣିବ। ବ୍ୟବସ୍ଥାର ଭୁଲ୍‌ ପାଇଁ ଚାଳକ ଜରିମାନା ଗଣିବାକୁ ବାଧ୍ୟ ହେବ। ତେଣୁ ଏ ନେଇ ବିରୋଧ ହେବା ସ୍ବାଭାବିକ। ଆବଶ୍ୟକ ଭିତ୍ତିଭୂମି ବିନା କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ପୁଲିସ ପାଇଁ ନୂଆ ଅଡ଼ୁଆ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ନିୟମାନୁସାରେ, ଟ୍ରାଫିକ୍‌ରେ ଅଟକିବା ବେଳେ ଜେବ୍ରା କ୍ରସିଂ ଅତିକ୍ରମ କଲେ ୩ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଜାନୁଆରି ୧ ତାରିଖରୁ ଏହି ଆଇନ ମଧ୍ୟ କଡ଼ାକଡ଼ି ହେବାକୁ ଯାଉଛି। କିନ୍ତୁ ଦେଖିବାକୁ ମିଳିଛି ଯେ ଭୁବନେଶ୍ବରର ଅଧିକାଂଶ ଟ୍ରାଫିକ୍ ଛକରେ ଜେବ୍ରା କ୍ରସିଂ ଲିଭି ଯାଇଛି। ଏଣୁ ଟ୍ରାଫିକ୍‌ରେ ଅଟକିବା ବେଳେ ଚାଳକ କେଉଁଠି ଛିଡ଼ା ହେବେ, ସେ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପୁଣି କେତେକ ଜାଗାରେ ରାସ୍ତା ମରାମତି କାମ ଚାଲିଛି। ପୁରୁଣା ରାସ୍ତା ଉପରେ ୫ ଇଞ୍ଚର ନୂଆ ପିଚୁ ପଡ଼ିଛି। ତେଣୁ ଏହି ସବୁ ଜାଗାରେ ଜେବ୍ରା କ୍ରସିଂ ଚିହ୍ନ ପୋତି ହୋଇ ପଡ଼ିଛି। କୌତୂହଳର କଥା ହେଉଛି, କେତେକ ଜାଗାରେ ଦୁଇ ଦୁଇଟି ଜେବ୍ରା କ୍ରସିଂ ରହିଛି। ଚାଳକ କେଉଁଠି ଛିଡ଼ା ହେ‌ବେ, ସେନେଇ ଦ୍ବନ୍ଦ୍ବରେ ପଡ଼ିବେ। ପାୱାର ହାଉସ୍‌ ଛକରେ ଏଭଳି ଦୁଇ ଦୁଇଟି ଜେବ୍ରା କ୍ରସିଂ ଚାଳକକୁ ଦ୍ବନ୍ଦ୍ବରେ ପକାଇଛି। ସେହିଭଳି କେତେକ ଛକ ରହିଛି, ଯେଉଁଠି ଆଦୌ ଜେବ୍ରା କ୍ରସିଂ ନାହିଁ। ସେଭଳି ଛକରେ ଚାଳକ ସମସ୍ୟାରେ ପଡ଼ିବା ଥୟ।

ସୂଚନାଯୋଗ୍ୟ, ଏବେ ଏହି ସବୁ ସମସ୍ୟା ଯୋଗୁଁ ଟ୍ରାଫିକ୍‌ ପୁଲିସ ଜେବ୍ରା କ୍ରସିଂ ଉଲ୍ଲଂଘନ ବାବଦରେ ଜରିମାନା ଆଦାୟ କରୁନାହିଁ। ଦୀର୍ଘ ୬ ମାସ ହେଲା ଏ ବାବଦରେ ଟଙ୍କାଟିଏ ଜରିମାନା କରାଯାଇନାହିଁ। ଭିତ୍ତିଭୂମି ପ୍ରସ୍ତୁତ ନ ଥିବାରୁ ଜରିମାନା ଆଦାୟ କରାଯାଉ ନଥିବା ଟ୍ରାଫିକ୍‌ ପୁଲିସ୍‌ ପକ୍ଷରୁ କୁହାଯାଇଛି। କିନ୍ତୁ ଏଥିପାଇଁ ସାଧାରଣ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ଜେବ୍ରା କ୍ରସିଂ ଉଲ୍ଲଂଘନ ପାଇଁ ଟ୍ରାଫିକ୍‌ ପୁଲିସ ଚାଲାଣ କାଟୁ ନଥିବାରୁ ବହୁ ଗାଡ଼ି ଚାଳକ ବେପରୁଆ ହୋଇଛନ୍ତି। ଆଗୁଆ ଯିବା ପାଇଁ ମନଇଚ୍ଛା ଭିଡ଼ କରୁଛନ୍ତି। ଫଳରେ ଅନ୍ୟ ପଥଚାରୀମାନେ ରାସ୍ତା ଅତିକ୍ରମ କଲା ବେଳେ ବିପଦରେ ପଡ଼ୁଛନ୍ତି।

ତାଳମେଳ ନାହିଁ
ଟ୍ରାଫିକ୍‌ ନିୟମ ଜଗୁଛି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ। ରାସ୍ତା ତିଆରି, ମରାମତି ଓ ଜେବ୍ରା କ୍ରସିଂ ଚିହ୍ନଟ କରୁଛି ପୂର୍ତ୍ତ ବିଭାଗ। ଉଭୟ ବିଭାଗ ମଧ୍ୟରେ ସମନ୍ବୟ ରହିଲେ ଯାଇ ଦ୍ବନ୍ଦ୍ବ ଦୂର ହେବ। ହେଲେ ଉଭୟ ବିଭାଗ ମଧ୍ୟରେ ତାଳମେଳ ରହୁ ନଥିବାରୁ ଗାଡ଼ି ଚାଳକ ଓ ପଥଚାରୀ ଫସୁଛନ୍ତି। ପୂର୍ତ୍ତ ବିଭାଗ ଏହି କାମକୁ ଠିକାଦାର ଜରିଆରେ କରୁଛି। ପୁଲିସର ବିନା ପରାମର୍ଶରେ ଜେବ୍ରା କ୍ରସିଂ ତିଆରି କରୁଛି। ଫଳରେ ଏଭଳି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଗତବର୍ଷ ଏଭଳି ଦ୍ବନ୍ଦ୍ବକୁ ନେଇ ରାଜମହଲ ଛକରେ ପୁଲିସ-ଜନତା ମୁହାମୁହିଁ ହୋଇଥିଲେ। ତେଣୁ ଏଥର ଜାନୁଆରିରୁ ଆଇନ କଡ଼ାକଡ଼ି ହେବାକୁ ଯାଉଥିବାରୁ ଏହା ଉଭୟ ଚାଳକ ଓ ପୁଲିସ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଏ ନେଇ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର