ଫ୍ଲାଏ ଓଭରରେ ହେଲ୍‌ମେଟ୍‌ ବାଧ୍ୟତାମୂଳକ ପ୍ରସଙ୍ଗ : ମାତି‌ଲେ ପରେ ଭୁଲିଗଲେ

ବିଭାଗୀୟ ତାଳମେଳ ଅଭାବରୁ ସଫଳ ହେଉନି

ଭୁବନେଶ୍ୱର : ‘ବାଇକ୍‌ ଚାଳକଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ’ ନେଇ ବିଭିନ୍ନ ସମୟରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ମଧ୍ୟରୁ କୌଣସି ଗୋଟିଏ ବି ଅଧିକ ଦିନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିପାରିନାହିଁ। ‘ନୋ ହେଲମେଟ୍‌ ନୋ ପେଟ୍ରୋଲ’ ହେଉ କିମ୍ବା ‘ଡବଲ୍‌ ହେଲମେଟ୍‌’ ଲାଗୁ କରିବା ପ୍ରସଙ୍ଗ‌ କିମ୍ବା ‘ଫ୍ଲାଏଓଭର୍‌ରେ ହେଲମେଟ୍‌ ବାଧ୍ୟତାମୂଳକ’; ସବୁ ଫସର ଫାଟିଛି।

ନିୟମାବଳୀ ଲାଗୁ ହେବା ପରେ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ପୁଲିସଙ୍କୁ ଆକ୍ସନ୍‌ ମୁଡ୍‌ରେ ବେଶ୍‌ କିଛି ଦିନ ଦେଖିବାକୁ ମିଳେ। ବାଇକ୍‌ ଚାଳକଙ୍କୁ ନିୟମ ପାଳନ ଲାଗି ବାଧ୍ୟ କରିବା ପାଇଁ ସହରର ମୁଖ୍ୟ ଛକଗୁଡ଼ିକରେ ଜୋରଦାର୍‌ ଚେକିଂ ଚାଲେ। କିନ୍ତୁ କିଛି ଦିନ ପରେ ସ୍ଥିତି ‘ଯଥା ପୂର୍ବଂ ତଥା ପରଂ’। କମିସନର୍‌ଙ୍କ ପରେ କମିସନର୍‌ ବଦଳିବା ଭଳି ନିର୍ଦ୍ଦେଶାବଳୀ ମଧ୍ୟ ବଦଳିଥିବାରୁ ଦୁର୍ଘଟଣା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା‌ରେ ଦୁର୍ଘଟଣା ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ କେବଳ ଭୁବନେଶ୍ବରରେ ଦୁର୍ଘଟଣାଜନିତ ମୃତାହତଙ୍କ ହାର ଦିଲ୍ଲୀଠାରୁ ଅଧିକ ରହିଛି।

ନିକଟ ଅତୀତରେ ଭୁବନେଶ୍ବର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ୭ ଦିନରେ ୮ଟି ମୁଣ୍ଡ ଗଡ଼ିବା ପରେ ଫ୍ଲାଏ ଓଭରରେ ବାଇକ୍‌ ଚାଳକଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳ ଏନେଇ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିଥିଲେ। ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଆରଟିଓ-କମିସନରେଟ୍‌ ପୁଲିସ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ଦିନେ ଦୁଇଦିନ ଯାଞ୍ଚ ହେବା ପରେ ତାହା ବନ୍ଦ ହୋଇଗଲା। କମିସନରେଟ୍‌ ପୁଲିସ ୫ଟି ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରି ଦୁର୍ଘଟଣା ରୋକିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଫେଲ ମାରିଲା। ଆରଟିଓ, କମିସନରେଟ୍‌ ପୁଲିସ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏକତ୍ର ହୋଇ ବୈଠକ ପରେ ବୈଠକ କରିଥିଲେ ମଧ୍ୟ ତାହା ସଫଳ ହେଲା‌ ନାହିଁ। ବାସ୍ତବରେ ବିଭାଗୀୟ ତାଳମେଳ ଅଭାବରୁ କିଛି ବ୍ୟବସ୍ଥିତ ହୋଇପାରୁନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏବେ ପୁଣି ଦୁର୍ଘଟଣାରେ କେହି ମୃତାହତ ହେଲେ ଯାଇ ଅଧିକାରୀଙ୍କ ମୁଣ୍ଡ ବିନ୍ଧିବ ବୋଲି ଚର୍ଚ୍ଚା ହେଉଛି।

ସମନ୍ବୟ ଅଭାବ: ଗତ ଜୁନ୍‌ରେ ଖୋର୍ଦ୍ଧା ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଏକ ବୈଠକରେ ରାସ୍ତା ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟ କମିଟିର ତାଗିଦ୍‌ ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ଜିଲ୍ଲାପାଳ ଭୁବନେଶ୍ବର ମଧ୍ୟରେ ଥିବା ସମସ୍ତ ଫ୍ଲାଏଓଭର ଉପରେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚାଳନା ନିଷିଦ୍ଧ ବୋଲି ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ପ୍ରଥମେ ଉଭୟ ଆରଟିଓ ପୁଲିସ ସହାୟତାରେ ଏହି ଫ୍ଲାଏଓଭର ଉପରେ ବାଇକ୍‌ ଚାଳକଙ୍କ ହେଲ୍‌ମେଟ୍‌ ଯାଞ୍ଚ କଲେ। ହେଲେ ଦୁଇଦିନ ପରେ ଏହା ସମ୍ଭବ ହୋଇନଥିଲା। କାରଣ ଜାତୀୟ ରାଜପଥ ଉପରେ ଏଭଳି ଯାଞ୍ଚ କରିବା ନିୟମବିରୁଦ୍ଧ ଥିଲା। ଶେଷରେ ଜାତୀୟ ରାଜପଥ ବିଭାଗକୁ ଏଥିରେ ସାମିଲ କରାଯାଇ ଆଲୋଚନା ହେଲା। ୧୫ଦିନ ଭିତରେ ଜାତୀୟ ରାଜପଥ ବିଭାଗ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରି ବିଜ୍ଞପ୍ତି ପ୍ରକାଶ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ହେବ ବୋଲି ସ୍ଥିର କରାଗଲା। ହେଲେ ଜାତୀୟ ରାଜପଥ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ କରାଗଲାନାହିଁ। ଏପଟେ ଯାଞ୍ଚ ମଧ୍ୟ ବନ୍ଦ ହୋଇଗଲା।

କାହିଁକି ବନ୍ଦ ହେଲା: ଏହି ଯାଞ୍ଚ-ପରତାଳ ବନ୍ଦ ହେବା ନେଇ ଏକ ବିଚିତ୍ର କଥା ପଦାକୁ ଆସିଛି। ଆରଟିଓ କର୍ମଚାରୀମାନେ ନିଜକୁ ସୁରକ୍ଷିତ ରଖି ରାସ୍ତା କଡ଼ରେ କେବଳ ରସିଦ କାଟୁଥିବା ବେଳେ ଦ୍ରୁତଗତିରେ ବିନା ହେଲ୍‌ମେଟ୍‌ରେ ଆସୁଥିବା ଚାଳକମାନଙ୍କୁ ପୁଲିସ କର୍ମଚାରୀମାନେ ହୁଇସିଲ ଓ ହାତ ଦେଖାଇ ଅଟକାଉଥିଲେ। କେତେକ ଚାଳକ ଯାଞ୍ଚରୁ ବର୍ତ୍ତିବା ପାଇଁ ପୁଲିସ କର୍ମଚାରୀଙ୍କ ଉପ‌ରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ। ପୂର୍ବରୁ ଯାଜପୁରରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଜଣେ ଆରଟିଓଙ୍କୁ ଗାଡ଼ି ଚଢ଼ାଇ ଦୁର୍ବୃତ୍ତ ହତ୍ୟା କରିଥିବା ନଜିର ଥିବାରୁ ପୁଲିସ କର୍ମଚାରୀମାନେ ଜୀବନକୁ ବିପଦରେ ପକାଇବାକୁ ଅମଙ୍ଗ ହେଲେ। ଫଳରେ ଏହି କାର୍ଯ୍ୟକ୍ରମ ଆଉ ଆଗକୁ ବଢ଼ି ପାରିନଥିଲା। ଠିକ୍‌ ସେହିଭଳି ବିଜ୍ଞପ୍ତି ଜାରି କରିବା ପରେ ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କର ମଧ୍ୟ ବଦଳି ହୋଇଥିଲା। ରାଜପଥ ଉପରେ ଯାଉଥିବା ଶହ ଶହ ଚାରିଚକିଆ ଯାନ ଭିଡ଼ରେ ବାଇକ୍‌କୁ ଏଭଳି ବିପଜ୍ଜନକ ଭାବରେ ଅଟକାଇ ଯାଞ୍ଚ କରିବା ଅସମ୍ଭବ ହୋଇଥିଲା। ଫଳରେ ଅବସ୍ଥା ‘ଯଥା ପୂର୍ବଂ ତଥା ପରଂ’ ହୋଇଯାଇଥିଲା।

ଅନ୍ଧାରରେ ବ୍ଲାକ୍‌ସ୍ପଟ: ବାସ୍ତବରେ ରାଜଧାନୀ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଉପରେ ‌କେତୋଟି ବ୍ଲାକ୍‌ସ୍ପଟ୍‌, ତାହା ଅନ୍ଧାରରେ ରହିଛି। କମିସନରେଟ୍‌ ପୁଲିସ ୫ଟି ଚିହ୍ନଟ କରିଥିବା ବେଳେ ଜାତୀୟ ରାଜପଥ ବିଭାଗ ଭିନ୍ନ ହିସାବ ଦେଖାଉଛି। ଯେଉଁ ଯେଉଁ ଜାଗାକୁ ପୁଲିସ ଚିହ୍ନଟ କରିଛି, ତାହା ମଧ୍ୟ ଜାତୀୟ ରାଜପଥ ବିଭାଗର ତାଲିକାଠାରୁ ଭିନ୍ନ ରହିଛି। ଯଦି ଉଭୟ ତାଲିକାକୁ ହିସାବକୁ ନିଆଯାଏ, ତେବେ ଏହି ରାଜପଥ ଉପରେ ବ୍ଲାକ୍‌ସ୍ପଟ୍‌ ସଂଖ୍ୟା ୨୦ ଡେଇଁବ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ଦୁର୍ଘଟଣା ରୋକିବା ପାଇଁ କେଉଁ ବିଭାଗ କେତେ ତତ୍ପର, ତାହା ସହଜରେ ଅନୁମେୟ ବୋଲି କୁହାଯାଉଛି।

ମାସେ ପାଇଁ ଯାଞ୍ଚ ଅବଧି ଥିଲା: ଭୁବନେଶ୍ବର ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥରେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ନିଷିଦ୍ଧ ନେଇ ଜିଳ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମାସେ ପାଇଁ ହେଲ୍‌ମେଟ୍‌ ଯାଞ୍ଚ କରିବାକୁ ଅବଧି ଥିଲା। ମାସେ ଭିତରେ ବହୁ ଦିନ ଯାଞ୍ଚ ହୋଇଛି ବୋଲି ଆର୍‌ଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର